କଟକ: ନବୀନ ବାବୁଙ୍କ ସହିତ କୌଣସି ସମସ୍ୟା ନାହିଁ। କିନ୍ତୁ ନବୀନ ବାବୁଙ୍କ ନାଁରେ ବାହାର ରାଜ୍ୟର ଅଫିସର ଏଠାରେ ସରକାର ଚଳାଉଥିବାରୁ ଓଡ଼ିଶାବାସୀଙ୍କର ବହୁତ ସମସ୍ୟା ହେଉଛି। ତେଣୁ ଓଡ଼ିଶାର ଜନତା ନିଷ୍ପତ୍ତି ନେଇ ସାରିଛନ୍ତି। ନବୀନ ବାବୁ ବହୁତ ହେଇଗଲା। ଏଥର ବିଜେପି ପାଳି। ବାରବାଟୀ-କଟକରେ ରୋଡ୍ ସୋ’ କରିବା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ଏଭଳି କିଛି ବକ୍ତବ୍ୟ ରଖିଛନ୍ତି। ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଆଜି ଶ୍ରୀ ଶାହ ଗୋପବନ୍ଧୁ ଛକ, ବକ୍ସିବଜାର ନିକଟରୁ ରୋଡ୍ ସୋ ଆରମ୍ଭ କରିଥିଲେ। ଶୋଭାଯାତ୍ରା ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନିମଚୌଡି, ହାଇକୋର୍ଟ ଦେଇ ଚାନ୍ଦିନୀଚୌକରେ ପହଞ୍ଚି ଥିଲା। ରୋଡ୍ ସୋ’ ଶେଷ ପରେ ଶ୍ରୀ ଶାହ ବିହାରୀବାଗ ସ୍ଥିତ ଭର୍ତ୍ତୃହରି ମହତାବଙ୍କ ଘରକୁ ଯାଇ ୪୦ ମିନିଟରୁ ଅଧିକ ସମୟ ରହିଥିଲେ। ସେଠାରୁ ସେ ଭୁବନେଶ୍ବର ଫେରି ଯାଇଥିଲେ।
ନବୀନବାବୁ ବହୁତ ହେଇଗଲା, ଏଥର ବିଜେପି ପାଳି
ଶପଥ ନେବାର ୬ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ
ରତ୍ନଭଣ୍ଡାର ଚାବି ହଜିବାର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ
ଏହି ଅବସରରେ ଶ୍ରୀ ଶାହ କହିଥିଲେ ଯେ ବିଭିନ୍ନ ସମୟରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇ ଆସିଥିବାରୁ ସେ ନବୀନ ବାବୁଙ୍କୁ ଧନ୍ୟବାଦ ଜଣାଉଛନ୍ତି। କିନ୍ତୁ ବିଜେଡି ସହ କେବେ ବିଜେପିର ମେଣ୍ଟ ନଥିଲା। ଆଜି ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ ଭର୍ତ୍ତୃହରି ମହତାବଙ୍କ ଭଳି ବରିଷ୍ଠ ନେତାଙ୍କୁ ଓଡ଼ିଶାର ସମ୍ମାନ ପାଇଁ ବିଜେଡି ସହ ଦୀର୍ଘ ଦିନର ସଂପର୍କ ତୁଟାଇ ବିଜେପିକୁ ଆସିବାବୁ ପଡିଛି। ଏଥର ବିଜେପି ଓଡ଼ିଶାରେ ସରକାର ଗଢିବ। ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ଓ ସମ୍ମାନ ପାଇଁ ବିଜେପି କାର୍ଯ୍ୟ କରିବ। ବିଜେପି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବାର ୬ ଘଣ୍ଟା ଭିତରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲି ଦିଆଯିବ। ଏକ ମାସ ଭିତରେ ରତ୍ନ ଭଣ୍ଡାର ଚାବି ହଜିବାର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଦେଢ ବର୍ଷ ଭିତରେ ଚିଟଫଣ୍ଡର ସମସ୍ତ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତି ବିରୋଧରେ ଲଢୁଛନ୍ତି। ଏଠି ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଲଢେଇରେ ସହଯୋଗ କରୁ ନାହାନ୍ତି। ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ସବୁ ଦୁର୍ନୀତିଗ୍ରସ୍ତ ଜେଲ୍ ଯିବେ ବୋଲି ଶ୍ରୀ ଶାହ କହିଛନ୍ତି। ନବୀବ ବାବୁଙ୍କ ପାଇଁ ନିର୍ଦ୍ଦିଷ୍ଟ କିଛି ବାର୍ତ୍ତା ରହିଛି କି ବୋଲି ପ୍ରଶ୍ନରେ ଶ୍ରୀ ଶାହ କହିଛନ୍ତି ଯେ ସେ ତାମିଲ କହି ପାରିବେ ନାହିଁ। ତେଣୁ ତାଙ୍କ ବାର୍ତ୍ତା ନବୀନ ବାବୁଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଏହି ରୋଡ୍ ସୋରେ ଶ୍ରୀ ଶାହଙ୍କ ସହିତ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଚୌଦ୍ବାର-କଟକ ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତି ଉପସ୍ଥିତ ଥିଲେ।