ଓଏଏସ୍‌ଙ୍କ ନାମରେ ଯୌନ ନିର୍ଯାତନା ମାମଲା : ନୋଟିସ୍‌ ପରେ ବି ହାଜର ହେଉନାହାନ୍ତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ରହସ୍ୟମୟ ହେବାରେ ଲାଗିଛି। ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ପାଲଟା ଅଭିଯୋଗ କରିଥିବା ଅଭିଯୁକ୍ତ ଅଧିକାରୀଙ୍କୁ କମିସନରେଟ୍‌ ପୁଲିସ ନୋଟିସ୍‌ କରିଛି। ହେଲେ ସେ ହାଜର ହେଉନାହାନ୍ତି। ଖବୁଶୀଘ୍ର ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସେ ନିଜର ସୁରକ୍ଷା ପାଇଁ ଆଗୁଆ ଜାମିନ୍‌ ପାଇଁ ଉଦ୍ୟମ ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷରେ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠିଛି। ‘ଅଭିଯୋଗକାରିଣୀ ମିଛ କହୁଛନ୍ତି। ତାଙ୍କର ନିଯୁକ୍ତି ବେଆଇନ ହୋଇଥିବାରୁ ଆଗାମୀ ବର୍ଷକୁ ଚୁକ୍ତିନାମା ନବୀକରଣ ହେବ ନାହିଁ। ଏହି ବେଆଇନ ନିଯୁକ୍ତିର ତଦନ୍ତ ପାଇଁ ଭିଜିଲାନ୍ସକୁ ଲେଖାଯାଇଛି।’ ଏଭଳି ଲେଖିଛନ୍ତି ସମ୍ପୃକ୍ତ ଅଧିକାରୀ। ଏହି ଚିଠି ୬ ତାରିଖ ଦିନ ଲେଖାଯାଇଛି। ଯେଉଁଦିନ ଯୁବତୀ ଥାନାରେ ଏତଲା ଦେଇଥିଲେ ସେହିଦିନ ହିଁ ଅଭିଯୁକ୍ତ ଅଧିକାରୀ ଭିଜିଲାନ୍ସକୁ ଚିଠି ଲେଖିଛନ୍ତି। ଅଭିଯୋଗକାରିଣୀ ଗତ ବର୍ଷ ଜାନୁଆରିରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅଭିଯୁକ୍ତ ଅଧିକାରୀ ୬ ମାସ ପରେ ଅର୍ଥାତ୍‌ ଅଗଷ୍ଟ ମାସରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯଦି ଏତେ ଅଭିଯୋଗ ଥିଲା ‌ଅଧିକାରୀ ତେବେ ୧୦ ମାସ ନିରବ ବସିଥିଲେ କାହିଁକି? ମହିଳା ଥାନାରେ ଅଭିଯୋଗ ହେବା ପରେ ହିଁ ହଠାତ୍‌ କାହିଁକି ମନେ ପଡ଼ିଲା? ଏ‌ସବୁ ପ୍ରଶ୍ନ ଏବେ ଅଭିଯୁକ୍ତ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛି। ଅଭିଯୋଗରୁ ବର୍ତ୍ତିବାକୁ ଯୁବତୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ପାଇଁ ଅଭିଯୁକ୍ତ ଅଧିକାରୀ ଏଭଳି ଷଡ଼୍‌ଯନ୍ତ୍ର କରିନାହାନ୍ତି ତ?

ଅଭିଯୋଗକାରିଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମହିଳା ଥାନାରେ ଏତଲା ଦେଇଛନ୍ତି। ଯେଉଁ ବାର୍ତ୍ତାଳାପର କଲ୍‌ ରେକର୍ଡ ଧରି ଅଭିଯୋଗକାରିଣୀ ବୁଲୁଛନ୍ତି ତାହା ତାଙ୍କର କଣ୍ଠସ୍ବର ନୁହେଁ। ଯେଉଁ ନମ୍ବରରୁ ଏହି ସବୁ ଆସିଛି ବୋଲି ଅଭିଯୋଗ ଉଠିଛି ତାହା ମଧ୍ୟ ତାଙ୍କର ନୁହେଁ। ଏ କଣ୍ଠସ୍ବର କାହାର ତାହା ଲ୍ୟାବ୍‌କୁ ପଠାଯାଇ ପ୍ରମାଣ କରାଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ ଦର୍ଶାଇଛନ୍ତି। ଅନୁରୂପ ଢ଼ଙ୍ଗରେ ଅଭିଯୋଗକାରିଣୀ ମଧ୍ୟ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ଅଡିଓ ଲ୍ୟାବ୍‌କୁ ପଠାଯାଇ ପ୍ରମାଣିତ କରାଯାଉ ବୋଲି କହିଛନ୍ତି। ଯେଉଁ ନମ୍ବରରୁ ଏହି ସବୁ ଅଶ୍ଳୀଳ ମେସେଜ୍‌ ଆସିଛି ତାହାର ମଧ୍ୟ ଉପଯୁକ୍ତ ତଦନ୍ତ ହେଉ ବୋଲି ସେ କହିଛନ୍ତି।

ଅନ୍ୟପଟେ ଅଭିଯୁକ୍ତ ଅଧିକାରୀ ମହିଳା ଥାନାକୁ ଅଭିଯୋଗପତ୍ର ‌ଇ-ମେଲ୍‌ ଜରିଆରେ ପଠାଇ ଦେଇଛନ୍ତି। ମୋବାଇଲ ଫୋନ୍‌ ଜରିଆରେ ମଧ୍ୟ ତାଙ୍କୁ ଯୋଗାଯୋଗ କରି ହେଉନାହିଁ। ଥାନାରେ ହାଜର ହେବା ପାଇଁ ମହିଳା ଥାନା ପୁଲିସ ତାଙ୍କୁ ନୋଟିସ କରିଥିଲେ ମଧ୍ୟ ସେ ହାଜର ହେଉ ନାହାନ୍ତି। ପୂର୍ବରୁ ପୁଲିସ ଏସ୍‌ଆଇ ରାକେଶ ସାମଲଙ୍କ ବିରୋଧରେ ଦୁଷ୍କର୍ମ ଓ ବଳପୂର୍ବକ ଗର୍ଭପାତ ଅଭିଯୋଗ ରହିଥିଲା। ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ। କିଛି ଦିନ ପରେ ତାଙ୍କୁ ଠାବ କରାଯାଇଥିଲେ ମଧ୍ୟ ସେ ହାଇକୋର୍ଟରୁ ସୁରକ୍ଷା ପାଇ ସାରିଥିଲେ। ଅନୁରୂପ ଢ଼ଙ୍ଗରେ ଅଭିଯୁକ୍ତ ଅଧିକାରୀ ଏବେ ଫେରାର ଅଛନ୍ତି। ତାଙ୍କ ନାମରେ ସଙ୍ଗିନ ଅଭିଯୋଗ ରହିଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ଏଣୁ ତାଙ୍କୁ ସୁରକ୍ଷା ଦେବାପାଇଁ ଯୋଜନା ହେଉଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର