ସିଲେଇ କେନ୍ଦ୍ର ଦେଇଛି ରୋଜଗାର, ୩୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି ରଞ୍ଜିତା

ଡାବୁଗାଁ, (ସଞ୍ଜୟ କୁମାର ପାଢ଼ୀ): ତାଲିମ ନେବା ପରେ ସିଲେଇ ଶିକ୍ଷକ ହୋଇ ୩୦ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରି ପାରିଛନ୍ତି। ନିଜେ ମଧ୍ୟ ସିଲେଇ କରି ବେଶ୍‌ ଦି ପଇସା ରୋଜଗାର କରିବା ସହିତ ପରିବାର ପ୍ରତିପୋଷଣ କରୁଛନ୍ତି। ଏଭଳି ଜଣେ ମହିଳା ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ହାଟପଦା ସାହିର ରଞ୍ଜିତା ପଟ୍ଟନାୟକ।

ଗରିବ ତଥା ମଧ୍ୟବିତ୍ତ ପରିବାରରୁ ଆସିଥିବା ରଞ୍ଜିତା ଦଶମ ଶ୍ରେଣୀରେ ପାସ୍‌ କରିବା ପରେ କୌଣସି କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ। ତେବେ ଛୋଟରୁ ସିଲେଇ ପ୍ରତି ଦୁର୍ବଳତା ରହିଥିଲା। ବାପା ଓ ମା’ଙ୍କ ପ୍ରେରଣାରେ ପ୍ରଥମେ ବ୍ରହ୍ମପୁର ଓ ପରେ କୋରାପୁଟରେ ସିଲେଇ ତାଲିମ ନେଇଥିଲେ। ଡାବୁଗାଁ ନିକଟସ୍ତ ମହେନ୍ଦ୍ରି ଗାଁରେ ବିବାହ କରିଥିବା ରଞ୍ଜିତା ସ୍ଵାମୀ, ଗୋଟିଏ ପୁଅ ଓ ଝିଅ ସହ ଡାବୁଗାଁ ହାଟପଦାରେ ବହ ବର୍ଷ ହେଲା ରହି ଆସୁଛନ୍ତି। ସ୍ଵାମୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ରୋଜଗାରରେ ପରିବାର ଚଳିବା କଷ୍ଟକର ହେଉଥିବାରୁ ରଞ୍ଜିତା ପ୍ରଥମେ ଏକ ସିଲେଇ ମେସିନ କିଣି ନିଜ ଘରେ ଛୋଟ ପିଲାଙ୍କ ପୋଷାକ ଓ ମହିଳାଙ୍କ ବ୍ଲାଉଜ୍‌ ଆଦି ସିଲେଇ କରିଥିଲେ। ସୁନ୍ଦର ଡିଜାଇନ୍ ସହ ଭଲ ସିଲେଇ କରୁଥିବାରୁ ସିଲେଇ ତାଲିମ ନିମନ୍ତେ ରଞ୍ଜିତାଙ୍କ ନିକଟରେ ବହୁ ମହିଳା ତାଲିମ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ସିଲେଇ ତାଲିମ ଦେବାକୁ ରଞ୍ଜିତା ପ୍ରଥମେ ସାହସ କରିପାରିନଥିଲେ। କିନ୍ତୁ ଆତ୍ମବିଶ୍ବାସ ଓ ଧୈର୍ଯ୍ୟ ନହରାଇ ସେ ଲୋନ୍‌ରେ ଦୁଇଟି ସିଲେଇ ମେସିନ୍‌ କିଣିଥିଲେ। ଏହାପରେ ଗୋଟିଏ ଛୋଟିଆ କୋଠରିରେ ୩୦ ଜଣ ମହିଳା ଓ ଯୁବତୀଙ୍କୁ ସିଲେଇ ତାଲିମ ଦେଇଥିଲେ।

ସିଲେଇ ପ୍ରଶିକ୍ଷଣ କୋଠାରି ଛୋଟ ଥିବାରୁ ଦିନ ମଧ୍ୟରେ ୪ଟି ପର୍ଯ୍ୟାୟରେ ମହିଳାମାନଙ୍କୁ ତାଲିମ ଦେଉଥିଲେ। କିନ୍ତୁ ଏଥିରେ ବହୁ ସମୟ ଅପଚୟ ହେଉବାରୁ ୨୦୦୯ ମସିହାରେ ରଞ୍ଜିତା ନିଜ ଘରେ ମା’ ମଙ୍ଗଳା ସିଲେଇ କେନ୍ଦ୍ର ଖୋଲିବା ସହ ବ୍ୟାଙ୍କ୍‌ରୁ ଋଣ ଆଣି ୮ଟି ସିଲେଇ ମେସିନ୍‌ ଆଣିଥିଲେ। ଏହାଦ୍ବାରା ସିଲେଇ ତାଲିମ ନେବା ପରେ ମହିଳାମାନେ ବିଭିନ୍ନ ପୋଷ‌ାକ ଓ ମହିଳାଙ୍କ ବସ୍ତ୍ର ସିଲେଇ କରି ବେଶ୍‌ ସ୍ବାବଲମ୍ବୀ ହୋଇପାରିଛନ୍ତି। ଭଲ ସିଲେଇ କରାଯାଉଥିବାରୁ ଆଖପାଖ ଗ୍ରାମର ମହିଳା ଓ ଯୁବତୀ ଏହି କେନ୍ଦ୍ରକୁ ଆସିଥାନ୍ତି। କିନ୍ତୁ ବହୁବାର ଉଦ୍ୟମ ପରେ ମଧ୍ୟ ସିଲେଇ କେନ୍ଦ୍ର ପଞ୍ଜିକୃତ ହୋଇପାରୁନଥିବା ରଞ୍ଜିତା କହିଛନ୍ତି। ଏଥିସହ ସିଲେଇ ତାଲିମ ଦିଆଯାଉଥିବା କୋଠରି ଛୋଟ ଥିବାରୁ ଆଗକୁ ବଡ଼ ଘର ନିର୍ମାଣ କରିବାକୁ ପ୍ରବଳ ଇଚ୍ଛା ରହିଥିଲେ ହେଁ ଏଥିରେ ଅର୍ଥ ବାଧକ ସାଜିଥିବା ସେ କହିଛନ୍ତି। ଯଦି ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳେ ତେବେ ଆହୁରି ବହୁ ମହିଳା ଏକାଠି ତାଲିମ ନେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ରଞ୍ଜିତା କହିଛନ୍ତି। ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ଯୋଗୁଁ ରଞ୍ଜିତା ପଟ୍ଟନାୟକ ନିଜେ ସ୍ୱାବଲମ୍ବୀ ହେବା ସହ ୩୦ରୁ ଉର୍ଦ୍ଧ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସମ୍ବନ୍ଧିତ ଖବର