ଶିମିଳିପାଳରେ ଘୋର ଜଳ ସଙ୍କଟ: ଶୋଷରେ ଆଉଟୁପାଉଟୁ ବନ୍ୟଜନ୍ତୁ

ଜଳଉତ୍ସ ଟଙ୍କା ଖର୍ଚ୍ଚ ହେଉଛି କେଉଁଠି?

ବାରିପଦ‌ା: ଏପ୍ରିଲ ମାସରୁ ଶିମିଳିପାଳରେ ଜଳକଷ୍ଟ ଲାଗିରହିଛି। ପ୍ରଚଣ୍ଡ ଖରା ଯୋଗୁ ଜଙ୍ଗଲର ଅଧିକାଂଶ ପ୍ରାକୃତିକ ଜଳଉତ୍ସ ଶୁଖିଯାଇଛି। ଫଳରେ ୩ ମାସ ହେଲା ଜଙ୍ଗଲରେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଜୀବଜନ୍ତୁ। ହେଲେ ବନ୍ୟଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ଶିମିଳିପାଳରେ ବିକଳ୍ପ ଜଳଉତ୍ସର ବ୍ୟବସ୍ଥା କରାଯାଇନାହିଁ। ଯାହାଫଳରେ ପାଣି ପିଇବାକୁ ଜନବସତି ପାଖକୁ ଆସି ଅକାଳ‌ରେ ନିରୀହ ଜନ୍ତୁମାନଙ୍କର ଜୀବନ ଯାଉଛି। ଏମିତିକି ପାଣି ପାଇଁ ଜଙ୍ଗଲ ଛାଡ଼ୁଥିବା ହାତୀ ଭଳି ବିଶାଳ ଜନ୍ତୁଙ୍କ ପାଇଁ ବ୍ୟାପକ ଧନଜୀବନ ମଧ୍ୟ ନଷ୍ଟ ହେଉଛି। ତଥାପି ହେଜୁନି ବନ ବିଭାଗ। ତେବେ ଖରା ଦିନେ ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ତିଆରି ନିମନ୍ତେ ପ୍ରତିବର୍ଷ ଆସୁଥିବା ଟଙ୍କା ଯାଉଛି କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ୍‌।

ନିକଟରେ ଏକ ବିଶେଷଜ୍ଞ ଟିମ୍ ଶିମିଳିପାଳକୁ ଯାଇ ଜଳଉତ୍ସର ସ୍ଥିତି ଅନୁଧ୍ୟାନ କରିଥିଲା। ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପର୍ଯ୍ୟାପ୍ତ ପାଣି ନଥିବା ଏବଂ ଶୋଷ ମେଣ୍ଟାଇବାକୁ ସେମାନେ ବାଧ୍ୟ ହୋଇ ଜଙ୍ଗଲ ଛାଡ଼ୁଥିବା ଏହି ଟିମ୍‌ର ସଦସ୍ୟମାନେ ମତପ୍ରଦାନ କରିଛନ୍ତି। ଏ ସଂପର୍କରେ ସେମାନେ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରିଛନ୍ତି। ଉକ୍ତ ଟିମ୍‌ର ରିପୋର୍ଟ ଅନୁଯାୟୀ, ଶିମିଳିପାଳର ଅଧିକାଂଶ ଚିରସ୍ରୋତା ଝରଣା ଏଥର ଖରାଦିନେ ସମ୍ପୂର୍ଣ୍ଣ ଶୁଖିଯାଇଛି। ଶିମିଳିପାଳର ଅନ୍ୟତମ ମନୋରମ ସ୍ଥାନ ସୀତାକୁଣ୍ଡର କଳକଳ ନାଦ ବି ଆଉ ଶୁଭୁନି। ସୀତାକୁଣ୍ଡର ଜଳଧାର ଉପରେ ଅଧିକାଂଶ ବନ୍ୟଜନ୍ତୁ ନିର୍ଭର କରିଥାନ୍ତି। ହେଲେ ଚଳିତବର୍ଷ ଏଠାରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପଥର ଖୋଲରୁ ବାହାରିଥିବା ଚିରସ୍ରୋତା ସୀତାକୁଣ୍ଡର ଝରଣା ଶୁଖିବାକୁ ବସିଛି। ଶିମିଳିପାଳରେ ବଡ଼ବଡ଼ ଜଳପ୍ରପାତକୁ ଛାଡ଼ିଦେଲେ ସୀତାକୁଣ୍ଡ ପରି ରହିଥିବା ୩୦ରୁ ଊର୍ଦ୍ଧ୍ବ ଜଳଉତ୍ସ ଶୁଖିଯିବା ପଛରେ ସ୍ବଳ୍ପ ବୃଷ୍ଟିପାତ ହିଁ ମୁଖ୍ୟ କାରଣ ବୋଲି ଗବେଷକମାନେ ମତ ଦେଇଛନ୍ତି। ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ, ପଳପଳା, ଖଇରୀଭଣ୍ଡନ, ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ଢ଼େର କମିଯାଇଛି। ତେବେ ଏହି ୪ଟି ନଦୀ ଯୋଗୁ କୌଣସିମତେ ବନ୍ୟଜନ୍ତୁ ଜୀବନ ବଞ୍ଚାଇ ପାରୁଛନ୍ତି।

ଜଙ୍ଗଲରେ ପ୍ରାକୃତିକ ଜଳଉତ୍ସର ବିକଳ୍ପ ବ୍ୟବସ୍ଥା ନଥିବାରୁ ବନ ବିଭାଗକୁ ଦାୟୀ କରିଛନ୍ତି ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ। ଖରାଦିନେ ଜଙ୍ଗଲରେ ଛୋଟ ଛୋଟ ପୋଖରୀ ଖନନ ପାଇଁ ପର୍ଯ୍ୟାପ୍ତ ଟଙ୍କା ଆସୁଛି। ଏଥିସହ ପୁରୁଣା ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ଅନୁଦାନ ବ୍ୟବସ୍ଥା ରହିଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ଶେଷଥର ପାଇଁ ୨୦୧୭ ମସିହାରେ ଶିମିଳିପାଳରେ ଏଭଳି ଜଳ ସଙ୍କଟ ଦେଖା ଦେଇଥିଲା। ସରକାର ଏହାକୁ ଗୁରୁତ୍ବର ସହ ନେଇ ବିକଳ୍ପ ବ୍ୟବସ୍ଥା ସ୍ବରୂପ ନୂଆ ଜଳଉତ୍ସ ଖନନ କରିଥିଲେ। ତେବେ ଗତ ୬ ବର୍ଷ ଭିତରେ ଏ ଦିଗରେ ବିଶେଷ ପଦକ୍ଷେପ ନିଆଯାଇନାହିଁ। ଏହାଛଡ଼ା ଶିମିଳିପାଳ ଭଳି ଘଞ୍ଚ ଜଙ୍ଗଲ ଓ ବିଶାଳ ଜୈବମଣ୍ଡଳରେ ଖରାଦିନେ କାହିଁକି ଚିରସ୍ରୋତା ଝରଣାଗୁଡ଼ିକ ଶୁଖିଯାଉଛି, ତାହା ଉପରେ ଗବେଷଣା ହେବା ଜରୁରୀ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ବନ୍ୟଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ଶିମିଳିପାଳରେ ଆବଶ୍ୟକ ଅନୁଯାୟୀ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ।

ସମ୍ବନ୍ଧିତ ଖବର