ସମ୍ବଲପୁରର ୪ଟି ଜାଗାରେ ଚାଲିଥିଲା ସେକ୍ସ ରାକେଟ୍, ୩ ଜଣ ମହିଳାଙ୍କ ସମେତ ୮ ଗିରଫ

ସମ୍ବଲପୁର : ଦେହ ବ୍ୟବସାୟରେ ଲିପ୍ତ ରାକେଟକୁ ଠାବ କରିବାରେ ସମ୍ବଲପୁର ପୁଲିସକୁ ବଡ଼ ସଫଳତା ମିଳିଛି। ସମ୍ବଲପୁର ଅଇଁଠାପାଲି, ଧନୁପାଲି ଓ ଟାଉନ ଥାନା ଅଂଚଳର ୪ଟି ଜାଗାରେ ଚଢ଼ଉ କରି ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ଦଲାଲ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟ‌ରେ ଲଗାଉଥିବା କୁହାଯାଉଛି।

ସମ୍ବଲପୁର ସହରର ବିଭିନ୍ନ ଅଂଚଳରେ ବହୁଦିନରୁ ଦେହ ବେପାର ଚାଲିଥିଲା। ଠୋସ୍ ସୂଚନା ମିଳିବା ପରେ ଏସ୍‌ପି ବି.ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ୬ଟି ଟିମ୍ ଗଠନ କରାଯାଇଥିଲା। ଗତକାଲି ଅପରାହ୍‌ଣରୁ ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଚଢ଼ଉ। ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧ ଓ ସରଲାକାନି, ଅଇଁଠାପାଲିର ଅନୁଗୁଳିଆ ପଡ଼ା ଅଂଚଳରେ ଚଢ଼ଉ କରାଯାଇଥିଲା। ରାତିରେ ପୁଣି ଟାଉନ ଥାନା ଅଂଚଳର କେତେକ ଜାଗାରେ ଚଢ଼ଉ ହୋଇଥିଲା। ପୁଲିସ ପୁଟିବନ୍ଧରୁ ଘରମାଲିକ ଏବଂ ଦଲାଲଙ୍କୁ ମିଶାଇ ଦୁଇ ଜଣ ଗିରଫ କରିଛି। ସେହିପରି ସରଲାକାନି ଅଂଚଳରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଅଇଁଠାପାଲି ଥାନା ଅଂଚଳର ଦେବ ବ୍ୟବସାୟରେ ସଂପୃକ୍ତ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଟାଉନ ଥାନା ପୁଲିସ ମଧ୍ୟ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଇଁଠାପାଲି ଥାନା ମାମଲାରେ ଆଇପିସିର ଧଶରା ୩୪୨, ୪୧୭, ୩୭୦ ଓ ୩୪ ଦଫା ଲଗାଯାଇଥିବା ବେଳେ ଧନୁପାଲି ଥାନା ପୁଲିସ ପୁଟିବନ୍ଧ ମାମଲାରେ ଆଇପିସିର ୩୭୦, ୩୪ ଦଫା ଏବଂ ଆଇଟିପି ଆଇନର ୩, ୪, ୫ ଓ ୭ ନମ୍ବର ଦଫା ଲଗାଇଛି। ସରଲାକାନିରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଆଇପିସିର ଧାରା ୩୭୦, ୩୭୬ ଏବଂ ପକ୍‌ସୋ ଆଇନର ୪ ଓ ୭ ନମ୍ବର ଧାରା ଲଗାଯାଇଛି। ଟାଉନ ଥାନା ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୦, ୧୧୪, ୩୪ ସହିତ ଆଇଟିପି ଆଇନର ୩,୪,୫ ଓ ୭ ଧାରା ଲଗାଯାଇଛି। ଚଢ଼ଉ ବେଳେ ‌କେତେକ ଆପତ୍ତିଜନକ ସାମଗ୍ର ଜବତ କରାଯାଇଛି।

ତେବେ, ପୁଲିସ ଚଢ଼ଉ ପୂର୍ବରୁ ଗ୍ରାହକମାନ‌େ କିନ୍ତୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଏହି ମାମଲାଗୁଡ଼ିକରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଉଦ୍ଧାର କରାଯାଇଥିବା ଯୁବତୀଙ୍କ ମଧ୍ୟରୁ ଜଣେ ବିହାରର ଯୁବତୀ ରହିଛନ୍ତି। ତେ‌ବେ, ସେ ଝାରସୁଗୁଡ଼ାରେ ରହୁଥିଲେ। ବରଗଡ଼, ସୋନପୁର, ସମ୍ବଲପୁର ଆଦି ଅଂଚଳର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର