ପୁରୀ : ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗରେ ବେଦ, ମନ୍ତ୍ରପାଠ ଶିକ୍ଷା ଗ୍ରହଣ କରୁଥିବା ଜଣେ ନାବାଳକ ଛାତ୍ର (୧୩)ଙ୍କୁ ଶ୍ରୀମନ୍ଦିର ଭିତରେ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆସିଛି। ଜନୈକ ଯାତ୍ରୀ ଗୁମାସ୍ତାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଯାତ୍ରୀ ଗୁମାସ୍ତା ଜଣକ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ଲୋକନାଥ ରୋଡ୍ର ସୁଦର୍ଶନ ମିଶ୍ର(୪୫) ବୋଲି ପୁଲିସ ସୂ୍ତ୍ରରୁ ଜଣାପଡ଼ିଛି। ଦିନେ କି ଦୁଇଦିନ ନୁହେଁ, ଦେଢ଼ ମାସ ଧରି ସୁଦର୍ଶନଙ୍କ ଦ୍ବାରା ସଂପୃକ୍ତ ଛାତ୍ର ଏଭଳି ନିର୍ଯାତନାର ଶିକାର ହୋଇ ଆସୁଥିଲେ।
ସିଂହଦ୍ବାର ଥାନା ପୁଲିସ ସଂପୃକ୍ତ ଛାତ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ସୁଦର୍ଶନକୁ ଗିରଫ ପରେ କୋର୍ଟଚାଲାଣ କରିଛି।
ମାମଲାର ତଦନ୍ତକାରୀ ଅଧିକାରୀ ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ କହିଛନ୍ତି, ଶ୍ରୀମନ୍ଦିର ପରିସରରେ ଥିବା ପଣ୍ଡା ନିଯୋଗରେ ବେଦ ପାଠ କରୁଥିବା ଏହି ନାବାଳକକୁ ସୁଦର୍ଶନ ଯୌନ ନିର୍ଯାତନା ଦେବାସହ ତାଙ୍କୁ ମାରିଦେବାକୁ ଧମକ ଦେଇ ଆସୁଥିଲା। କାହା ଆଗରେ କହିଲେ ଭଲ ହେବନି ବୋଲି ଧମକ ଦେଇ ଆସୁଥିଲା। ଗତ ୪ ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ନାବାଳକ ଜଣକ ଶ୍ରୀମନ୍ଦିର ପରିସର ନୀଳାଦ୍ରି ମ୍ୟୁଜିୟମ ନିକଟରେ ଥିବାବେଳେ ସୁଦର୍ଶନ ସେଠାରେ ପହଞ୍ଚି ତାଙ୍କୁ ଅପ୍ରାକୃତିକ ଯୌନକ୍ରିୟା ପାଇଁ ବାଧ୍ୟ କରିବା ସହ ଜୋର୍ ଜବରଦସ୍ତ ମ୍ୟୁଜିୟମ ଭିତରକୁ ଭିଡ଼ି ନେଉଥିଲା। ନାବାଳକ ଜଣକ କୌଶଳକ୍ରମେ ଖସିଯାଇ ସିଂହଦ୍ବାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ପୁଲିସ ସୁଦର୍ଶନକୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ଶ୍ରୀମନ୍ଦିରରେ ଏଭଳି ତିନି ଥର ଅସଦାଚରଣ ଘଟଣା ଘଟିଲାଣି। ଶ୍ରୀମନ୍ଦିର ପରିସରରେ ଶହ ଶହ ପୁଲିସ ଓ ପଦାଧିକାରୀମାନେ ନିଯୋଜିତ ଥିଲେ ମଧ୍ୟ ଏଠାରେ ଏଭଳି ଅପରାଧ ବାରମ୍ବାର ଘଟି ଚାଲିବା ସୁରକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି। ଅନ୍ୟପକ୍ଷରେ, ବାରମ୍ବାର ଯୌନ ନିର୍ଯାତନା ଭଳି ଘଟଣା ନଜରକୁ ଆସିବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ସିଡବ୍ଲୁସି ଚିଠି ଲେଖିଛି। ଶ୍ରୀମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ସହ ସେବାୟତ, ଯାତ୍ରୀ ଗୁମାସ୍ତାଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସିଡବ୍ଲୁସି ଶ୍ରୀମନ୍ଦିର ପ୍ରଶାସନକୁ କହିଛି। ପୂର୍ବରୁ ବି ଶ୍ରୀମନ୍ଦିର ପ୍ରଶାସନକୁ ଏ ସଂପର୍କରେ ସିଡବ୍ଲୁସି ଚିଠି କରିସାରିଛି। କିନ୍ତୁ, ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/singhdwar-police.jpg)