ବ୍ରହ୍ମପୁର ଗସ୍ତରେ ଏଡିଜି ସୁଶାନ୍ତ ନାଥ, ସାଇବର୍ ଫରେନ୍‌ସିକ୍‌ ଲ୍ୟାବ୍ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଯାଞ୍ଚ

ବ୍ରହ୍ମପୁର : ଆଜି ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟାରି(ଏସ୍ଏଫ୍ଏସ୍ଏଲ୍)ର ନିର୍ଦ୍ଦେଶକ ତଥା ଏଡିଜି ସୁଶାନ୍ତ ନାଥ ବ୍ରହ୍ମପୁର ଗସ୍ତରେ ଆସିଥିଲେ। କମାପଲ୍ଲୀରେ ଥିବା ପୁରୁଣା ବୈଦ୍ୟନାଥପୁର ଥାନା କୋଠାରେ ଏହି ଲ୍ୟାବ୍ ପ୍ରତିଷ୍ଠା କରିବା ପାଇଁ ଭିତ୍ତିଭୂମି ଯାଞ୍ଚ କରିଥିଲେ। ଏହା ସହିତ ଏଠାରେ ଏକ ଡିଏନ୍ଏ ଟେଷ୍ଟିଂ ସେଣ୍ଟର୍ ମଧ୍ୟ ହେବ ବୋଲି ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ କରି ଏଡିଜି ନାଥ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ସରକାରଙ୍କ ସବୁଜ ସଂକେତ ମିଳିବା ପରେ ବ୍ରହ୍ମପୁରରେ ଏହି ଲ୍ୟାବ୍ ଓ ସେଣ୍ଟର୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

ପୂର୍ବରୁ ବିଭିନ୍ନ ସମ୍ବେଦନଶୀଳ ଅପରାଧର ଘଟଣାସ୍ଥଳରୁ ଜବତ ହୋଇଥିବା ପ୍ରମାଣର ଫରେନ୍‌ସିକ୍‌ ଟେଷ୍ଟ୍ ପାଇଁ ଭୁବନେଶ୍ବର ସ୍ଥିତ ଏସ୍ଏଫ୍ଏସ୍ଏଲ୍‌କୁ ପଠାଯାଉଥିଲା। ସେହିପରି ଡିଏନ୍ଏ ପରୀକ୍ଷା ପାଇଁ ମଧ୍ୟ ରକ୍ତ ନମୁନା ଭୁବନେଶ୍ବର ଯାଉଥିଲା। ଭୁବନେଶ୍ବରସ୍ଥିତ ଲାବ୍ରୋଟାରିକୁ ବିଭିନ୍ନ ଜିଲ୍ଲାରୁ ପରୀକ୍ଷା ପାଇଁ ନମୁନା ଆସୁଛି। ତେଣୁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁରରେ ଲ୍ୟାବ୍ ପ୍ରତିଷ୍ଠା କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଏଡିଜି ନାଥ ଆଜି ବ୍ରହ୍ମପୁରରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ଏବଂ ଆରଏଫ୍ଏସ୍ଏଲ୍‌ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର