ସହିଦ ଜୟୀ ରାଜଗୁରୁଙ୍କ ୨୮୦ତମ ଜୟନ୍ତୀ ସମାରୋହ : ଜୟୀ ରାଜଗୁରୁଙ୍କୁ ବାଦ୍ ଦେଇ ଇତିହାସ ଲେଖିବା ସମ୍ଭବ ନୁହେଁ

୧୭୧ଜଣ ବନ୍ଦୀଙ୍କ ସ୍ମୃତିସ୍ତମ୍ଭ ସ୍ଥାପନ କରାଯାଉ

ଭୁବନେଶ୍ବର : ସୂଚନା ଓ ଲୋକସଂପର୍କ ବିଭାଗ ଓ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନରେ ସହିଦ ଜୟୀ ରାଜଗୁରୁଙ୍କ ୨୮୦ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଉଦ୍‌ଘାଟକ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗ ଦେଇ କହିଲେ, ଜୟୀ ରାଜଗୁରୁଙ୍କୁ ବାଦ୍ ଦେଇ ଇତିହାସ ଲେଖିବା ସମ୍ଭବ ନୁହେଁ। ୧୮୦୪ରେ ଜୟୀ ରାଜଗୁରୁ ବ୍ରିଟିଶଙ୍କ ବିରୁଦ୍ଧରେ ଲଢ଼ି ବନ୍ଦୀ ହୋଇଥିଲେ। ପାଇକମାନଙ୍କ ସଂଗଠନ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ନିଜ ସ୍ବାର୍ଥ ପାଇଁ ନୁହେଁ ବରଂ ଦେଶ ଓ ଜାତି ପାଇଁ ସେ ପ୍ରାଣବଳି ଦେଇଥିଲେ। ଇତିହାସକୁ ଠିକ୍ ଭାବେ ଲେଖାଯାଉ ବୋଲି ଗଜପତି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି କମଳକାନ୍ତ ମିଶ୍ର, ବିହାରର ଡ. ରାଜେନ୍ଦ୍ର ପ୍ରସାଦ କୃଷି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଜୟଦେବ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୂଚନା ଓ ଲୋକ ସଂପର୍କ ବିଭାଗର ଉପ-ନିର୍ଦେଶକ ବରଦା ପ୍ରସନ୍ନ ଦାସ ଓ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଜଟାଧାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜୟ ଚନ୍ଦ୍ର ରଥଙ୍କ ‘ଖୋର୍ଧା ବିଦ୍ରୋହର ସମର୍ଥ ସାରଥି ଜୟୀ ରାଜଗୁରୁ’ଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାହିତ୍ୟିକ ଦାଶ ବେନହୁର ପୁସ୍ତକର ସମୀକ୍ଷା କରିଥିଲେ। ଅନିଲ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଷଦର ସଭାପତି ଦିଗମ୍ବର ମହାନ୍ତି ସଭା ପରିଚାଳନା କରିଥିଲେ।

ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଦାବି ହୋଇଛି ଯେ ୧୮୧୭ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ ବିରୁଦ୍ଧରେ ଲଢ଼ି ୧୭୧ଜଣ ଦଣ୍ଡିତ ହୋଇଛନ୍ତି। ତେବେ ବକ୍ସି ଜଗବନ୍ଧୁଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କୁ ଏହାର ଶ୍ରେୟ ମିଳି ପାରି ନାହିଁ। ସେମାନଙ୍କୁ କେହି ସମବେଦନା ଜଣାଇ ନାହାନ୍ତି କି ଶୋକ ମଧ୍ୟ ପାଳନ କରାଯାଉନାହିଁ। ଏହି ସମସ୍ତ ବନ୍ଦୀମାନଙ୍କ ତାଲିକା ଓ ପ୍ରାମାଣିକତା ରହିଛି। ତେଣୁ ରାଜ୍ୟ ସରକାର ସେମାନଙ୍କ ପରିବାରଙ୍କୁ ଚିହ୍ନଟ କରି ସ୍ବୀକୃତି ପ୍ରଦାନ କରନ୍ତୁ। ବରୁଣେଇଠାରେ ଜୟୀ ରାଜଗୁରୁଙ୍କ ସମେତ ୧୭୧ଜଣ ବନ୍ଦୀଙ୍କ ସ୍ମୃତିସ୍ତମ୍ଭ ସ୍ଥାପନ କରାଯାଉ ବୋଲି ପରିଷଦ ଦାବି କରିଛି।

ଦ୍ବିତୀୟ ଅଧିବେଶନରେ ବିଧାୟକ ସଂଜୟ ଦାସବର୍ମା ଯୋଗଦେଇ କହିଲେ, ଜୟୀ ରାଜଗୁରୁଙ୍କ ୨୧ଦିନ ବ୍ୟାପୀ ସଶସ୍ତ୍ର ସଂଗ୍ରାମ ଓ ବଳିଦାନ ସଂପର୍କରେ ଇତିହାସରେ ପୁନର୍ଲିଖନ ଆବଶ୍ୟକ। ଓଡ଼ିଶା ଇତିହାସ କଂଗ୍ରେସ ଓ ରାଜ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଜୟୀ ରାଜଗୁରୁଙ୍କ ସଂଗ୍ରାମୀ ଜୀବନ ଓ ବ୍ୟକ୍ତିତ୍ବ ବାବଦରେ ଗବେଷଣାପୂର୍ବକ ଇତିହାସର ପୁନର୍ଲିଖନ କରିବା ଦରକାର। ନ ହେଲେ ଇତିହାସ କେବଳ କାଳଖଣ୍ଡ ପ୍ରାଧାନ୍ୟ ବିସ୍ତାର କରିବ ସିନା, ଉତ୍ତରପିଢ଼ି ଉପଯୁକ୍ତ ତଥ୍ୟପ୍ରାପ୍ତିରୁ ବଞ୍ଚିତ ହେବେ ବୋଲି ଶ୍ରୀ ଦାସବର୍ମା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର୍‌ ସୋମା ଚାନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ଏଜି ଛକଠାରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର