ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ମାମଲାରୁ ୧୭ ନିର୍ଦ୍ଦୋଷରେ ଖଲାସ

୨୦୦୧ରେ ନିମ୍ନ ଅଦାଲତ ଦେଇଥିଲେ ଆଜୀବନ କାରାଦଣ୍ଡ

କଟକ: ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ଶବ ପୋଡ଼ିଦେବା ଅଭିଯୋଗରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୭ଜଣ ବ୍ୟକ୍ତିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏ ସଂପର୍କିତ ମାମଲାର ଶୁଣାଣିକରି କନ୍ଧମାଳ-ବୌଦ୍ଧ ଦୌରା ଜଜ୍ ୨୦୦୧ ଏପ୍ରିଲ ୧୯ରେ ଅଭିଯୁକ୍ତ ମାଟା ନାୟକ, ଦିଲ୍ଲୀପ ନାୟକ, କାଳିଆ ଓରଫ ଅମୀୟ କୁମାର ପ୍ରଧାନ ଓ ଅନ୍ୟ ୧୪ଜଣଙ୍କୁ ଆଇପିସିର ଦଫା ୩୦୨, ୧୪୭, ୧୪୮, ୪୫୨, ୧୪୯ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଚ କରି ମାଟା ନାୟକ ଓ ୧୪ଜଣ ଗୋଟିଏ ଏବଂ ଦିଲ୍ଲୀପ କୁମାର ମଲ୍ଲିକ ଓ କାଳିଆ ଓରଫ ଅମୀୟ କୁମାର ପ୍ରଧାନ ଦୁଇଟି ମାମଲା ହାଇକୋର୍ଟରେ ଦାୟର କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନିଟି ମାମଲାର ଏକତ୍ର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ହାଇକୋର୍ଟ ଏ ସଂପର୍କିତ ଆବେଦନ ଗୁଡିକୁଗ୍ରହଣ କରିବା ସହିତ ସମସ୍ତ ଆବେଦନକାରୀଙ୍କୁ ଦୋଷମୁକ୍ତ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ଥାନା ଅନ୍ତର୍ଗତ ଡୁଗୁରିପାରି ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ୧୯୯୮ ନଭେମ୍ବର ୧୧ରେ ମୃତ୍ୟୁ ହୋଇଥିଲା। ପ୍ରଦୀପଙ୍କ ମୃତ୍ୟୁ ପାଇଁ ଚନ୍ଦ୍ରଶେଖରଙ୍କ ଗୁଣିଗାରେଡ଼ି ଦାୟୀ ବୋଲି ଗ୍ରାମରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିଦିନ ରାତି ପ୍ରାୟ ୯ଟା ସମୟରେ ୧୫ରୁ ୨୦ ଗ୍ରାମବାସୀ ଚନ୍ଦ୍ରଶେଖରଙ୍କ ଘରେ ଜୋରଜବରଦସ୍ତ ପ୍ରବେଶକରି ତାଙ୍କୁ ମାଡ଼ ମାରିଥିଲେ। ଚନ୍ଦ୍ରଶେଖରଙ୍କୁ ତାଙ୍କ ଘରୁ ସେମାନେ ନେଇଯାଇ ଗ୍ରାମ ଶେଷମୁଣ୍ଡରେ ଥିବା ଏକ ସ୍ଥାନରେ ପୋଡ଼ି ମାରି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଚନ୍ଦ୍ରଶେଖରଙ୍କ ପତ୍ନୀ ଓ ଦୁଇ ସାନ ଭାଇ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଇଥିଲା। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। କିନ୍ତୁ ଚନ୍ଦ୍ରଶେଖରଙ୍କ ଶବ ମିଳି ନଥିଲା। ତାଙ୍କ ଶବ ପୋଡ଼ିବା ପରେ ପଡ଼ିଥିବା ପାଉଁଶ ଜବତ କରାଯାଇଥିଲା ବୋଲି କୁହାଯାଇଥିଲା। କିନ୍ତୁ ଏହି ପାଉଁଶକୁ ଫରେନ୍ସିକ୍‌ ଯାଞ୍ଚ ପାଇଁ ପଠାଯାଇ ନଥିଲା। ଏଥିସହିତ ନିମ୍ନ ଅଦାଲତରେ ଶୁଣାଣି ବେଳେ ସାକ୍ଷୀଙ୍କ ବୟାନରେ ତାଳମେଳ ରହି ନଥିଲା ବୋଲି ଦର୍ଶାଇ ହାଇକୋର୍ଟରେ ଏହି ସବୁ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଆବେଦନକାରୀ ଜାମିନରେ ରହିଥିଲେ।

ସମ୍ବନ୍ଧିତ ଖବର