ମହିଳା ପୁଲିସ ଅଫିସର୍‌ଙ୍କୁ ଯୌନ ନିର୍ଯାତନା 

ରେଳବାଇ ଏସ୍‌ପିଙ୍କ ତନାଘନା

ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ: ଏଡିଜି
କମ୍ପ୍ଲେନ୍‌ କମିଟିର ରିପୋର୍ଟ ଦାଖଲ

କଟକ : ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ ଅଫିସର। ବିଭାଗର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣି ସଂପୃକ୍ତ ମହିଳା ଅଫିସର ଜଣକ କଟକ ରେଳବାଇ ଆଇଜିଙ୍କୁ ନ୍ୟାୟ ମାଗିଛନ୍ତି। ମହିଳା ଅଫିସରଙ୍କ ଅଭିଯୋଗ ଆଧାରରେ ଏଚ୍‌ଆର୍‌ପିସି(ହ୍ୟୁମାନ୍‌ ରାଇଟ୍‌ ପ୍ରୋଟେକ୍ସନ୍‌ ସେଲ୍‌)ର କମ୍ପ୍ଲେନ୍‌ କମିଟି ଘଟଣାର ତଦନ୍ତ କରିବା ସହ କଟକ ରେଳବାଇ ଏସ୍‌ପିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ସମ୍ପୃକ୍ତ ମହିଳା ଅଫିସରଙ୍କ ଏ ପ୍ରକାର ଅଭିଯୋଗକୁ ନେଇ ରେଳବାଇ ପୁଲିସ୍‌ରେ ହଟଚମଟ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଜିଆର୍‌ପିରେ ଦୁଇ ବର୍ଷ ତଳେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଫିସର୍‌ଙ୍କୁ ସେହି ବିଭାଗର ଜଣେ ବରିଷ୍ଠ ଅଧିକାରୀ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଫିସର ଜଣକ ମହିଳା ଅଧିକାରୀଙ୍କୁ ହ୍ଵାଟସ୍‌ଆପ୍‌ରେ ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ପଠାଉଥିଲେ। ତାଙ୍କୁ ପାନୀୟରେ ନିଶା ମିଶାଇ ଶାରୀରିକ ସଂପର୍କ ରଖିଥିଲେ। ଏ ସମ୍ପର୍କରେ ପୀଡ଼ିତା ଅଫିସର୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବଦଳରେ ସମ୍ପୃକ୍ତ ମହିଳା ଅଫିସର୍‌ଙ୍କୁ ସେଠାରୁ ବଦଳି କରି ଅଣାଯାଇଥିଲା। ଫଳରେ ମହିଳା ଅଫିସର ଜଣକ ଏ ସଂପର୍କରେ ରେଳବାଇ କାର୍ଯ୍ୟାଳୟର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ।

ବିଭାଗୀୟ ଅଧିକାରୀ ଏହି ଅଭିଯୋଗକୁ ଏଚ୍‌ଆର୍‌ପିସି କମ୍ପ୍ଲେନ୍‌ କମିଟିକୁ ହସ୍ତାନ୍ତର କରିଥିଲେ। କମିଟି ଗଲା ୬ ମାସ ତଳେ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା। ପୀଡ଼ିତା ଅଫିସର୍‌ ଏବଂ ଅନ୍ୟ ସାକ୍ଷୀଙ୍କୁ ଘଟଣା ସମ୍ପର୍କରେ ଜେରା କରାଯାଇଥିଲା। ପୁଲିସ ଅଫିସର୍‌ ଜଣକ ହ୍ଵାଟସ୍‌ଆପ୍‌ରେ ପଠାଇଥିବା ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ଯାଞ୍ଚ କରାଯାଇଥିଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ କମିଟି ଉକ୍ତ ତଦନ୍ତ ରିପୋର୍ଟକୁ ରେଳବାଇ ଏସ୍‌ପିଙ୍କ ନିକଟରେ ଦାଖଲ କରିଥିବା ସୂଚନା ମିଳିଛି । ଘଟଣାରେ ଅଧିକ ଖୋଳତାଡ଼ କରିବାକୁ ରିପୋର୍ଟରେ ଏସ୍‌ପିଙ୍କୁ ପରାମର୍ଶ ଦିଆଯାଇଥିବା କୁହାଯାଉଛି ।

ଘଟଣା ସମ୍ପର୍କରେ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି ଯେ ଅଭିଯୋଗ ଆଧାରରେ ସମ୍ପୃକ୍ତ ଅଫିସର୍‌ଙ୍କୁ ଇଣ୍ଟର୍‌ନାଲ୍‌ କମ୍ପ୍ଲେନ୍‌ କମିଟି ନିକଟକୁ ପଠାଯାଇଥିଲା। କମିଟି ତଦନ୍ତ କରିବା ପରେ କଟକ ରେଳବାଇ ଏସ୍‌ପିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏ ସଂପର୍କରେ କଟକ ରେଳବାଇ ଏସ୍‌ପି ବନବିହାରୀ ସାହୁ କହିଛନ୍ତି ଯେ ମହିଳା ଅଫିସର୍‌ ଜଣକ ଅଭିଯୋଗରେ ତାଙ୍କ ସହିତ ଖରାପ ବ୍ୟବହାର କରାଯିବା ସମ୍ପର୍କରେ ଦର୍ଶାଇଛନ୍ତି । ଘଟଣା ସଂପର୍କରେ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର