କଂଗ୍ରେସ ଦଳକୁ ପୁରୁଣା ନେତାଙ୍କ ଘର ବାହୁଡ଼ା : ବିଜେଡି, ବିଜେପିରୁ ବି ମିଶିଲେ କିଛି ନେତା, କର୍ମୀ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ଦଳ ଛାଡ଼ିଥିବା ଶତାଧିକ ପୁରୁଣା ନେତା, କର୍ମୀଙ୍କ ଘର ବାହୁଡ଼ା ଦେଖିବାକୁ ମିଳିଛି। ଏହା ସହିତ ବିଜେଡି, ବିଜେପିରୁ ମଧ୍ୟ କିଛି ନେତା, କର୍ମୀ ଆସି ହାତ ଧରିଛନ୍ତି। ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଏହା ହେଉଛି ବଡ଼ ଧରଣର ମିଶ୍ରଣ ପର୍ବ। ଏଭଳି ପର୍ବରେ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନ୍ୟ ଦଳରୁ ଆହୁରି ବିଶିଷ୍ଟ ନେତାମାନେ କଂଗ୍ରେସର ହାତ ଧରିବେ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ଆଜି ଅପରାହ୍ଣ ୪ଟା ବେଳକୁ କଂଗ୍ରେସ ଭବନ ଲୋକାରଣ୍ୟ ହୋଇପଡ଼ିଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ କଂଗ୍ରେସ କର୍ମୀ, ନେତାଙ୍କ ଭିଡ଼ ଜମିଥିଲା। ଭବନର ସଭାକକ୍ଷରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶ୍ରୀ ପଟ୍ଟନାୟକ, ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, କାର୍ଯ୍ୟକାରୀ ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ଏଆଇସିସି କର୍ମକର୍ତାମାନଙ୍କ ଉପସ୍ଥିତିରେ ଚାଲିଥିଲା ମିଶ୍ରଣ ପର୍ବ। କଂଗ୍ରେସ ଦଳକୁ ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ସରସ୍ୱତୀ ହେମ୍ବ୍ରମ, ବିଜେଡି ନେତା ଅଶୋକ ସାମଲ ପ୍ରମୁଖ ସେମାନଙ୍କର ସମର୍ଥକମାନଙ୍କୁ ନେଇ ଫେରିଛନ୍ତିି। ନେତା, କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ କଂଗ୍ରେସ ଦଳକୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ ପ୍ରଭାରୀ ଶ୍ରୀ ସିଂହ ଓ ଶ୍ରୀ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ, ମୁଖ୍ୟତଃ କଂଗ୍ରେସ ପରିବାର ଛାଡ଼ିଥିବା ନେତା, କର୍ମୀମାନଙ୍କ ଏହା ଘରବାହୁଡ଼ା। କଂଗ୍ରେସ ପରିବାରରେ ଅନେକ ନେତା, କର୍ମୀ ଯୋଗ ଦେଇଥିବାରୁ ଦଳ ଆହୁରି ସୁଦୃଢ଼ ହେବ ବୋଲି ପ୍ରଭାରୀ ଶ୍ରୀ ସିଂହ କହିଥିଲେ।

ତୃଣମୂଳ କଂଗ୍ରେସର ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ୧୩ଜଣ ରାଜ୍ୟ ପରିଷଦ ସଭ୍ୟଙ୍କ ସମସ୍ତ କର୍ମୀ ଦଳବଦ୍ଧ ଭାବେ କଂଗ୍ରେସରେ ମିଶିଥିଲେ। ସେହିପରି ବିଜେପୁର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ପଣ୍ଡା, ବିବେକାନନ୍ଦ ପାତ୍ର, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ହରିଶ୍ଚନ୍ଦ୍ର ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଅମୃତମଣୀ ଗ୍ରାମ ପଞ୍ଚାୟତ ସମିତିର ପୂର୍ବତନ ସରପଞ୍ଚ କୁଳମଣି ମଲ୍ଲିକ, ଢେଙ୍କାନାଳର ପ୍ରଦୀପ କୁମାର ପଟ୍ଟନାୟକ, ଜିଏମ୍‌ଆର କ୍ଷତିଗ୍ରସ୍ତ ପ୍ରଜା ମହାସଂଘ ସଭାପତି ବୈଜ୍ଞାନିକ ସରୋଜ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସନ୍ଦିପ୍ତ ମିଶ୍ର, ପ୍ରଦୀପ୍ତ ମିଶ୍ର, ପୂର୍ବତନ ସରପଞ୍ଚ ବିଶ୍ୱନାଥ ପଢ଼ିଆରୀ, ଅକ୍ଷୟ କୁମାର ମିଶ୍ର, ଜୟକୃଷ୍ଣ ପଟ୍ଟନାୟକ, ବିମ୍ବାଧର ଧଳ, ଭରତ ଚନ୍ଦ୍ର ସାମଲ, ସନାତନ ସାହୁ, ଚୈତନ୍ୟ ସାହୁ, କୈଳାସ ନାଥ ମହାପାତ୍ର, ରଶ୍ମୀରଂଜନ ବାରିକ, ଦୁଃଖୀଶ୍ୟାମ ଦାସ, ନିର୍ମଳ କୁମାର ସିଂହ, ରବୀନ୍ଦ୍ର କୁମାର ମହାନ୍ତି, ପ୍ରକାଶ କୁମାର ମହାନ୍ତି, ସୁବ୍ରତ ଚୌଧୁରୀ, ଲକ୍ଷ୍ମଣ ସିଂହ, ହିମାଂଶୁ ପ୍ରଧାନ, ରଘୁନାଥ ମଲ୍ଲିକ, ମଦନ ମୋହନ ଜେନା, ବିଶ୍ୱପ୍ରକାଶ ରାଉତ, ଶୁଭେନ୍ଦୁ ପରିଡ଼ା ପ୍ରମୁଖ କଂଗ୍ରେସରେ ସାମିଲ ହୋଇଥିଲେ। କିଛି ବିଜେପି ଓ ବିଜେଡି କର୍ମୀ, କିଛି ପୂର୍ବତନ ସରପଞ୍ଚ କଂଗ୍ରେସ ଦଳରେ ସାମିଲ ହୋଇଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ। କଂଗ୍ରେସକୁ ଫେରିଥିବା ସମସ୍ତ ନେତା, କର୍ମୀମାନେ ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିବା ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର