ଭୁବନେଶ୍ବର: କ୍ଷମତାରୁ ଗଲା ପରେ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଅଧିକ ଚର୍ଚ୍ଚାରେ ରହୁଛି। ସୁପରିଚାଳନା ପାଇଁ ଆଗକୁ ଆସିଥିବା ସପ୍ତରଥୀଙ୍କ ମଧ୍ୟରେ ଫାଟ ଏବେ ଦଳର ପରିଚାଳନାରେ ବଡ଼ ବିଭ୍ରାଟ ସୃଷ୍ଟି କରିଛି। ସବୁ ଚର୍ଚ୍ଚାରୁ ଏହି ଚର୍ଚ୍ଚା ବଳିଗଲାଣି। ବିଜେଡିରେ ଯୁବ-ଛାତ୍ର ସଭାପତି ନିଯୁକ୍ତି ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ବଢ଼ୁଥିବା ବେଳେ ସପ୍ତରଥୀଙ୍କ ହାବଭାବ ଏଥିରେ ନିଆଁ ଲଗାଇ ଦେଇଛି। 

Advertisment

ନିର୍ବାଚନ ପରାଜୟ ପରେ ଦ୍ବିତୀୟ କ୍ଷମତା କେନ୍ଦ୍ରକୁ ନେଇ ବିବାଦ ଉଠିଥିଲା। ଭି କେ ପାଣ୍ଡିଆନ, ନବୀନଙ୍କ ପାଖେ ପାଖେ ରହୁଥିଲେ ମଧ୍ୟ ସିଧାସଳଖ ରାଜନୈତିକ ଆଲୋଚନା କାହାରି ସହ କରୁ ନଥିଲେ। ଏହି ସମୟରେ ସାତ ଜଣ ଆଗ ଧାଡ଼ିର ନେତାଙ୍କୁ ଅଘୋଷିତ ଭାବେ ମୁଣ୍ଡିଆଳ ସଜାଯାଇଥିଲା। ସେମାନେ ହେଲେ ଦେବୀ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ପ୍ରତାପ ଦେବ, ପ୍ରଣବପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ। ସାଂଗଠନିକ ଅନୁଭବ ଦୃଷ୍ଟିରୁ ଏମାନେ ନୂଆ ମାମ୍‌ଲତିକାର ସାଜିଥିଲେ। ବିଭିନ୍ନ ସ୍ଥାନରେ ଏକାଠି ବସି ଦଳୀୟ ନିଷ୍ପତ୍ତି ନେବାରେ ବଡ଼ ଭୂମିକା ନେଉଥିଲେ।
କିନ୍ତୁ ଘଟଣାକ୍ରମରେ ଏମାନଙ୍କର କାହାରି ସହିତ କାହାର ପଡ଼ୁନି। ପରସ୍ପର ଭିତରେ ସନ୍ଦେହ ଓ ଅବିଶ୍ବାସର ବାତାବରଣ ବଢ଼ି ଯାଇଛି। ସମସ୍ତଙ୍କ ଆଭିମୁଖ୍ୟ ବି ଭିନ୍ନ ଭିନ୍ନ ରହୁଛି। ପ୍ରଥମତଃ ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି)କୁ ନେଇ ସପ୍ତରଥୀଙ୍କ ଭିତରେ ବଡ଼ ଫାଟ ସୃଷ୍ଟି ହୋଇଥିଲା। 

ସୁପରିଚାଳନା ପାଇଁ ଏକାଠି ହୋଇଥିଲେ
ଏବେ କେହି କାହା ମୁହଁ ଚାହୁଁନାହାନ୍ତି
ଯୁବ-ଛାତ୍ର ଅସନ୍ତୋଷରେ ଧରାଦେଉନାହାନ୍ତି

