ପାଣିକୋଇଲିରେ ସେକ୍ସ ରାକେଟ, ଲଜ୍‌ ସିଲ୍‌

ଲଜ୍ ମାଲିକ ସମେତ ୬ କୋର୍ଟଚାଲାଣ

ପାଣିକୋଇଲି: ସେକ୍ସ ରୢ‌ାକେଟ ଚାଲିଥିବା ଅଭିଯୋଗରେ ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଲଜ (ଶ୍ରୀହରି କଟେଜ)କୁ ପୁଲିସ ଆଜି ସିଲ୍‌ କରିଛି। ଆଜି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଥାନାଧିକାରୀ ଚିନ୍ମୟୀ ବେହେରା ଲଜକୁ ଯାଇ ତଦନ୍ତ କରିବା ପରେ ମାଜିଷ୍ଟ୍ରେଟ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଶ୍ରୀହରି କଟେଜକୁ ସିଲ୍‌ କରାଯାଇଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଥିବା ଏହି ହୋଟେଲରୁ ଗତକାଲି ଜଣେ ଯୁବତୀଙ୍କ ସହ ଜଣେ ଗ୍ରାହକଙ୍କୁ ପୁଲିସ ଅସଂଯତ ଅବସ୍ଥାରେ ଧରିଥିଲା। ଏହି ଘଟଣାରେ ଲଜ ମାଲିକ ସମେତ ଦୁଇ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏନେଇ ଏକ ମାମଲା ୨୦୦/୨୨ ରୁଜୁ କରି ଗ୍ରାହକ, ମାଲିକ, କର୍ମଚାରୀ ଓ ସହଯୋଗୀଙ୍କୁ ମିଶାଇ ମୋଟ ୬ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଗ୍ରାହକ କୋରାଇ ଥାନା ବରୁଣ୍ତାଇ ଉତରଖଜିରା ଗ୍ରାମର ମାନସ ମିଶ୍ର (୩୮)ଙ୍କ ସମେତ ହୋଟେଲ ମାଲିକ ସୋତି ଗ୍ରାମର ଚନ୍ଦ୍ରକାନ୍ତ ଖଣ୍ଡାଇ (୪୧), କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ଗ୍ରାମର ଅଭୟ ସାହୁ (୫୧), ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗ୍ରାମର ରଂଜନ ମଳିକ (୨୬), କେଳାଗଡ଼ିଆ ଗ୍ରାମର ଦେବାଶିଷ ମଲିକ(୨୦) ଓ ଭଦ୍ରକ ଜିଲ୍ଲା ଧାମନଗର ଥାନା ନୃସିଂହ ପ୍ରସାଦ ଗ୍ରାମର ହେମନ୍ତ କୁମାର ପ୍ରଧାନ(୩୫)। ଦଫା  ୩୭୦, ୩୭୦(ଏ) (୨) ଆଇପିସି ଓ ୩ /୫ /୬ ପ୍ରିଭେନସନ ଅଫ  ଆଇଏମ ମୋରାଲ ଟ୍ରାଫିକ ଆକ୍ଟରେ ସମସ୍ତଙ୍କୁ କୋର୍ଟଚାଲାଣ କରିଛି।  ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ରଗଡ଼ିସ୍ଥିତ ଯାଜପୁରରୋଡ୍‌ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗତକାଲି ଏସପି ରାହୁଲ ପିଆର ଥାନାରେ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିବା ପରେ ତଦନ୍ତ ତ୍ବରାନ୍ବିତ ହୋଇଥିଲା। ଯୁବତୀଙ୍କ ସୂଚନା ମୁତାବକ ଗତ ରାତିରେ ପୁଣି ଦୁଇଜଣଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ଫୁଲବାଣୀ ଅଞ୍ଚଳର ଏହି ଯୁବତୀଙ୍କୁ ସ୍ବାଧାର ଗୃହରେ ଛଡ଼ାଯାଇଥିଲା। ଲଜରେ ବେଆଇନ କାର୍ଯ୍ୟ ଚାଲୁ ରହିଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। କ୍ରମାଗତ ଭାବେ ବାହାର ଜିଲ୍ଲାରୁ ଝିଅମାନଙ୍କୁ ଧରି ଗ୍ରାହକମାନେ ଆସୁଥିଲେ। ଦୀର୍ଘଦିନ ହେଲା ଏଠାରେ ସେକ୍ସ ରୢାକେଟ ଚାଲୁଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଦଲାଲ ମାଧ୍ୟମରେ ଯୁବତୀମାନଙ୍କୁ ଅଣାଯାଉଥିଲା।

ଏହି ରୢାକେଟର ଚେର ବାହାର ରାଜ୍ୟକୁ ଲମ୍ବିଥିବାବେଳେ ଦେହଜୀବୀଙ୍କ ବୟାନକୁ ଭିତ୍ତିକରି ପୁଲିସ ତଦନ୍ତକୁ ବ୍ୟାପକ କରିଛି। ପାଣିକୋଇଲି ଟୋଲ ଗେଟ ନିକଟରେ ଥିବା ଦୁଇଟି ହୋଟେଲ, ଚାନ୍ଦପୁର ଓ ଷଠିପୁରରେ ଦେହ ବେପାର ଚାଲୁଥିବାର ମଧ୍ୟ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର