ବାଲୁଗାଁ : ଏସିଆ ମହାଦେଶର ସର୍ବବୃହତ ଶାଳ, ଶାଗୁଆନ ଜଙ୍ଗଲ ଏବେ ଅସୁରକ୍ଷିତ। ରକ୍ଷକ ହୋଇ ଭକ୍ଷକ ସାଜିଥିବା ବନବିଭାଗ ପାଇଁ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି। ବନବିଭାଗ କର୍ମଚାରୀ ଓ କାଠ ମାଫିଆମାନଙ୍କ ମଧ୍ୟରେ ସୁସମ୍ପର୍କ ଥିବାବେଳେ ନିରୀହ ଆଦିବାସୀମାନେ ମିଥ୍ୟା ମାମଲାରେ ଛନ୍ଦି ହୋଇ ଜେଲ ଯାଉଛନ୍ତି। ଗତ କିଛି ମାସ ହେବ ଏହି ଜଙ୍ଗଲରୁ ଅବାଧ ମୂଲ୍ୟବାନ ଗଛକଟା ଚାଲିଛି। ଏହାକୁ ବିରୋଧ କଲେ ମିଳୁଛି ଅକଥନୀୟ ନିର୍ଯାତନା।
ଗତ ସପ୍ତାହରେ ବନବିଭାଗ କର୍ମଚାରୀ କାଠ ମାଫିଆଙ୍କ ଦ୍ୱାରା ମୂଲ୍ୟବାନ ଏକ ୧୫ ଫୁଟ ଗୋଲେଇର ଶାଗୁଆନ ଗଛ କାଟୁଥିବାବେଳେ ନୀଳାଦ୍ରିପ୍ରସାଦ ପଞ୍ଚାୟତର କିଆଗୋରଡ଼ା ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ କର୍ମଚାରୀମାନଙ୍କୁ ଅଟକ ରଖି ତଳେ ଆଣ୍ଠେଇଦେଇ ବାଣପୁର ପୁଲିସକୁ ଖବର ଦେଇଥିଲେ। ମାତ୍ର ଏଠାରେ ମାମଲା ଓଲଟା ହୋଇଗଲା। ବନ ବିଭାଗ କର୍ମଚାରୀଙ୍କ ବିରୋଧରେ ପୁଲିସ କୌଣସି ପଦକ୍ଷେପ ନନେଇ କିଆଗରଡ଼ା ଗ୍ରାମର ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏ ସମ୍ପର୍କରେ ସୂଚନା ପାଇ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣାର ଅଧ୍ୟକ୍ଷ ଡ. ଦିଲୀପ ଶ୍ରୀଚନ୍ଦନ ଗତ ୪ ତାରିଖଦିନ କିଆଗରଡ଼ା ଗ୍ରାମକୁ ଯାଇ ଆଦିବାସୀଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି ବୋଲି ଉପଲବ୍ଧି କରିଥିଲେ। ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ‘ଦାମିଆ ବରବରା’ର ସୁରକ୍ଷା ଦାବି ସହ ଜଙ୍ଗଲରେ କାଠ କଟାକୁ ନେଇ ନିକଟରେ ଘଟିଥିବା ଗଣ୍ଡଗୋଳର ନିରପେକ୍ଷ ତଦନ୍ତ ତଥା ଦୋଷୀକୁ ଦଣ୍ଡଦେବା ଓ ନିର୍ଦ୍ଦୋଷକୁ ମୁକ୍ତ କରିବା ଦାବିରେ ଆସନ୍ତା ୮ ତାରିଖରେ ବାଲୁଗାଁ ରେଞ୍ଜ ଅଫିସ୍ ଓ ସବ୍ଡିଭିଜନାଲ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ପ୍ରେରଣାର ଅଧ୍ୟକ୍ଷ ଡ. ଦିଲୀପ ଶ୍ରୀଚନ୍ଦନ ଘୋଷଣା କରିଥିଲେ। ଏହିକ୍ରମରେ ଆଜି ପ୍ରେରଣାର ସଭାପତି ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆଜି ଶତାଧିକ ଆଦିବାସୀ ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଗଣଧାରଣା ଦେଇଥିଲେ। ପରେ ବାଲୁଗାଁ ବନବିଭାଗ ରେଞ୍ଜର ପ୍ରତାପ କୁମାର ମହାନ୍ତିଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।
ସେହିପରି ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକଙ୍କୁ ଅନୁରୂପ ଭାବରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ୬ ଦଫା ଦାବି ପ୍ରତି ନଜର ଦେଇ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀଚନ୍ଦନ ଦାବି କରିବା ସହିତ ଏହା ବିଚାରକୁ ନ ନେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ପ୍ରେରଣା ପକ୍ଷରୁ ଚେତାବନୀ ଦିଆଯାଇଛି।
ଏ ସମ୍ପର୍କରେ କିଆଗରଡ଼ା ଗ୍ରାମର ବିଜୟ ଶବର କହନ୍ତି ଯେ ଦୀର୍ଘ ୪୦ ବର୍ଷ ହେବ ଏହି ଜଙ୍ଗଲକୁ ଆମେ ଜଗିଛୁ। ଆମ ବାପା, ବଡ଼ବାପା ଏହି ଗଛ ଲଗାଇଥିଲେ। ଆମକୁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ବନବିଭାଗ ଦେଇଛି। କିନ୍ତୁ ସବୁ ସମୟରେ ଆମକୁ ମିଛ ମାମଲାରେ ଜେଲ ପଠାଇ ଦେଉଛନ୍ତି। କେଶବ ପ୍ରଧାନ ମଧ୍ୟ ଆଖିରେ ଆଖିଏ ଲୁହ ରଖି କହିଥିଲେ ଆମେ ଅଭିଶପ୍ତ। ଜଙ୍ଗଲ ଆମ ପାଇଁ ସମସ୍ୟା ସୃଷ୍ଟି କରିଛି। ଠିକ୍ କାମ କଲେ ଜେଲ୍ ଯିବାକୁ ପଡୁଛି। ଭୋକ ଉପାସରେ ଦିନ କାଟୁଥିବାବେଳେ ବନବିଭାଗର କର୍ମଚାରୀମାନେ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ମକଦମ ଶବର କହନ୍ତି ଆଜ୍ଞା ଆମେ ଗାଁ ଛାଡ଼ି ସହରକୁ ପଳାଇବୁ। ଏଠାରେ ରହିଲେ ଏ ବାବୁମାନେ ଆମକୁ ମାରିଦେବେ ବୋଲି କହିଥିଲେ। ପ୍ରକୃତପକ୍ଷେ ରାଜ୍ୟ ସରକାର ଜଙ୍ଗଲ ପ୍ରତି ସ୍ୱତନ୍ତ୍ର ପଦକ୍ଷେପ ନେଇ ଆଦିବାସୀ ଓ ଜଙ୍ଗଲର ସୁରକ୍ଷା ପ୍ରତି ନଜର ଦେବାକୁ ଡ. ଶ୍ରୀଚନ୍ଦନ ଦାବି କରିଛନ୍ତି।