ଭୁବନେଶ୍ବର: ଜନସାଧାରଣଙ୍କୁ ବିଦ୍ୟୁତ୍  ବିତରଣ ସେବାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ‌ଲୋକମାନଙ୍କୁ ସେମାନଙ୍କର ଚାହିଦା ମୁତାବକ ବିଦ୍ୟୁତ୍ ବିତରଣ ନକରି ଶୋଷଣ କରିବା ସହିତ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯାଉଛି ବୋଲି ପୂର୍ବତନ ଓଇଆରସିର ସଦସ୍ୟ ବିସି ଜେନା ପ୍ରଶ୍ନ କରିଥିଲେ।  ଶ୍ରୀ‌ ଜେନା  ଟିପିସିଓଡିଏଲର ବିଦ୍ୟୁତ୍ ବିତରଣ ଅବ୍ୟବସ୍ଥାକୁ ନେଇ କରିଥିବା ଟିପ୍ପଣୀ ଉପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତଦନ୍ତ କରି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଶ୍ରୀ ଜେନା ୨୨ଟି ବିନ୍ଦୁରେ ଟିପିସିଓଡିଏଲର ବିଦ୍ୟୁତ  ବିତରଣ ସେବାରେ ଦେଖାଦେଇଥିବା ଘୋର ଅବ୍ୟବସ୍ଥା  ଓ ବେଆଇନ କାରବାର ଉପରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ, ସଂଶୋଧିତ ନୀତି ଅନୁଯାୟୀ ୪ଟି ଜୋନ୍‌କୁ ଗୋଟିଏ ଘରୋଇ କମ୍ପାନି ହାତରେ ଟେକି ଦିଆ ନଯାଉ। ଏବେ ନିୟମିତ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍‌ କାଟ୍ କରାଯାଉଛି। ଫ୍ୟୁଜ୍ କଲ୍ ସେଣ୍ଟର୍ ଟେଲିଫୋନ୍‌କୁ ଅନ୍ୟ କାମରେ ବିନିଯୋଗ କରାଯାଉଛି। ବିଦ୍ୟୁତ୍‌ ବିଭ୍ରାଟ ସମ୍ପର୍କରେ ଉପଭୋକ୍ତାଙ୍କର କଥାକୁ ଗୁରୁତ୍ବ ଦିଆଯାଉନାହିଁ। ସେକ୍ସନର ମୁ୍‌ଖ୍ୟ ଉପଭୋକ୍ତାଙ୍କ ନିକଟରେ ଉତ୍ତରଦାୟୀ‌ ହେଉନାହାନ୍ତି। ଲୋକମାନଙ୍କର ଅସୁବିଧା କେହି ଶୁଣୁନାହାନ୍ତି। ନୂଆ ସଂଯୋଗ ମଧ୍ୟ ମାସମାସ ବିଳମ୍ବ ହେଉଛି। ସିଙ୍ଗିଲ୍ ଫେଜ୍‌କୁ ଉନ୍ନତୀକରଣ ପାଇଁ ଉପଭୋକ୍ତାମାନଙ୍କ ଉପରେ ଚାପ ପକାଯାଉଛି। ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଓ ନୂ୍ଆ ସଂଯୋଗ ସେକ୍ସନ୍ ଅଧିକାରୀଙ୍କ ମର୍ଜିରେ‌ ହେଉଛି। ବିଦ୍ୟୁତ୍‌ ଲାଇନ୍ ଓ ସବ୍‌ଷ୍ଟେସନ୍ ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଲୋ ଭୋଟେଜ୍  ହେବା ସହିତ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଯୋଗୁଁ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଲ୍‌ଟି ଭିତ୍ତିଭୂମିରେ ଉନ୍ନତୀକରଣ କରାଯାଉନାହିଁ।  