ସ୍ବେରେଜ ବୋର୍ଡ କର୍ମଚାରୀଙ୍କ ଅବସର ବୟସ ୬୦: ହାଇକୋର୍ଟ

୫୮ରେ ଅବସର ପାଇଁ ବୋର୍ଡର ନୋଟିସ୍‌ ରଦ୍ଦ

କଟକ: ସରକାରୀ କର୍ମଚାରୀଙ୍କ ଭଳି ‌ସ୍ବେରେଜ ବୋର୍ଡ କର୍ମଚାରୀ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ୫୮ ବର୍ଷ ବୟସରେ ଅବସର ଗ୍ରହଣ ପାଇଁ ଆବେଦନକାରୀ କର୍ମଚାରୀଙ୍କୁ ‌ସ୍ବେରେଜ‌ ବୋର୍ଡ ପକ୍ଷରୁ ୨୦୧୯ରେ ଜାରି କରାଯାଇଥିବା ନୋଟିସକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ଅବସର ବୟସ ୬୦ ବର୍ଷ ବୋଲି ଗ୍ରହଣ କରାଯାଇ ତାଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଆଇନ ଅନୁସାରେ ୪ ମାସ ଭିତରେ ପୁନଃ ନିର୍ଦ୍ଧାରଣ କରାଯିବ। ଏ ବାବଦ ଅର୍ଥ ୭ ପ୍ରତିଶତ ସୁଧ ସହିତ ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବିଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଶୋକ କୁମାର ଦାଶ ଓ ଅନ୍ୟମାନଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଆବେଦନକାରୀମାନେ ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ ବୋର୍ଡ ଅଧୀନରେ ବରିଷ୍ଠ ଷ୍ଟେନୋଗ୍ରାଫର୍‌, ରିସେପ୍‌ସନିଷ୍ଟ୍‌ ଓ ସିନିୟର୍‌ ଏକଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୧୯, ମାର୍ଚ ୨୯ରେ ସେମାନଙ୍କୁ ୫୮ ବର୍ଷ ବୟସରେ ଅବସର ଗ୍ରହଣ ପାଇଁ ନୋଟିସ୍ ଜାରି କରାଯାଇଥିଲା। ଓଡ଼ିଶା ୱାଟର ସପ୍ଲାଏ ଆଣ୍ଡ ସ୍ବେରେଜ ବୋର୍ଡ ଆଇନ, ୧୯୯୧ ଅନୁସାରେ ସ୍ବେରେଜ ବୋର୍ଡ ଗଠନ କରାଯାଇଥିବା ବେଳେ ବୋର୍ଡର କର୍ମଚାରୀଙ୍କ ଚାକିରି ପ୍ରସଂଗ ନେଇ କୌଣସି ସ୍ବତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇ ନଥିଲା। ବୋର୍ଡର କର୍ମଚାରୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସହିତ ସମାନ ଭାବେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇଥିଲେ। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ରହିଥିବା ନିୟମାବଳୀ ବୋର୍ଡ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହୋଇଥିଲା।

୨୦୧୪, ଜୁନ୍ ୨୮ରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୫୮ରୁ ୬୦ ବର୍ଷକୁ ବୃଦ୍ଧି କରାଯାଇଥିଲା। ୨୦୧୪, ଅଗଷ୍ଟ ୨୬ରେ ବୋର୍ଡ ପକ୍ଷରୁ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷକୁ ବୃଦ୍ଧି ପ୍ରସଂଗରେ ସରକାରଙ୍କୁ ଚିଠି ଲେଖାଯାଇଥିଲା। ୨୦୧୫, aମାର୍ଚ୍ଚ ୨୩ରେ ସ୍ବେରେଜ ବୋର୍ଡ ବୈଠକରେ କର୍ମଚାରୀଙ୍କ ଅବସର ବୟସ ତୁରନ୍ତ ୬୦ ବର୍ଷକୁ ବୃଦ୍ଧି ପାଇଁ ନଷ୍ପତ୍ତି ନିଆଯିବା ସହିତ ସରକାରଙ୍କୁ ଏ ସଂପର୍କିତ ପ୍ରସ୍ତାବ ପଠାଯାଇଥିଲା। ଅବସର ବୟସ ୬୦ ବର୍ଷକୁ ବୃଦ୍ଧି ଯୋଗୁଁ ପଡ଼ିବାକୁ ଥିବା ଆର୍ଥିକ ପ୍ରଭାବ ସଂକ୍ରାନ୍ତରେ ଅର୍ଥ ବିଭାଗ ୨୦୧୯, ଅଗଷ୍ଟ ୨ରେ ସ୍ପଷ୍ଟୀକରଣ ଲୋଡ଼ିଥିବାବେଳେ ବୋର୍ଡ ପକ୍ଷରୁ ଉତ୍ତର ଦାଖଲ କରାଯାଇଥିଲା। ଅବସର ବୟସ ସୀମା ୬୦କୁ ବୃଦ୍ଧି ପ୍ରସଂଗ ବିଚାରାଧୀନ ଥିବାବେଳେ ସ୍ବରେଜ‌ ‌ବୋର୍ଡ ପକ୍ଷରୁ ୫୮ ବର୍ଷ ବୟସ ପୂରଣ କରୁଥିବା ଆବେଦନକାରୀଙ୍କୁ ଅବସର ଗ୍ରହଣ ପାଇଁ ନୋଟିସ୍ ଜାରି କରାଯାଇଥିଲା। ଏଭଳି ନୋଟିସକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପୃଥକ ମାମଲା ଦାୟର ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡିଆର୍‌ ପଟ୍ଟନାୟକ ଓ ଏନ୍‌ ବିଶ୍ବାଳ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର