କଟକ-ବିଦ୍ୟାଧରପୁର: ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟୀକରଣ ଆଳରେ କୋଟି କୋଟି ଟଙ୍କା ସ୍ବାହା ହେବାରେ ଲାଗିଛି। ପ୍ରାୟ ୯ ମାସ ହେଲା କାମ ଅଧାରୁ ବନ୍ଦ ଥିବାବେଳେ ଯେତିକି କାମ ହୋଇଛି, ତାହା ନଷ୍ଟ ହେବାରେ ଲାଗିଛି। ଯୋବ୍ରାଠାରୁ ନୂଆବଜାର ଓଭରବ୍ରିଜ ପର୍ଯ୍ୟନ୍ତ ୪ କିଲୋମିଟର ଉଭୟ ପାର୍ଶ୍ୱରେ ଜାପାନ ଟେକ୍ନୋଲୋଜିରେ ନିର୍ମିତ ସିମେଣ୍ଟ ଜିଓ କଂକ୍ରିଟ ସିନ୍ଥେଟିକ୍ ମ୍ୟାଟ୍ରେସ୍‌ ବିଛା କାମ ଅସମ୍ପୂର୍ଣ୍ଣ ରହିଛି। ଏହି ୪ କିଲୋମିଟର ସୌନ୍ଦର୍ଯ୍ୟୀକରଣ ପାଇଁ ୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ସହ ଦେଢ଼ କିଲୋମିଟର କେନାଲ ଶଯ୍ୟାକୁ କଂକ୍ରିଟ କରିବା ପାଇଁ ୪ କୋଟି ଟଙ୍କା ଟେଣ୍ଡର ହୋଇଛି। ଏହି କଂକ୍ରିଟି କାର୍ଯ୍ୟର ଦାୟିତ୍ବ ନେଇଛି ଓଡ଼ିଶା ନିର୍ମାଣ ନିଗମ। ଓଡ଼ିଶା ନିର୍ମାଣ ନିଗମ ମ୍ୟାନେଜର ପ୍ରଦୀପ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ ଯୋବ୍ରାଠାରୁ  ନୂଆବଜାର ପର୍ଯ୍ୟନ୍ତ ୬ଟି ସ୍ଥାନରେ ଡ୍ରେନ ପାଣି ସିଧାସଳଖ ତାଳଦଣ୍ଡା କେନାଲକୁ ଛଡ଼ାଯାଉଛି।

Advertisment

୯ ମାସ ହେଲା କାମ ବନ୍ଦ
ସିଧାସଳଖ ମିଶୁଛି ନର୍ଦ୍ଦମା ପାଣି

ଫଳରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଏତେ ଟଙ୍କା ଖର୍ଚ୍ଚ ହେଉଥିଲେ ବି ତାହା ନଷ୍ଟ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ଯୋବ୍ରାଠାରୁ ଦେଢ଼ କିଲୋମିଟର ରାଣୀହାଟ ପର୍ଯ୍ୟନ୍ତ ଜିଓ ମ୍ୟାଟ୍ରେସ୍ ଲଗାଇବାରେ ୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପରବର୍ତ୍ତୀ ସମୟରେ କେନାଲ ତଳ ୪ ଇଞ୍ଚ କଂକ୍ରିଟ୍‌ କରିବାକୁ  ୪ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଣୀହାଟଠାରୁ ୧୬ ନଂ ଜାତୀୟ ରାଜପଥ ବ୍ରିଜ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ଓ ସେଠାରୁ ନୂଆ ବଜାର ଓଭରବ୍ରିଜ ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ୱ ସୌନ୍ଦର୍ଯ୍ୟୀକରଣ, ପଙ୍କ, ଦଳ ସଫା କରି କଂକ୍ରିଟ କରିବାକୁ ମୁମ୍ବାଇର କମ୍ପାନି ସିଗିନେଟ୍ ଏନରଟେକ୍ ପ୍ରାଇଭେଟ୍ କମ୍ପାନିକୁ ଦେଢ଼ କିଲୋମିଟର ପାଇଁ ୨୭ କୋଟି ଏବଂ ଆଉ ୧ କିଲୋମିଟରରୁ ଅଧିକ କାମ ପାଇଁ ୨୦ କୋଟି ଟଙ୍କାର ଟେଣ୍ଡର ହୋଇଛି। 

ତଥ୍ୟ ଅନୁଯାୟୀ ଏଯାଏଁ ୩ କିଲୋମିଟର କାର୍ଯ୍ୟ ସରିଲାଣି। ପାଣି ବନ୍ଦ ହେଲେ ବାକିଥିବା ଏକ କିଲୋମିଟରରୁ ଅଧିକ କାମ ସଂପୂର୍ଣ୍ଣ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତେବେ ଏଯାଏଁ କେବଳ ଛତ୍ରବଜାର ପର୍ଯ୍ୟନ୍ତ ଶଯ୍ୟା କଂକ୍ରିଟ ହୋଇଥିବା କହିଛନ୍ତି ‌ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ। ଏନ୍ଏଚ୍ ୧୬ ପର୍ଯ୍ୟନ୍ତ କଂକ୍ରିଟ ହୋଇଥିବା ସଂପର୍କରେ ଯେଉଁ ତଥ୍ୟ ଦିଆଯାଉଛି, ତାହା ମିଛ ବୋଲି ଚିରଞ୍ଜୟ କହିଛନ୍ତି। ଏବେ ବି କେନାଲ ଭିତରେ ଥୁଣ୍ଟା ଗଛ, ପଥର ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପଡ଼ିଛି। ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ କାମ ସଂପୂର୍ଣ୍ଣ ହେବା ପୂର୍ବରୁ ତାହା କଳା ପଡ଼ିବା ଓ ସେଥିରେ ଘାସ ଉଠିବା ଯୋଗୁଁ କାମର ସ୍ଥାୟିତ୍ବକୁ ନେଇ ସନ୍ଦେହ ସୃଷ୍ଟି କରିଛି।