ଅଭିନେତ୍ରୀଙ୍କୁ ଯୌନ ଶୋଷଣ, ବିଲ୍‌ଡରଙ୍କ ବିରୋଧରେ ଅଭିଯୋଗ

ପୁରୀ : ପୁରୀର ଜଣେ ଜଣାଶୁଣା ବିଲଡର୍‌ ତଥା ଫର୍ଣ୍ଣିଚର କମ୍ପାନିର ମାଲିକଙ୍କ ବିରୋଧରେ ଜଣେ ଅଭିନେତ୍ରୀ ଯୌନ ଶୋଷଣ ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ଜଣକ କଲିକତା ଅଞ୍ଚଳର ଓ ସେ ଅନେକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବେଳେ ବିଲ୍‌ଡରଙ୍କ ଘର ପୁରୀ ଜିଲ୍ଲା ପିପିଲି ଥାନା କସରଡ଼ା ଗାଁର ବିରାଟ ମହାପାତ୍ର ବୋଲି ଜଣାପଡ଼ିଛି। ଏ ନେଇ ଅଭିନେତ୍ରୀ ଜଣକ ଭୁବନେଶ୍ବର କମିସନରେଟ୍‌ ପୁଲିସ ଓ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ବିରାଟ ତାଙ୍କୁ ପ୍ରେମ ବିବାହ କରିବା ପରେ ସ୍ବାମୀ ଭଳି ଶାରୀରିକ ସମ୍ପର୍କ ରଖିଥିଲେ। କିଛି ଦିନ ପରେ ବିରାଟ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଦୈହିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହେବା ସତ୍ତ୍ବେ ତାଙ୍କ ଅନିଚ୍ଛାରେ ତିନିଥର ଗର୍ଭପାତ କରାଇଥିଲେ। ଏହାକୁ ବିରୋଧ କରିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏ ସମ୍ପର୍କରେ ୨୦୧୭ ମସିହାରେ ମଞ୍ଚେଶ୍ବର ଥାନାରେ (୫୮/୨୦୧୭) ଲିଖିତ ଅଭିଯୋଗ କରିଥିଲେ। ଏହା ସତ୍ତ୍ବେ ବିରାଟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାରୁ ସେ ପୁରୀ ଟାଉନ ଥାନାରେ ୨୦୧୮ ମସିହାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଯେହେତୁ ବାପା ଓ ମା’ଙ୍କର ଚଳଚ୍ଚିତ୍ରରେ ଅଭିନୟ କରିବାର ରୁଚି ଥିଲା, ସେହି ଦୃଷ୍ଟିରୁ ସେ ଚଳଚ୍ଚିତ୍ର ଦୁନିଆକୁ ଆସିଥିଲେ। ଏହାର ସୁଯୋଗ ନେଇ ବିରାଟ ତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଥିଲେ। ପରେ ଦୁହେଁ ବିବାହ କରିଥିଲେ।

ଏବେ ବି ସେ ବିରାଟଙ୍କ ଦ୍ବାରା ସେ ୪ ମାସର ଗର୍ଭବତୀ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେଥିପାଇଁ ସେ କଲିକତା ତାଲିଗଞ୍ଜସ୍ଥିତ ବାପାଙ୍କ ଘରକୁ ଚାଲିଯାଇଥିଲେ। ଗତ ୨୨ ତାରିଖରେ ସେ ତାଙ୍କ ସ୍ବାମୀ ବିରାଟଙ୍କ ପୁରୀ ଘରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ତାଙ୍କୁ ଧମକ ଚମକ ଦିଆଯିବା ସହ ମାରପିଟ୍‌ କରାଯାଇଥିଲା। ଏ ସମ୍ପର୍କରେ ସେ ଟାଉନ ଥାନା ଓ କୁମ୍ଭାରପଡ଼ା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର କୌଣସି ଥାନା ପୁଲିସ ତାଙ୍କ ଅଭିଯୋଗକୁ ନେଇ କୌଣସି ପଦକ୍ଷେପ ନନେବାରୁ ସେ ବାଧ୍ୟ ହୋଇ ସୋମବାର ଦିନ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କୁ ଅପରାଧୀମାନଙ୍କ ମାଧ୍ୟମରେ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ନେଇ ସେ ସୋମବାର ଦିନ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ତେଣୁ ସେ ଏହି ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବା ସହିତ ବିରାଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର