ଭବାନୀପାଟଣା : ଅବ୍ୟବସ୍ଥା ଘେରରେ ଶଗଡା ପଞ୍ଚାୟତର ପିଡ଼ିଏସ ବ୍ୟବସ୍ଥା

ଶଗଡାନଦୀର ଦୁଇପାର୍ଶ୍ଵରେ ଗାଁ ଥିବା ଯୋଗୁଁ ସରକାରୀ ସୁବିଧା ସାତ ସପନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ଶଗଡା ପଞ୍ଚାୟତ ମାଓ ଅଞ୍ଚଳ ତଥା ପଛୁଆ ଅଞ୍ଚଳ ଭାବେ ପରିଚିତ ଅଟେ । ବଣ ପାହାଡ଼ ଘେରା ଏହି ଆଦିବାସୀ-ହରିଜନ ବହୁଳ ପଞ୍ଚାୟତର ୧୨ଶହରୁ ଉର୍ଦ୍ଧ ପରିବାରର ଲୋକେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଶଗଡାନଦୀ ଏହି ପଞ୍ଚାୟତକୁ ଭୌଗୋଳିକ ଭାବେ ଦୁଇ ଭାଗ କରିଛି। ସଗାଡ଼ା ନଦୀର ସଗଡ଼ା ଗାଁ ପଟେ ଡାଲାଗୁମା, ଖଙ୍ଗରଗୁଡା, ରାକେସତୁଣ୍ଡା, ନାଗଝରି, କାଡୋପଦର, ପରଜଙ୍ଗ, ବରାଖୋଜ, ଡାକିବାଣ୍ଡେଲ, ପାଇରମାଲ, ଭୋଇଗୁଡା, ଖରାବହିଲି, କିତପଦର, କୋଟେନପଦର, ଲେଲେନଗୁଡା, ମୁଖୀଗୁଡା, ଜଖମ, ମେରାକୁଳ, ଅମଜୋର୍ରେ, ବାଣ୍ଡଟିକରି, ରାଜୁଗୁଡ଼ା ରହିଥିବାବେଳେ, ନଦୀ ଅନ୍ୟପଟେ ଲାବନସୁର, ଉଡ଼ରୁଙ୍ଗ, ଓଲବହାଳି, କାସିପଦର, ଆମ୍ବବଳସା, ସର୍ଗିଛୁଆଁ, କଟିଙ୍ଗକନା, ଗ୍ରାମ ରହିଛି।

ଜୁନାଗଡ଼ ପଟେ ଥିବା ଏହି ଗ୍ରାମଗୁଡିକ ପାହାଡ଼ିଆ ଶଗଡା ଖରସ୍ରୋତା ନଦୀ ଉପରେ ବିପଦଶଙ୍କୁଳ ଭାବେ ଯାତାୟାତ କରିଥାନ୍ତି। ଏହି ନଦୀ ଉପରେ ଏକ ପୋଲ ତିନିବର୍ଷ ହେବ ନିର୍ମାଣ ଚାଲିଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ନାଁ ଧରୁନି। ଭବାନୀପାଟଣା ବ୍ଲକର ୪୦ହଜାର ୫୯୫ପରିବାରର ୧ ଲକ୍ଷ ୪୪ ହଜାର ଲୋକଙ୍କ ପାଇଁ ୮୨୮୪ କୁଇଣ୍ଟାଲ ଚାଉଳ ଓ ୫୩୧ କୁଇଣ୍ଟାଲ ଗହମ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯିବା ବେଳେ, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯୯ କୁଇଣ୍ଟାଲ ଚାଉଳ ଯୋଗାଣ ବ୍ୟବସ୍ଥା ରହିଛି। ତନ୍ମଧ୍ୟରୁ ଶଗଡା ପଞ୍ଚାୟତକୁ ୩୨୦ କୁଇଣ୍ଟାଲ ଚାଉଳ ଯୋଗାଣ ହେଉଛି। ଭବାନୀପାଟଣା ବ୍ଲକକୁ ୭୬ ହଜାରରୁ ଉର୍ଦ୍ଧ୍ବ ଲିଟର କିରୋସିନୀ ଯୋଗାଣ ହେଉଥିବାବେଳେ, ଶଗଡ଼ା ପଞ୍ଚାୟତକୁ ୨୫୦୦ ଲିଟର କିରୋସିନୀ ଯୋଗାଣ ହେଉଛି। ଏହି ପଞ୍ଚାୟତର ଅନେକ ଲୋକ ଚାଉଳ-କିରାସିନି ପାଉନଥିବା ଅଭିଯୋଗ କରିଛନ୍ତି। ସବୁଦିନିଆ ରାସ୍ତା ଅନେକ ଗ୍ରାମକୁ ନ ଥିବା ବେଳେ ବିଦ୍ୟୁତ ଯୋଗାଣ ଅନେକ ସମୟରେ ବ୍ୟାହତ ହୁଏ।

ଏହି ପଞ୍ଚାୟତର ସିଂହଭାଗ ଲୋକ ପିଡ଼ିଏସ ଉପରେ ନିର୍ଭର କରୁଥିବା ବେଳେ, ସାମଗ୍ରୀ ଯୋଗାଣରେ ଅନିୟମିତତା ଓ କିରାସିନି ମାସମାସ ଧରି ନ ମିଳିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଚାଉଳ-କିରାସିନି ଡିଲର ଓ ବିଭାଗୀୟ କର୍ମଚାରୀଙ୍କ ସଲା ସୁତରାରେ ଚାଉଲ କିରୋସିନୀ କୁଆଡେ ଆବଶ୍ୟକ ଓଜନ ମୁତାବକ ଦିଆ ଯାଉ ନ ଥିବା ଓ ପଞ୍ଚାୟତକୁ ନିର୍ଦ୍ଧିଷ୍ଟ ପରିମାଣର କିରୋସିନୀ ଅଣା ଯାଉ ନଥିବା,ଏହାକୁ କେବଳ କାଗଜପତ୍ରରେ ଦର୍ଶାଯାଇ ହରିଲୁଟ ହେଉଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। କରୋନା ଭଳି ସମ୍ବେଦନଶୀଳ ସମୟରେ ଚାଉଳ, କିରାସିନି ଏହି ପାହାଡ଼ିଆ ପଛୁଆ ଅଂଚଳରେ ଅବ୍ୟବସ୍ତିତ ହେବା, ଲୋକଙ୍କୁ ସମସ୍ୟା ସୃଷ୍ଟି କରିଛି। ଚାଉଳ-କିରାସିନି ପାଇବାରୁ ଅନେକ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ସଂପର୍କରେ ଶଗଡ଼ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସୂଦନ ନାଏକଙ୍କୁ ପଚାରିବାରୁ ମୁଁ ଏହାର ତଦନ୍ତ କରି ପଦକ୍ଷେପ ନେବି ବୋଲି କହିଥିଲେ। ଶଗଡା ପଞ୍ଚାୟତ ତଥା ଭବାନୀପାଟଣା ବ୍ଲକର ପିିଡିଏସ ଯୋଗାଣ ଉପରେ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ସର୍ବସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର