ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ୨୦୨୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଦୁଇ ତୃତୀୟାଂଶ ଆସନ ଦଖଲ ସହ ସରକାର ଗଠନ କରିବ। ଓଡ଼ିଶା ଗସ୍ତରେ ଆସିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକଥା ଯେତିକି ଦୃଢ଼ ସ୍ବରରେ କହିଲେ, ଓଡ଼ିଶାରେ ବିଜେପି ଶାସନ କ୍ଷମତା ଦଖଲ କଥା କହିବା ବେଳକୁ ତାଙ୍କ ସ୍ବରରେ ଅନୁରୂପ ଦମ୍ଭୋକ୍ତି ଆଦୌ ପ୍ରତିଫଳିତ ହେଲାନାହିଁ। ଏପରିକି ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ନିଶ୍ଚିତ ସରକାର ଗଠନ କରିବ; ଏଭଳି ଗୋଟିଏ ସ୍ପଷ୍ଟ ମତ ସେ ଦେଲେନାହିଁ, ଯେମିତି ୨୦୧୯ରେ ବିଜେପି ୧୨୦ ଆସନ ଦଖଲ କରିବ ବୋଲି ୨୦୧୭ରୁ ଶ୍ରୀ ଶାହ ବାରମ୍ବାର ଦୋହରାଉଥିଲେ। ସ୍ବତଃ ଯେଉଁ କଥାଟି ରାଜ୍ୟ ବିଜେପି କର୍ମୀ ଓ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ତାହା ହେଲା, ୨୦୨୪ ପାଇଁ ବିଜେପିର ଓଡ଼ିଶା ଲାଗି ଯୋଜନା କ’ଣ?
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାର ଉତ୍ତର ଖୋଜୁଥିବା ବେଳେ ଯାହା ସାମ୍ନାକୁ ଆସିଲା, ତାହା ହେଲା- ନିଜେ ଶାହ ଅନୁଭବ କରିଛନ୍ତି ଓଡ଼ିଶା ଲୋକଙ୍କ ଭଲପାଇବା ଥିବା ସତ୍ତ୍ବେ ଶାସନ କ୍ଷମତା ଦଖଲ ପାଇଁ ରାଜ୍ୟ ବିଜେପି ସର୍ବନିମ୍ନ ହୋମ୍ୱାର୍କ କରିନାହିଁ। ତାଙ୍କ ଆଖିରୁ ଏକଥା ବି ଖସିନି ଯେ ଏବେଠୁ ରାଜ୍ୟ ବିଜେପିରେ ଏକାଧିକ ନେତା ମୁଖ୍ୟମନ୍ତ୍ରୀ ଆଶାୟୀ ଅଛନ୍ତି ଏବଂ ଗୋଷ୍ଠୀ କରି ଅନ୍ତଃକନ୍ଦଳରେ ଲିପ୍ତ ରହିଛନ୍ତି। ଏକଥା ମନ ଭିତରେ ଚାପି ନ ରଖି ଶାହ ରୁଦ୍ଧଦ୍ବାର ବୈଠକରେ ସଫା ଗଳାରେ, ମିଠା ବାକ୍ୟରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ କରିବା ଭଳି ଜଣାଇଦେଇଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ଶାହ ରାଜ୍ୟ ସଂଗଠନର ଦୋଷ ଦୁର୍ବଳତାର ଏତେ ଲମ୍ବା ତାଲିକା ଧରାଇଲେ ଯେ ଗତ ତିନିବର୍ଷ ଧରି ବିଜେପି-ବିଜେଡିର ନିବିଡ଼ତା ବା କେନ୍ଦ୍ରର ରାଜ୍ୟ ବିଜେପି ପ୍ରତି ‘ନରମ’ ଆଭିମୁଖ୍ୟ କାରଣରୁ ଓଡ଼ିଶାରେ ଦଳ ଅଡ଼ୁଆରେ ପଡ଼ୁଛି ବୋଲି ଉପସ୍ଥିତ ବିଜେପି ନେତାଙ୍କ ମନରେ ଯେଉଁ ପ୍ରଶ୍ନଟି ପଚାରିବାକୁ ବାରମ୍ବାର ଉଙ୍କି ମାରୁଥିଲା, ତାହା ପ୍ରକାଶ ପାଇପାରିଲା ନାହିଁ। ବରଂ ହୃଦୟ ଭିତରେ ମଉଳିଗଲା।
ଓଡ଼ିଶା ନେତାଙ୍କ ମନର କଥା ମନରେ ରହିଗଲା
ନୂଆ ନକ୍ସାରେ ସଂଗଠନକୁ ଅଧିକ ଗୁରୁତ୍ବ ନିଷ୍ପତ୍ତି
ସାଂସଦ, ବିଧାୟକଙ୍କୁ ଅଧିକ ଦାୟିତ୍ବ ମିଳିପାରେ
ଓଲଟା ଶ୍ରୀ ଶାହ ରାଜ୍ୟ ବିଜେପି ନେତାଙ୍କୁ ପଚାରିଲେ ଯେ ବୁଥ୍ରେ ସଂଗଠନ ମଜବୁତ କରିବା, ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା କହିବା ଓ କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି କେନ୍ଦ୍ରର କୌଣସି ନେତା ମନା କରିଛନ୍ତି କି? ଓଡ଼ିଶାରେ କିଛି କରିବାର ଅଛି ନା ନାହିଁ? ତ୍ରିପୁରା, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ ଭଳି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ବେଳେ ଅପାର ସମ୍ଭାବନା ଥାଇ ଓଡ଼ିଶା ବିଜେପି ଉଧାଉନାହିଁ କାହିଁକି? ତୁମ ବୁଥ୍ ବଢ଼ାଇବା ତୁମ କାମ। ତୁମେ ବିଧାୟକ ହେବ, ତୁମେ ସାଂସଦ ହେବ, ସଂଗଠନ ତୁମେ କରିବନି, ଆଉ କେନ୍ଦ୍ରରୁ ନେତାମାନେ ଆସି କରିବେ? ୨୦୧୭ ନିର୍ବାଚନରେ ବିଜେପି ୩୪% ଭୋଟ ପାଇଥିଲା। ମୋଦୀଙ୍କ ଲୋକପ୍ରିୟତା ବଢ଼ୁଥିବା ବେଳେ ଏଠି ଭୋଟ ପ୍ରତିଶତ କମିବ କେମିତି?
ବଡ଼ ସମାବେଶ ଓ ସାଧାରଣ ସଭା ଗୋଟିଏ ରାଜନୈତିକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାଏ, ଦଳର ତୃଣମୂଳସ୍ତରରେ ଯଦି ସଗଂଠନ ନ ଥିବ, ତେବେ ଏହା ଭୋଟରେ ରୂପାନ୍ତରିତ ହୋଇପାରିବ ନାହିଁ। ବିରୋଧୀ ଦଳ ହିସାବରେ ରାଜ୍ୟ ବିଜେପି ଯେଉଁ ତିନିଟି ପ୍ରସଙ୍ଗ ହାତକୁ ନେବା କଥା ତାହା କରିନାହିଁ। ଆଠ ବର୍ଷ ଧରି ମୋଦୀ କରିଥିବା ଅଂସଖ୍ୟ ଯୋଜନାକୁ ଲୋକଙ୍କ ପାଖକୁ ଦଳ ନେଇପାରିନାହିଁ। ରାଜ୍ୟ ସରକାରଙ୍କ ବିରୋଧରେ ହାଵା ସୃଷ୍ଟି କରାଯାଇପାରିନାହିଁ ଏବଂ ତୃଣମୂଳସ୍ତରରୁ ବା ବୁଥ୍ରୁ ସଂଗଠନ ସୁଦୃଢ କରାଯାଇପାରିନାହିଁ।
କୌତୂହଳର କଥା ହେଉଛି, ରାଜ୍ୟ ବିଜେପି ନେତାମାନେ ଶ୍ରୀ ଶାହଙ୍କ ଅଭିଯୋଗକୁ ଟାଳି ପାରିନାହାନ୍ତି। କାରଣ ବାସ୍ତବତା ହେଲା ଗତ ତିନିବର୍ଷ ଧରି କୌଣସି ଅଜ୍ଞାତ କାରଣରୁ ରାଜ୍ୟ ବିଜେପିରେ ଶିଥିଳତା ଦେଖାଦେଇଛି। ଆଇନଶୃଙ୍ଖଳା ଭଳି କିଛି ପ୍ରସଙ୍ଗରେ ବିକ୍ଷୋଭ ସମାବେଶ ଛାଡ଼ିଦେଲେ ରାଜ୍ୟ ବିଜେପି ନେତା ସେଭଳି କୌଣସି ବଡ଼ କାର୍ଯ୍ୟକ୍ରମ କରିପାରିନାହାନ୍ତି। ଓଲଟା ଏମିତି ପରିସ୍ଥିତି ସୃଷ୍ଟି େହାଇଥିଲା ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀ ଓ ଆଉ ଗୋଟିଏ ସମାନ୍ତରାଳ ଗୋଷ୍ଠୀ ମୁଣ୍ଡ ଟେକିଥିଲେ। ଯାହାକୁ ବୁଲେଇ ବଙ୍କେଇ ଶ୍ରୀ ଶାହ ଜଣାଇଦେଲେ ଯେ ଏସବୁ ସଂପର୍କରେ ତାଙ୍କ ପାଖରେ ଖବର ଅଛି।
/sambad/media/post_attachments/wp-content/uploads/2022/03/bjp-4.jpg)
ତେବେ ବିଜେପି କର୍ମୀଙ୍କ ପାଇଁ ଆଶ୍ବସ୍ତିର ଖବର ହେଲା ଯେ ଓଡ଼ିଶାରେ ପାଞ୍ଚମାସ ମଧ୍ୟରେ ତାଙ୍କ ଦଳ ଗୋଟିଏ ବଡ ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି। ତାର ଗୋଟିଏ ନକ୍ସା ମଧ୍ୟ ଶ୍ରୀ ଶାହ ଓଡ଼ିଶାରେ ଛାଡ଼ି ଯାଇଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଦଳର ସଭାପତିଙ୍କ ଠାରୁ ଆରମ୍ଭ କରି ପ୍ରଭାରୀ, ସବୁ ଟାଣୁଆ ନେତା, ବିଧାୟକ, ସାଂସଦ ପରସ୍ପର ଆଲୋଚନା, ବିତର୍କ, କର୍ମଶାଳା କରନ୍ତୁ। ମାସେ ବ୍ୟାପୀ ଏ ନେଇ କାର୍ଯ୍ୟକ୍ରମ ଚାଲୁ। ତାଙ୍କୁ ବି ଖବର ଦେଲେ ସେ ଆସିବେ। ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ବି ଯୋଗଦେବେ। ଏଥିରୁ ଯେଉଁ ନିଷ୍କର୍ଷ ବାହାରିବ, ସେ ଆଧାରରେ ଦଳ ପରବର୍ତ୍ତୀ ଚାରିମାସ କାର୍ଯ୍ୟକ୍ରମ ହାତକୁ ନେବ। କେବଳ ସେତିକି ନୁହେଁ, ପ୍ରତ୍ୟେକ ସାଂସଦ ଆଉ ଦୁଇଟି ସଂସଦୀୟ କ୍ଷେତ୍ରର ଦାୟିତ୍ବ ନିଅନ୍ତୁ। ପ୍ରତି ବିଧାୟକ ନିଜ ଅଞ୍ଚଳରେ ସୀମିତ ନ ରହି ପଡ଼ୋଶୀ ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀରେ ବୁଥ୍ ଓ ଵାର୍ଡସ୍ତରରେ ସଂଗଠନ ସଜାଡନ୍ତୁ ବୋଲି ଶ୍ରୀ ଶାହ ପ୍ରସ୍ତାବ ଦେଇଥିଲେ।
ସମୁଦାୟ ଘଟଣାକୁ ନିରେଖି ଦେଖିବା ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଯେଉଁ ସଙ୍କେତ ଦେଉଛନ୍ତି, ତାହା ହେଲା ବିଜେପି ତାର ରଣନୀତିରେ ପରିଣତ ଆଣିବାକୁ ଯାଉଛି। ପୂର୍ବଭଳି ଆକ୍ରମଣାତ୍ମକ ଢଙ୍ଗରେ ବା କେନ୍ଦ୍ରୀୟ ନେତାଙ୍କ ଗର୍ଜନ ତର୍ଜନରେ ନୁହେଁ ବରଂ ତୃଣମୂଳସ୍ତରରୁ ସଂଗଠନ ସଜାଡ଼ିବା କୌଶଳକୁ ଦଳ ଏବେ ଗୁରୁତ୍ବ ଦେବ। ଦ୍ବିତୀୟରେ, ବିରୋଧୀ ଶିବିରରେ ଫାଟ ସୃଷ୍ଟି କରି ସେଥିରୁ ଫାଇଦା ନେବା ଲାଗି ବିଜେପିର ଯୋଜନା କଟକ ସମାବେଶରୁ ଯେ କେହି ବୁଝିପାରିବେ। ଏଇଟା ଦଳ ପାଇଁ ବଡ଼ ବଳ ବି ହୋଇପାରେ।