ଏସଏଫ୍‌ଆଇଓ ମାମଲାରେ ହାଜର ହେଲେନି ସିସୋର ଓ ଅର୍ଥତତ୍ତ୍ୱ ମୁଖ୍ୟ

କଟକ: କମ୍ପାନି ଆଇନ ଉଲ୍ଲଂଘନକୁ ନେଇ କଟକ ସ୍ପେଶାଲ ସିଜେଏମ୍‌ ଅଦାଲତରେ ବିଚାରାଧୀନ ମାମଲାରେ ଆଜି ସିସୋର ଓ ଅର୍ଥତତ୍ତ୍ୱ ସଂସ୍ଥାର କେହି ହାଜର ହୋଇ ନାହାନ୍ତି। ଏହି ୨୦୧୭, ନଭେମ୍ବର ୧୬ରେ କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ସିରିୟସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ (ଏସଏଫ୍‌ଆଇଓ)ର ଯୁଗ୍ମ ନିର୍ଦ୍ଦେଶକ ଜଗମୋହନ ହୁଡାଙ୍କ ପକ୍ଷରୁ ରୁଜୁ ଦୁଇଟି ପୃଥକ କଂପ୍ଲେନ୍‌ କେସ୍‌ର ଶୁଣାଣି କରି ଅଦାଲତ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଓ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହିତ ଦୁଇ ସଂସ୍ଥାର ସମସ୍ତ ନିର୍ଦ୍ଦେଶକଙ୍କୁ ନୋଟିସ୍‌ ଜାରି କରି ୨୦୧୮, ଜାନୁଆରି ୩୦ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି କିନ୍ତୁ ଦୁଇ ସଂସ୍ଥା ପକ୍ଷରୁ କେହି ଅଦାଲତରେ ହାଜର ହୋଇ ନଥିବା ସୂଚନା ମିଳିଛି। ଏସଏଫଆଇଓ ପକ୍ଷରୁ ଆଇନଜୀବୀ ଜ୍ଞାନାଲୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଉଭୟ ସିସୋର ଓ ଅର୍ଥତତ୍ତ୍ୱ ସଂସ୍ଥା କମ୍ପାନି ଆଇନର ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଦୁଇ ସଂସ୍ଥାର ଆର୍ଥିକ କାରବାରର ତଦନ୍ତ ଏସଏଫଆଇଓ କରିଥିଲା। କମ୍ପାନି ଆଇନର ଉଲ୍ଳଘଂନ ନେଇ ସିସୋର ଓ ଅର୍ଥତତ୍ତ୍ୱ ବିରୋଧରେ ତଦନ୍ତରୁ ପ୍ରମାଣ ମିଳିଥିଲା। ଏପରି ପରିସ୍ଥିତିରେ ଉଭୟ ସିସୋର ଗ୍ରୁପ୍‌ ଓ ଅର୍ଥତତ୍ତ୍ୱ ଗ୍ରୁପର ମୁଖ୍ୟ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପ୍ରାର୍ଥନା କରି ଏସ୍‌ଏଫ୍‌ଆଇଓ ପକ୍ଷରୁ ଅଦାଲତରେ ମାମଲା ରୁଜୁ ହୋଇଥିଲା। ଏହି ଦୁଇ ମାମଲାରେ ପକ୍ଷଭୁକ୍ତ ହୋଇଥିବା ଉଭୟ ସଂସ୍ଥାର ମୁଖ୍ୟ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଦାଲତ କମ୍ପାନି ଆଇନ, ୧୯୫୬ର ବିଭିନ୍ନ ଧାରାରେ କଗନିଜାନ୍ସ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର