କଟକ: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅଞ୍ଚଳର ଏକ କଲେଜର ଜଣେ ଅଧ୍ୟାପିକାଙ୍କୁ ଯୌନ ନିର୍ଯାତନା ସହିତ ଜାତିଆଣ ଆକ୍ଷେପ ଭଳି ସଙ୍ଗିନ ଅଭିଯୋଗ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏ ପ୍ରକାର କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଏକାଧିକ ଅଧ୍ୟାପିକାଙ୍କ ସହିତ ମଧ୍ୟ ସମାନ ବ୍ୟବହାର କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ ଅଧ୍ୟାପିକା ଥାନାରୁ ନ୍ୟାୟ ନ ପାଇବାରୁ ଶେଷରେ ପୁଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଛନ୍ତି।

Advertisment

ସମ୍ପୃକ୍ତ ଅଧ୍ୟାପିକା ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ଗୁରୁଡ଼ିଝାଟିଆ ଥାନାରେ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମାମଲା ରୁଜୁ କରିବାକୁ ଆଇଆଇସି ମନା କରିଦେଇଥିଲେ। ଅକ୍ଟୋବର ୧୧ ତାରିଖରେ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଗ୍ରାମାଞ୍ଚଳ ଏସ୍‌ପି ଏହି ମାମଲାକୁ ଜନ ଶୁଣାଣି ପୋର୍ଟାଲ୍‌ରେ ୧୨ ତାରିଖରେ ପଞ୍ଜୀକରଣ କରିଥିଲେ। ୨୦ ତାରିଖରେ ଏହି ମାମଲାକୁ ଡିସ୍‌ପୋଜ୍‌ କରିଥିଲେ। ଶେଷରେ ଅଧ୍ୟାପିକା ନିରାଶ ହୋଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ପୁଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲା। 

ଉଚ୍ଚଶିକ୍ଷା ବିଭାଗର ବଦଳି ନିର୍ଦ୍ଦେଶ ବି ଅକାମୀ

ପୁଲିସ ୨୦୨୪ ନଭେମ୍ବର ୩୦ରେ ମାମଲା ପଞ୍ଜୀକରଣ କରିଥିଲା। କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଦାୟିତ୍ବ ଚୌଦ୍ବାର ଏସ୍‌ଡିପିଓ ୟୁ.କେ. ନାୟକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହା ଭିତରେ ୭ ମାସ ବିତିଯାଇଥିବା ବେଳେ ଏତଲାର ନକଲ ପୀଡ଼ିତା ଅଧ୍ୟାପିକାଙ୍କୁ ଦିଆଯାଇନାହିଁ। ଅଭିଯୁକ୍ତ ଅଧ୍ୟକ୍ଷଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। 

ଅନ୍ୟପଟେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ତିନିଜଣିଆ ସଦସ୍ୟଙ୍କୁ ନେଇ ତଦନ୍ତ କରିଥିଲା। ଏଥିରେ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ଆସ୍କାର ଏକ କଲେଜକୁ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ଏବେ ବି ସେ ମୂଳ କଲେଜରେ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ଘଟଣାରେ ବିଧିବଦ୍ଧ ତଦନ୍ତ ପାଇଁ ଅଭିଯୋଗକାରୀ ପୁଲିସ ଡିଜିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଧ୍ୟାପିକାଙ୍କୁ ନିର୍ଯାତନା ଘଟଣାରେ ଚୌଦ୍ବାର ଏସ୍‌ଡିପିଓ ୟୁ.କେ. ନାୟକଙ୍କ କହିବାନୁଯାୟୀ, ଏହି ଘଟଣାରେ ପ୍ରାଥମିକ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।