ଭୁବନେଶ୍ୱର: ବରମୁଣ୍ଡା ବାବା ସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍‌ଏବିଟି) ଓଡ଼ିଶାର ସବୁଠାରୁ ବଡ଼ ବସ୍‌ଷ୍ଟାଣ୍‌। ଦୈନିକ ୧୫୦୦ରୁ ଅଧିକ ରାଜ୍ୟ ଓ ଅନ୍ତଃରାଜ୍ୟ ବସ୍ ଏହିଠାରୁ ଚଳାଚଳ କରୁଛି। ଦୈନିକ ୨୦ହଜାରରୁ ଅଧିକ ଯାତ୍ରୀ ଏହି ବସ୍‌ଷ୍ଟାଣ୍ଡ୍‌ ଉପରେ ନିର୍ଭରଶୀଳ। ଅଥଚ ସ୍ଥିତି ବସ୍ତି ଅଞ୍ଚଳଠୁ ବି ହୀନ। ମାସାଧିକ ସମୟ ହେଲାଣି ବସ୍‌ଷ୍ଟାଣ୍ଡ୍‌ ପ୍ରବେଶ ପଥରେ ନର୍ଦ୍ଦମା ପାଣି ଭାସୁଛି। ସ୍ଥିତି ଏପରି ଯେ ଯାତ୍ରୀମାନେ ଯିବା ବେଳେ ନାକ ଟେକୁଛନ୍ତି, ନାକରେ କପଡ଼ା ଦେଇ ଯା’ଆସ କରୁଛନ୍ତି। ନର୍ଦ୍ଦମା ପାଣି ବସ୍‌ଷ୍ଟାଣ୍ଡ୍‌ ପ୍ରବେଶ ପଥରୁ ବାହାରି ଓଭରବ୍ରିଜ୍ ଦେଇ ଖଣ୍ଡଗିରି ରାସ୍ତାରେ ଭାସିଲାଣି। କିନ୍ତୁ ଏହି ବଡ଼ ବସ୍‌ଷ୍ଟାଣ୍ଡ୍‌ର ଚିତ୍ର ବଦଳାଇ ପାରୁନାହାନ୍ତି ସରକାର। ଅନୁସନ୍ଧାନରୁ ଜଣାପଡ଼ିଛି, ଏହା ପଛରେ ସମନ୍ବୟରେ ଘୋର ଅଭାବ ରହିଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ), ପୂର୍ତ୍ତ ବିଭାଗ, ବିଡିଏ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପରସ୍ପର ଦୋଷ ଠେଲାଠେଲି ଭିତରେ ନର୍ଦ୍ଦମାର ଏହି ସମସ୍ୟା ଝୁଲି ରହିଛି।

Advertisment

ସମନ୍ବୟ ଅଭାବରୁ ତୁଟୁନି ନାଳ ସମସ୍ୟା
ନାଳ ଜାମ୍ କରିଛି ଫୁଟ୍ ଓଭରବ୍ରିଜ୍ ଅବଶେଷ

ସେପଟେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଫୁଟ୍ ଓଭର୍‌ବ୍ରିଜ୍‌ ନିର୍ମାଣର ଭଗ୍ନାଂଶ ନାଳ ଉପରେ ଗଦାଇ ରଖିଛି। ଏଣୁ ଏହି ଭଗ୍ନାଂଶ ନାଳକୁ ଜାମ୍ କରି ରଖିଛି। କିନ୍ତୁ ବାରମ୍ବାର ଚିଠି ପରେ ବି ଏନ୍ଏଚ୍ଏଆଇ ଶୁଣୁନି କି କୌଣସି ପଦକ୍ଷେପ ନେଉନି। ଏଣୁ ସମସ୍ୟାର ସମାଧାନ ହୋଇପାରୁନି। ଫଳସ୍ବରୂପ ନାଳ ପାଣି ସେହିଭଳି ରାସ୍ତାରେ ଭାସୁଛି ଓ ଯାତ୍ରୀମାନେ ଦହଗଞ୍ଜ ହେଉଛନ୍ତି। ଦିନେ କି ମାସେ ନୁହେଁ, ତିନି ମାସରୁ ଅଧିକ ହେଲାଣି ନାଳପାଣି ଏହାର ପ୍ରବେଶ ପଥରେ ଭାସୁଛି। ମ୍ୟାନ୍‌ହୋଲ୍ ଚାମ୍ବର ଦେଇ ନର୍ଦ୍ଦମା ପାଣି ବାହାରକୁ ଆସି ରାସ୍ତାରେ ଭାସୁଛି ଓ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଉତ୍କଟ ଦୁର୍ଗନ୍ଧରେ ଏହି ବାଟ ଦେଇ ଯା’ଆସ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ତଥାପି ସଂପୃକ୍ତ ବିଭାଗମାନେ ନିଦାବିଷ୍ଣୁ ପରି ଚୁପ୍‌ ହୋଇ ବସିଛନ୍ତି। 

ବିଡିଏ ବସ୍‌ଷ୍ଟାଣ୍ଡ୍‌ ନବୀକରଣ କାମ କରିଥିଲା। କିନ୍ତୁ ଜାତୀୟ ରାଜପଥରୁ ବସ୍‌ଷ୍ଟାଣ୍ଡ୍‌କୁ ସଂଯୋଗ କରୁଥିବା ରାସ୍ତା ଓ ନାଳ ପୂର୍ତ୍ତ ବିଭାଗ(ଡିଭିଜନ୍-୫) କରିଥିଲା। ପୂର୍ତ୍ତ ବିଭାଗ ନାଳ ମରାମତି କରିବା କଥା। କିନ୍ତୁ ପୂର୍ତ୍ତ ବିଭାଗ ଏନ୍ଏଚ୍ଏଆଇ ଉପରେ ଦୋଷ ଲଦି ବସିଛି। ଏନ୍ଏଚ୍ଏଆଇ ମାଟି ପକାଇ ନାଳ ଜାମ୍ କରି ଦେଇଛି କହି ନାଳ ସମସ୍ୟାରେ ଆଉ ମୁଣ୍ଡ ଖେଳାଉନି। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଏହା ଆମର ନୁହେଁ କହି କରଛଡ଼ା ଦେଇଛନ୍ତି। ଏ ସଂପର୍କରେ ବରମୁଣ୍ଡା ବାବା ସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ ମ୍ୟାନେଜର ଇତିକାନ୍ତ ମହାପାତ୍ର କହିଛନ୍ତି, ନାଳ ସମସ୍ୟା ସଂପର୍କରେ ଆମେ ଏନ୍ଏଚ୍ଏଆଇ, ବିଡିଏ ଓ ବିଏମ୍‌ସିକୁ ଏକାଧିକ ଥର ଚିଠି ଲେଖି ସାରିଲୁଣି। କିନ୍ତୁ ସମସ୍ୟାର ସମାଧାନ ହୋଇପାରିନି। ଏହା ଆମର ନୁହେଁ, କହି ସମସ୍ତେ ହାତ ଟେକି ଦେଉଛନ୍ତି। ବିଡିଏ ନିର୍ବାହୀ ଯନ୍ତ୍ରୀ ଇଂ. ରାକେଶ କୁମାର ସାହୁ କହିଛନ୍ତି, ଯେହେତୁ ପୂର୍ତ୍ତ ବିଭାଗ ଏହି ନାଳ କାମ କରିଥିଲା, ଆମେ ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲୁ। କିନ୍ତୁ ଏନ୍ଏଚ୍ଏଆଇ ଫୁଟ୍ ଓଭରବ୍ରିଜ୍ ନିର୍ମାଣସ୍ଥଳରେ ନାଳକୁ ଜାମ୍ କରି ଦେଇଛି କହି ପୂର୍ତ୍ତ ବିଭାଗ ଶୁଣୁନି। ଏଣୁ ସମସ୍ୟାର ସମାଧାନ ହୋଇପାରୁନି।  ଏନ୍ଏଚ୍ଏଆଇକୁ ନାଳରୁ ଭଗ୍ନାଂଶ ଉଠାଇବା ସଂପର୍କରେ ଆମେ ଚିଠି ଲେଖିବୁ। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଇଂ. ସାହୁ କହିଛନ୍ତି।