ମାଲକାନଗିରି: ମାଲକାନଗିରିରୁ ଯୋଡାମ୍ବକୁ ଗଡ଼ିଲା ପ୍ରଥମ ସରକାରୀ ବସ | ଓଡ଼ିଶାର ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ୱାଭିମାନ ଅଞ୍ଚଳ ଏହାର ଦୂରତା ପାଇଁ ସର୍ବଦା ଖବରରେ ରହିଆସିଛି। ୨୦୧୮ରେ ଗୁରୁପ୍ରିୟା ବ୍ରିଜ୍ ନିର୍ମାଣ ହେବା ପର୍ଯ୍ୟନ୍ତ ସ୍ୱାଭିମାନ ଅଞ୍ଚଳର ଆନୁମାନିକ ୨୦,୦୦୦ ଅଧିବାସୀ ମାଲକାନଗିରି ଠାରୁ ଅଲଗା ରହିଥିଲେ | ସବୁ ପ୍ରକାର ସୁବିଧାଠାରୁ ବଞ୍ଚିତ ଥିବା ଏହି ଅଞ୍ଚଳବାସୀ ଏବେ ବିକାଶର ଝଲକ ଦେଖିବାକୁ ପାଉଛନ୍ତି | ମାଓ ଦମନ ଲାଗି ମାଲକାନଗିରିରେ ସୀମା ସୁରକ୍ଷା ବଳ ( ବିଏସଏଫ୍) ନିୟୋଜିତ ହେବା ପରେ ସେଠାରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି।
ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିବା ସହ ଏବେ ଗମନାଗମନ ସୁବିଧା ପାଇଁ ସରକାରୀ ବସ ଚଳାଚଳର ସୁବିଧା ଯୋଗାଇଦେଇଛନ୍ତି | ଏହାର ଉଦଘାଟନ କରିଛନ୍ତି ଚିତ୍ରକୋଣ୍ଡାର ବିଧାୟକ ପୂର୍ଣ୍ଣଚନ୍ଦ୍ର ବକ୍କା | ଏହି ସମୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ |ଏହି ବସ ଯୋଗେ ଲୋକେ ମାଲକାନଗିରିରୁ ଯୋଡାମ୍ବକୁ ଯାତ୍ରା କରି ପାରିବେ। ସକାଳ ୯ଟାରେ ମାଲକାନଗିରିରୁ ବାହାରି ଯୋଡାମ୍ବ ଅଭିମୁଖେ ଯିବ ବସ | ଏହା ପରେ ସନ୍ଧ୍ୟା ୬ଟା ସମୟରେ ଯୋଡାମ୍ବରୁ ମାଲକାନଗିରିକୁ ଫେରିବ |
ସୂଚନା ମୁତାବକ, ସ୍ୱାଭିମାନ ଅଞ୍ଚଳର ବିଚ୍ଛିନ୍ନତାର ସୁଯୋଗ ନେଇ ମାଓବାଦୀମାନେ ଏଠାରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଏକ ନିରାପଦ ଘାଟି ପ୍ରତିଷ୍ଠା କରିଥିଲେ। ୨୦୦୮ରୁ ୨୦୨୦- ଏହି ୧୨ବର୍ଷ ମଧ୍ୟରେ ୩୩୨ ଥର ମାଓବାଦୀମାନେ ଆକ୍ରମଣ କରିଥିବା ବେଳେ ଏହି ସମୟ ମଧ୍ୟରେ ୧୦୧ନାଗରିକ ଏବଂ ୭୭ସୁରକ୍ଷା ବାହିନୀର କର୍ମକର୍ତ୍ତାଙ୍କ ପ୍ରାଣ ହରାଇଛନ୍ତି। ଅନ୍ୟ ଜିଲ୍ଲା ଅପେକ୍ଷା ଏଠାରେ ମାଓବାଦୀମାନେ ଆଶ୍ରୟ ନେଇଥିବାରୁ ଏଠାକାର ଲୋକମାନେ ଅଧିକ ପ୍ରଭାବିତ ହୋଇଥିଲେ |
BSF bring smiles to thousands of inhabitants of Swabhiman Anchal as the first ever Govt. Bus services kick starts from Malkangiri to Jodambo on 10th July 2020.@BSF_India@PIBBhubaneswar @DDNational@dm_malkangiri @SecyChief @DGPOdisha@PIBHomeAffairs @IPR_Odisha@CMO_Odisha pic.twitter.com/UETj5E3xNk
— BSF_ODISHA (@BSFODISHA) July 11, 2020
୨୦୧୦ମସିହାରେ ବିଏସ୍ଏଫ୍ ନିୟୋଜନ ପରଠାରୁ ଏହି ଅଞ୍ଚଳରେ ବିଏସ୍ଏଫ୍ ଏବଂ ରାଜ୍ୟ ପୁଲିସ ମିଳିତ ଭାବରେ ମାଓ ଦମନ ଆରମ୍ଭ କରିଥିଲା | ଧୀରେ ଧୀରେ ଏବେ ମାଓବାଦୀଙ୍କ ଉପଦ୍ରବ ଏହି ଅଂଚଳରେ କମ ହୋଇଥିବା ବେଳେ ରାଜ୍ୟ ସରକାର ଅନେକ ବିକାଶମୂଳକ କାମ ଆରମ୍ଭ କରିଛନ୍ତି | ଏହି ଅଞ୍ଚଳର ବହୁମୁଖୀ ବିକାଶରେ ସମସ୍ତ ପାଣିପାଗକୁ ସୁହାଉଥିବା ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ମୋବାଇଲ୍ ଟାୱାର ନିର୍ମାଣ, ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଅନ୍ତର୍ଭୁକ୍ତ।