ପୁରୀ: ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଛାତ, କାନ୍ଥ, ସିଲିଂ, ସବୁକିଛି ଓଦାଳିଆ ରହିଛି। ପାଣି ବି ଗଳୁଛି। ଅନେକ ସ୍ଥାନରୁ ପଥର ସବୁ ଭାଙ୍ଗି ଖଣ୍ଡଖଣ୍ଡ ହୋଇ ତଳେ ପଡ଼ିଛି। ସିଲିଂରୁ ଧାତବ ସପୋର୍ଟିଂ ବି ଖସିଯାଇଛି। ଯଦି ତ୍ବରିତ ମରାମତି ନ ହୁଏ, ବିପଦ ରହିଛି। ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପରେ ଏପରି ହାତ କାଟି ଲେଖିଥିଲେ ୧୭ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି। ଯେଉଁ ରିପୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କୋର କମିଟି(ବୈଷୟିକ କମିଟି) ସଦସ୍ୟ, ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଜିଲ୍ଲାପାଳ ପ୍ରମୁଖଙ୍କ ଦସ୍ତଖତ ରହିଥିଲା। ତ୍ବରିତ ଆବଶ୍ୟକ ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି କରିବାକୁ ଏହି କମିଟି ନିଜର ଅନୁଧ୍ୟାନ ରିପୋର୍ଟରେ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ସଂଖ୍ୟା-୩୩୫୮ରେ ଅବଗତ କରିଥିଲା। ଇତିମଧ୍ୟରେ ୫ ବର୍ଷ ବିତିଥିଲେ ବି କମିଟିର ଏହି ରିପୋର୍ଟକୁ ନା ସରକାର ଗୁରୁତ୍ବ ଦେଉଛନ୍ତି, ନା ଆଇନ ବିଭାଗ। ଓଲଟା ହାଇକୋର୍ଟରେ ସତ୍ୟପାଠ ଜରିଆରେ ରତ୍ନଭଣ୍ଡାର ଖୋଲାଯିବାର ଆବଶ୍ୟକତା ନାହିଁ କହି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇବାକୁଉଦ୍ୟମ ହୋଇଛି। ଯାହା ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କୁ ମର୍ମାହତ କରିଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବି ଗତବର୍ଷ ଅଗଷ୍ଟ ମାସରୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି ଲେଖି ସାରିଲାଣି। କିନ୍ତୁ କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯେତେବେଳେ ରାଜ୍ୟ ସରକାରଙ୍କ ୧୭ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଗଲା, ସେ ସମୟରେ ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଏଭଳି ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିଲା, ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାର ସ୍ଥିତି ସ୍ପଷ୍ଟ ଦୃଶ୍ୟମାନ ହେବାରୁ ଭିତର ରତ୍ନଭଣ୍ଡାର ଦ୍ବାରର ତାଲା ଖୋଲିବା ଆବଶ୍ୟକ ପଡ଼ିଲାନି ବୋଲି ୧୭ଜଣିଆ କମିଟି ପ୍ରାଥମିକ ରିପୋର୍ଟ ଦେଇଥିଲା।

Advertisment

ପରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠିଥିଲା। କିନ୍ତୁ ଏହା ସତ କି ମିଛ, ଆଜି ବି ରହସ୍ୟ ଘେରରେ ରହିଛି। ଯେଉଁ ସମୟରେ ୧୭ଜଣିଆ କମିଟି ବାହାର ଓ ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିଥିଲେ ସେ ସମୟରେ ଉଭୟ ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା। ପରେ ପ୍ରତ୍ନତତ୍ତ୍ବ ବିଭାଗ କୋର୍‌ କମିଟି ସଦସ୍ୟ, ଇଂଜନିୟରମାନଙ୍କୁ ଏ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଥିଲା। କୋର୍‌ କମିଟି ସଦସ୍ୟମାନେ ବି ଏ ଉପରେ ବିସ୍ତୃତ ଅନୁଧ୍ୟାନ ରିପୋର୍ଟ ଦେଇ ସ୍ପଷ୍ଟ ଉଲ୍ଲେଖ କରିଥିଲେ କି ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାନ୍ଥରେ ତଳୁ ଉପର ପର୍ଯ୍ୟନ୍ତ ବହୁତ ବଡ଼ ବଡ଼ ଲମ୍ବା ଫାଟ ରହିଛି। ପ୍ଲାଷ୍ଟରକୁ ବାଡ଼େଇଲେ ଫମ୍ପା ଶଦ୍ଦ ଶୁଭୁଛି। ପ୍ଲାଷ୍ଟର ଟଳମଳ ହେଉଛି। ସିଲିଂକୁ ସପୋର୍ଟିଂ ପାଇଁ ଯେଉଁ ଧାତବ ଜିନିଷ(ରଟ୍‌) ରହିଥିଲା, ସେଥିରୁ କିଛି ମିଳୁନି। କିଛି ପଥର ତଳେ ଖଣ୍ଡ ଖଣ୍ଡ ହୋଇପଡ଼ିଛି। ଏଣୁ ରତ୍ନଭଣ୍ଡାରର ସୁରକ୍ଷା ତଥା ସଂରକ୍ଷଣ ଦୃଷ୍ଟିରୁ ରଥଯାତ୍ରା ସମୟରେ ଅବା ଏହା ପରେ ପୁନଃ ଅନୁଧ୍ୟାନ ସହ ଆବଶ୍ୟକ ମରାମତି ଜରୁରୀ ବୋଲି କୋର୍‌ କମିଟି ମତ ଦେଇଥିଲା।

ମରାମତି ତଥା ସଂରକ୍ଷଣ ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଅକ୍ଷତ ରଖିବା(ନନ୍‌ ଡେଷ୍ଟ୍ରକ୍ଟିଭ୍ ଟେଷ୍ଟ) ପାଇଁ ବିଭିନ୍ନ ପରୀକ୍ଷା ଯଥା, ଅଲ୍‌ଟ୍ରାସାଉଣ୍ଡ୍‌ ପଲ୍‌ସ ଭେଲୋସିଟି ଟେଷ୍ଟ, ରିବାଉଣ୍ଡ୍‌ ହାମର ଟେଷ୍ଟ, କୋରୋଜିଅନ୍‌ ରେଜିଷ୍ଟାଣ୍ଟ ଟେଷ୍ଟ, ଆର୍ଦ୍ରତା ପରୀକ୍ଷା ଆଦି ଦରକାର ବୋଲି କହିଥିଲା। ଏହି ପରୀକ୍ଷା କୌଣସି କ୍ଷତିକାରଣ ନୁହେଁ ଓ ଏଥିପାଇଁ ଅନୁମତି ଦେବାକୁ ବି କୋର କମିଟି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ନିବେଦନ କରିଥିଲା। ଯେହେତୁ ରତ୍ନଭଣ୍ଡାର ଖୋଲିବା ଅନୁମତି ଦେବା କ୍ଷମତା କେବଳ ଶ୍ରୀମନ୍ଦିର ପ୍ରଶାସନର ରହିଛି, ସେଥିପାଇଁ ଏହି ଅନୁମତି ଦେବାକୁ ଲିଖିତ ଭାବେ ଜଣାଇଥିଲା ପ୍ରତ୍ନତତ୍ତ୍ବ ବିଭାଗ। ପ୍ରତ୍ନତତ୍ତ୍ବ ବିଭାଗ କୋର୍‌ କମିଟିରେ ଥିବା ବରିଷ୍ଠ ପ୍ରତ୍ନତତ୍ତ୍ବବିତ୍‌ ଜି ସି ମିତ୍ର, ଡ. ଏନ୍‌ ସି ପାଲ୍‌ ପ୍ରମୁଖ ଏହି ସମ୍ବେଦନଶୀଳ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ବି ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିରବ। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ ନ ଥିବା ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ସତ୍ୟପାଠ ଦେବା ଭକ୍ତଙ୍କୁ ଆନ୍ଦୋଳିତ କରିଛି।