ସମ୍ବଲପୁର: ସଦର ଥାନା ଅଞ୍ଚଳର ଜଣଙ୍କ ଘରେ ପଶି ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଧନକଉଡ଼ା ଅଞ୍ଚଳର ସଞ୍ଜିତ ସାହୁ(୨୧)। ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜିତ ଜଣଙ୍କ ଘରକୁ ପଶି ଶୋଇଥିବା ନାବାଳିକାଙ୍କୁ ଅସଦାଚରଣ କରିଥିଲା। ସେ ଉଠି ପଡ଼ିବାରୁ ତାଙ୍କୁ ଜବରଦସ୍ତି ଯୌନ ନିର୍ଯାତନା ଦେବାସହ ପାଟିକଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା।
ତେବେ ପାଖରେ ଶୋଇଥିବା ନାବାଳିକାଙ୍କ ସାନ ଭଉଣୀ ଉଠିପଡ଼ି ପାଟି କରିବାରୁ ତାଙ୍କୁ ମଧ୍ୟ ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲା। ତେବେ ଏ ନେଇ ସୂଚନା ପାଇ ଧନୁପାଲି ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଠାଇ ଆଣିଥିଲା। ପରେ ନାବାଳିକାଙ୍କ ପରିବାର ଲୋକେ ସଦର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ତାପରେ ସଦର ଥାନା ପୁଲିସ ଧନୁପାଲି ଥାନାରୁ ଅଭିଯୁକ୍ତ ସଞ୍ଜିତକୁ ନେବା ସହ ରବିବାର ଗିରଫ କରିଛି।