ଅପେକ୍ଷାକୃତ ଅନଭିଜ୍ଞ ନେତାଙ୍କୁ ପିଏସିରେ ରଖାଯାଇଥିଲା। ପିଏସି ଯେ ଏକ ସାଇନ୍‌ବୋର୍ଡ ସଂସ୍ଥା, ତାହା ଜଳଜଳ ହୋଇ ଦେଖାଗଲା। ଏଥିରେ ସପ୍ତରଥୀଙ୍କ ମଧ୍ୟରୁ କେବଳ ସଞ୍ଜୟ ଦାସବର୍ମା ଓ ପ୍ରଣବପ୍ରକାଶ ଦାସ ସ୍ଥାନ ପାଇଲେ। ଏହା ପରଠାରୁ ଏହି ସାତ ଜଣ ଏକାଠି ହୋଇ ଦଳର କୌଣସି ନିଷ୍ପତ୍ତି ନେବା କିମ୍ବା ‘କ୍ରାଇସିସ୍‌ ମ୍ୟାନେଜ୍‌’ କରିବା ଦେଖିବାକୁ ମିଳୁ ନାହିଁ। ପ୍ରତାପ ଦେବ କେଉଁଥିରେ ସଂପୃକ୍ତ ହେଉ ନାହାନ୍ତି। ଯଦିଓ ସେ ସାଂଗଠନିକ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଥିଲେ, ତାହା ପରେ ତାଙ୍କୁ ଅନ୍ୟାନ୍ୟ ଦଳୀୟ ରଣନୀତିରେ ଦେଖିବାକୁ ମିଳୁନି। ସେ ନିଜକୁ ସବୁଥିରୁ ଯଥେଷ୍ଟ ଦୂରରେ ରଖୁଛନ୍ତି। ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ଉପସଭାପତି ପ୍ରତାପ ଜେନାଙ୍କୁ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି। କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରେ ସମନ୍ବୟ ନାହିଁ। ଶ୍ରୀ ମିଶ୍ରଙ୍କୁ ଅଧିକାଂଶ ସମୟରେ ଶଙ୍ଖ ଭବନରେ ଦେଖିବାକୁ ମିଳୁଛି। କିନ୍ତୁ ଦଳର କୌଣସି ନିଷ୍ପତ୍ତିରେ ତାଙ୍କର କିଛି ଭୂମିକା ରହୁ ନାହିଁ। ପ୍ରଣବ ପ୍ରକାଶ ଦାସ ପୂର୍ବ ପରି ନିଜର ହାକିମାତି କରିବାକୁ ଉଦ୍ୟମ କରୁଥିଲେ ହେଁ ତାହା ସଫଳ ହୋଇ ନାହିଁ। ତାଙ୍କ ନେତୃତ୍ବକୁ ବିଜେଡିର ବଡ଼ ଗୋଷ୍ଠୀ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଉପରକୁ ପ୍ରସନ୍ନ ଦିଶୁଥିଲେ ମଧ୍ୟ ଦଳର ଅନେକ ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ଜାହିର କରୁଥିବା କୁହାଯାଉଛି। 
ସେମିତି ଅରୁଣ ସାହୁ ନିଜ ବାଟରେ ରାଜନୀତି କରୁଛନ୍ତି। ଏବେ ପାଣ୍ଡିଆନ ବିରୋଧୀ ଭାବେ ସେ ଦଳରେ ଉଭା ହୋଇଛନ୍ତି। ଫଳରେ ଅରୁଣଙ୍କୁ ନେଇ ଦଳର ଆଭ୍ୟନ୍ତରୀଣ ରାଜନୀତିରେ ଛକାପଞ୍ଝା ଚାଲିଛି। କିନ୍ତୁ ଅତନୁ ସବ୍ୟସାଚୀ ଠିକ୍ ବିପରୀତ ଢଙ୍ଗରେ ତାଙ୍କର ଗୋଟି ଚାଳନା କରୁଛନ୍ତି। ପାଣ୍ଡିଆନ ଦମ୍ପତିଙ୍କ ରାଜନୈତିକ ଉତ୍‌ଥାନ ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ସେ ଓକିଲାତି କରୁଥିବା ଦେଖିବାକୁ ମିଳୁଛି। ସଞ୍ଜୟ ଦାସବର୍ମାଙ୍କର ବି ଅନ୍ୟମାନଙ୍କ ସହ ତାଳମେଳ ଠିକ୍ ରହୁନି। ସେ ସବୁ ପଟୁ ନିଜକୁ ନିରାପଦ ଦୂରତ୍ବରେ ରଖି ସିଧାସଳଖ କେଉଁ ପ୍ରସଙ୍ଗରେ ମୁଣ୍ଡ ଖେଳାଉ ନାହାନ୍ତି। 

ଏବେ ଯୁବ ଓ ଛାତ୍ର ଶାଖାରେ ସଭାପତି ନିଯୁକ୍ତି ନେଇ ବିବାଦ ଦେଖାଦେଇଛି। ଅସନ୍ତୁଷ୍ଟ ଯୁବ ନେତାମାନେ ମେଳି କରି ଏହି ସପ୍ତରଥୀଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ ହେଁ ତାହା ସଫଳ ହେଉ ନାହିଁ। ଜଣଙ୍କୁ ଭେଟି ଅସନ୍ତୋଷ ଜଣାଇଲା ବେଳେ ଅନ୍ୟ ଜଣେ ଧରାଛୁଆଁ ଦେଉନାହାନ୍ତି। ସମସ୍ତେ କହୁଛନ୍ତି ନିଯୁକ୍ତି ବେଳେ ସେମାନଙ୍କ ସହ ପରାମର୍ଶ କରାଯାଇନାହିଁ। ଏଣୁ ସେମାନେ ମୁଣ୍ଡ ଖେଳାଇବେ ନାହିଁ। ସଭାପତି ନିଯୁକ୍ତି ନେଇ କୁହୁଳୁଥିବା ଅସନ୍ତୋଷକୁ ଥମାଇବା ପାଇଁ ପ୍ରଣବ ପ୍ରକାଶଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ତାଙ୍କର କା‌ଟ୍‌ତି ଆଉ ଆଗ ଭଳି ନଥିବାରୁ ସେ ବୁଝାଇଲେ ମଧ୍ୟ କେହି ବୁଝୁନାହାନ୍ତି।  
ଏମିତି ଏକ ତ୍ରିଶଙ୍କୁ ପରିସ୍ଥିତିରେ ଦଳର ପରିଚାଳନାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପିଏସି ଗଠନ କରାଯାଇଥିଲେ ବି ତାହା ବିଶେଷ ଫଳପ୍ରଦ ହେଉ ନାହିଁ। ଏପଟେ ବିଧାୟକମାନଙ୍କୁ ଦଳରେ ସେତେଟା ଗୁରୁତ୍ବ ଦିଆଯାଉ ନଥିବାରୁ ଏହାକୁ ନେଇ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହେଲାଣି। ଏବେ ନବୀନ ନେତାମାନଙ୍କୁ ଡାକି ଆଲୋଚନା କରୁଛନ୍ତି ସତ। ହେଲେ ଦଳର ଦୈନନ୍ଦିନ ବ୍ୟାପାର ଦେଖିବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ପୂର୍ବରୁ ଦଳରେ ବିବାଦ ଦେଖାଦେଉଥିଲେ, କ୍ଷମତାରେ ଥିବାରୁ ତାହାର ସମାଧାନ କରିବା ସହଜ ହେଉଥିଲା। କିନ୍ତୁ ଏବେ ବିରୋଧୀ ଦଳକୁ ଆସିଲା ପରେ ଚିତ୍ର ବଦଳି ଯାଇଛି।