ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବିପୁଳିଙ୍ଗି ଗ୍ରାମ ବଡ଼ସାହିର ସୁପ୍ରଭା ଚୌଧୁରୀ (୫୧)ଙ୍କୁ ଗତମାସ ୧୫ ତାରିଖରେ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଆଉ କିଏ ନୁହେଁ, ବରଂ ମୃତକଙ୍କ ସ୍ବାମୀ ତଥା ଏତଲାକାରୀ ନିଜେ ରାଧାଶ୍ୟାମ ଚୌଧୁରୀ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଜଣେ ମାତ୍ର ହତ୍ୟାକାରୀ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। କ‌େବଳ ଏତିକି ନୁହେଁ, ରାଧାଶ୍ୟାମ ହିଁ ହତ୍ୟାକାରୀ ବୋଲି ୩ ପୁଅ ଜାଣିବା ପରେ ଆତ୍ମସମର୍ପଣ କରିବାକୁ ବାପାଙ୍କୁ କହିଥିଲେ। କିନ୍ତୁ ରାଧାଶ୍ୟାମ ଆତ୍ମସମର୍ପଣ ପାଇଁ ମନା କରିବାରୁ ସାନପୁଅ ଦେବାଶିଷ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ‘ଆତ୍ମହତ୍ୟା କଲେ ମୋର କିଛି ଯାଏ ଆସେ ନାହିଁ’ ବୋଲି ରାଧାଶ୍ୟାମ କହିବାରୁ ଗତ ୨୮ ତାରିଖରେ ଦେବାଶିଷ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ। ହତ୍ୟାକାଣ୍ଡର ୧୭ ଦିନ ପରେ ଶେଷରେ ସମସ୍ତ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ରହସ୍ୟ ଉପରୁ ପର୍ଦ୍ଦା ହଟାଇଛି। ଆଜି ଅଭିଯୁକ୍ତ ରାଧାଶ୍ୟାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ରାଧାଶ୍ୟାମ ଏହି ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ପୁଲି ସୂଚନା ଦେଇଛି। ତଥାପି ସଂପୂର୍ଣ୍ଣ ଘଟଣା ଓ ହତ୍ୟା ଯୋଜନାର ରହସ୍ୟ ଉପରୁ ପରଦା ଉଠାଇବାକୁ ରାଧାଶ୍ୟାମଙ୍କୁ ପୁଲିସ ରିମାଣ୍ଡରେ ଆଣି ଜେରା କରିବ ବୋଲି ଛତ୍ରପୁର ଏସଡିପିଓ ଗୌତମ କିଷାନ୍ ଓ ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ସ୍ବାମୀ ହିଁ ହତ୍ୟାକାରୀ, ଆତ୍ମହତ୍ୟା ପାଇଁ  ସାନପୁଅକୁ ମଧ୍ୟ ଉସ୍‌କାଇଥିଲେ
ଆତ୍ମସମର୍ପଣ ପାଇଁ ୩ ପୁଅଙ୍କ ପରାମର୍ଶ ଏଡ଼େଇ ଆସୁଥିଲେ
ରହସ୍ୟ ଉନ୍ମୋଚନ ପାଇଁ ରିମାଣ୍ଡରେ ଆଣିବ ପୁଲିସ

ଗତମାସ ୧୫ ତାରିଖ ବିଳମ୍ବିତ ରାତିରେ ସୁପ୍ରଭା ତାଙ୍କ ଘରେ ଏକୁଟିଆ ଶୋଇଥିବା ଅବସ୍ଥାରେ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରା ଯାଇଥିଲା। ଏହାପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଜେରା ଆରମ୍ଭ କରିଥିଲା। ଲୁଟ୍ ଉଦ୍ଦେଶ୍ୟରେ ପତ୍ନୀଙ୍କୁ ହତ୍ୟା କରା ଯାଇଥିବା ନେଇ ରାଧାଶ୍ୟାମ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ତେବ‌େ ଗ୍ରାମବାସୀଙ୍କଠୁ ମିଳିଥିବା ତଥ୍ୟକୁ ଆଧାର କରି, ମୃତକଙ୍କ ସ୍ବାମୀ ରାଧାଶ୍ୟାମଙ୍କୁ ନେଇ ପଚରାଉଚରା କରି ପରେ ଛାଡ଼ି ଦେଇଥିଲା।

ଏହାମଧ୍ୟରେ ଘଟଣା ପରେ ତିନିପୁଅ ଗାଁକୁ ଶୁଦ୍ଧିକ୍ରିୟା ପାଇଁ ଆସିଥିବା ‌ବେଳେ ରାଧାଶ୍ୟାମ ସମସ୍ତଙ୍କ ସହ ସ୍ବାଭାବିକ ବ୍ୟବହାର କରୁଥିଲେ। ତଥାପି ଘରେ ପଡ଼ିଥିବା ରକ୍ତଛିଟା ସମେତ ବିଭିନ୍ନ ପାରିପାର୍ଶ୍ବିକ ସ୍ଥିତିରୁ ରାଧାଶ୍ୟାମ ହିଁ ହତ୍ୟାକାରୀ ବୋଲି ସାନପୁଅ ଦେବାଶିଷ ଜାଣି ପାରିଥିଲେ। ଏ ସଂକ୍ରାନ୍ତରେ ସେ ଅନ୍ୟ ଦୁଇ ଭାଇଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ରାଧାଶ୍ୟାମଙ୍କୁ ଡାକି ଆତ୍ମସମର୍ପଣ କରିବାକୁ କହିଥିଲେ ହେଁ ସେ ରାଜି ହୋଇ ନଥିଲେ। ଆଉ ଦେବାଶିଷଙ୍କୁ କହିଥିଲେ ‘ତୁ ଆତ୍ମହତ୍ୟା କରିଦେ ସିନା, ମୁଁ ଆତ୍ମସମର୍ପଣ କରିବି ନାହିଁ’।  ସତକୁ ସତ ମାଆ ହତ୍ୟାର ୧୩ ଦିନ ପରେ ଦେବାଶିଷ ଆତ୍ମହତ୍ୟା କରି ଦେଇଥିଲେ।

ଏହାପରେ ମଝିଆ ପୁଅ ଆଶିଷ ଛତ୍ରପୁର ଥାନାରେ ବାପା ରାଧାଶ୍ୟାମଙ୍କ ବିରୋଧରେ ଏତଲା ଦେଇଥିଲେ। ରାଧାଶ୍ୟାମ ହିଁ ତାଙ୍କ ମାଆର ହତ୍ୟାକାରୀ ଓ ସାନଭାଇକୁ ସେ ହିଁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଏତଲା‌ରେ ଦର୍ଶାଇଥିଲେ। ପୂର୍ବରୁ ରାଧାଶ୍ୟାମ ପୁଲିସର ସନ୍ଦେହ ଘେରରେ ଥିବା ବେଳେ ତଥ୍ୟ ଓ ପ୍ରମାଣ ‌ଯୋଗାଡ଼ ଚାଲିଥିଲା। ପୁଅର ଏତଲା କ୍ରମେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।