ବିଭାଗଗୁଡ଼ିକରେ ବହୁ ଅନାବଶ୍ୟକ ପଦପଦବି ସୃଷ୍ଟି କରି ବ୍ୟାପକ ଅର୍ଥ ଅପବ୍ୟୟ କରାଯାଉଛି। ଯାହାକି ବୋର୍ଡ଼ର ଅନୁମୋଦନ କରାଯାଇନାହିଁ।

ଏପରିକି ଟାଟା ପାୱାର ଅନୁମୋଦନ କରିଥିବା ଅଧିକାରୀଙ୍କ ଦରମା ପୂର୍ବରୁ ସରକାରଙ୍କ ଅଧୀନରେ ଥିବା ବରିଷ୍ଠ  ଓ ଅଭିଜ୍ଞ ଅଧିକାରୀଙ୍କ ଠାରୁ ଅଧିକ। ସରକାରଙ୍କ ପୁରୁଣା କର୍ମଚାରୀଙ୍କୁ  ଅଣଦେଖା କରାଯାଉଛି। ସରକାରଙ୍କ ବିଭିନ୍ନ ଯୋଜନା  ପ୍ରଣୟନଠାରୁ ଆରମ୍ଭ କରି ସାମଗ୍ରୀ କ୍ରୟ ଓ ବିନିଯୋଗରେ ଆଇନକୁ ଉଲ୍ଲଂଘନ କରାଯାଉଛି। ତୃଣମୂଳର କର୍ମଚାରୀଙ୍କ ମତାମତ ନଦେଇ ଅଧିକାରୀମାନେ ମନମୁଖୀ ନିଷ୍ପତି ନେଉଉନ୍ତି। ସାମଗ୍ରୀ କିଣିବାରେ ଟେଣ୍ଡର୍ ନିୟମକୁ ଉଲ୍ଲଂଘନ କରାଯାଇଛି। ଏଚପିଏଲ୍‌ ମିଟରରେ ଅଧିକ ବିଲ୍ ହେଉଥିବାର ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ଏହି ମିଟର କ୍ରୟରେ ଟାଟା ପାୱାର ନିୟମ ଅନୁସରଣ କରିନାହାଁନ୍ତି। ପୁନଥଇଥାନ ନୀତି ସରକାର ଅନୁସରଣ କରୁଥିବା ବେଳେ କମ୍ପାନିଗୁଡ଼ିକ ଅନୁସରଣ କରୁନାହାନ୍ତି। କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାରର ଥଇଥାନ କରାଯାଉନାହିଁ।  ବର୍ତ୍ତମାନ ସ୍ଥିତିକୁ ଲକ୍ଷ୍ୟ କରି  ଟାରିଫ୍ ନିୟମ, ଲାଭାଂଶଗୁଡ଼ିକ କ୍ଷେତ୍ରରେ  ଅଡିଟ୍ କରି  ନିଷ୍ପତ୍ତି ଆବଶ୍ୟକ। ଗ୍ରିଡ଼କୋ ଦ୍ବାରା ବିଦ୍ୟୁତ କ୍ରୟ ଚୁକ୍ତିନାମା(ପିପିଏ) କରାଯାଉଥିବା ବେଳେ ସେଥିରେ ମଧ୍ୟ ନିୟମକୁ ଉଲ୍ଲଂଘନ କରାଯାଇଛି। ଓଡ଼ିଶାର ବିଦ୍ୟୁତ୍‌ ସଂସ୍କାରକୁ ଅନ୍ୟ ରାଜ୍ୟମାନେ ଗୁରୁତ୍ବ ଦେଉଥିବା ବେଳେ ଆମ ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ଓ ବେଆଇନ୍ କାରବାର ସମୀକ୍ଷା କରି ପଦକ୍ଷେପ ନେବାକୁ ଶ୍ରୀ ଜେନା ତାଙ୍କ ଚିଠିରେ ଦୃଷ୍ଟି ଆକର୍ଷଣ କରିଥିଲେ।