‘ଶୈଳବାଳା’କୁ ଅବହେଳା ପଛରେ ଷଡ଼ଯନ୍ତ୍ର! ଅଧା ଅଧ୍ୟାପକ ନାହାନ୍ତି; ଦୁଇ ବର୍ଷ ହେଲା ନିଯୁକ୍ତି ନାହିଁ

କଟକ : କଟକରେ ଥିବା ଶହେ ବର୍ଷର ପୁରୁଣା ଐତିହାସିକ ଶୈଳବାଳା ମହାବିଦ୍ୟାଳୟକୁ ଜାଣିଶୁଣି ଦୟନୀୟ ସ୍ଥିତିକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର। କଲେଜର ବିକାଶ ପାଇଁ ପଦକ୍ଷେପ ନେବା ତ ଦୂରର କଥା, ରହିଥିବା ଭିତ୍ତିଭୂମିକୁ ବି ବିଗାଡ଼ି ଚାଲିଛନ୍ତି। ଯାହା ଫଳରେ ଏକଦା ରାଜ୍ୟର କୃତୀ ଛାତ୍ରୀଙ୍କ ପାଇଁ ପ୍ରଥମ ଆକ‌ର୍ଷଣ ରହି ଆସିଥିବା ଏହି ମହିଳା ମହାବିଦ୍ୟାୟରୁ ଛାତ୍ରୀମାନେ ମୁହଁ ଫେରାଇ ଘରୋଇ ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।

ଓଡ଼ିଶାର ପ୍ରଥମ ଓ ଭାରତର ତୃତୀୟ ମହିଳା କଲେଜ ହେଉଛି କଟକର ଶୈଳବାଳା ସ୍ବଂୟଶାସିତ ମହିଳା ମହାବିଦ୍ୟାଳୟ। କିନ୍ତୁ ଏ କଲେଜ ପ୍ରତି ସରକାର ସଂପୂର୍ଣ୍ଣ ଆଖିବୁଜି ଦେବା ସହିତ କଲେଜକୁ ନେଇ ଉଠୁଥିବା ବିଭିନ୍ନ ଦାବିକୁ ନଜରଆନ୍ଦାଜ କରି ଚାଲିଛନ୍ତି। ରାଜ୍ୟର ପ୍ରଥମ ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଉଠୁଥିବା ସ୍ବରକୁ ଶୁଣିବା ତ ଦୂରର କଥା; ଏବେ କଲେଜରେ ପାଠ ପଢ଼ାଇବାକୁ ଆବଶ୍ୟକ ସର୍ବନିମ୍ନ ଅଧ୍ୟାପକ-କର୍ମଚାରୀ ବି ନିଯୁକ୍ତ କରୁ ନାହାନ୍ତି। ଏହି ଐତିହାସିକ ଶିକ୍ଷାନୁଷ୍ଠାନ ପ୍ରତି ଏଭଳି ଉଦାସୀନତାର କାରଣ କଣ, ତାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ କଟକ ସହରବାସୀ, ବୁଦ୍ଧିଜୀବୀ ଏବଂ ଏହି ଶିକ୍ଷାନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କଟକ ଜିଲ୍ଲାର ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀ, ବରିଷ୍ଠ ବିଧାୟକ ଏବଂ ଲଗାତର ରେକର୍ଡ ବିଜୟ ହାସଲ କରି ଚାଲିଥିବା ସାଂସଦ ଥାଇ ବି ଏ ପ୍ରସଙ୍ଗରେ ବି ମୁହଁ ଖୋଲୁ ନାହାନ୍ତି।

ଶୈଳବାଳା ମହିଳା ମହାବିଦ୍ୟାଳୟରେ ଦୁଇ ବର୍ଷରୁ ଅଧିକ ହେଲାଣି ଆଉ କୌଣସି ଅଧ୍ୟାପକ, କର୍ମଚାରୀ ପଦବି ପୂରଣ ହେଉ ନାହିଁ। କଲେଜରେ ଏବେ ଯୁକ୍ତ ଦୁଇ, ଯୁକ୍ତ ତିନି, ପିଜି, ଏମ୍‌ଫିଲ୍‌ ଭଳି ପାଠ୍ୟକ୍ରମ ରହିଥିବା ବେଳେ ମଂଜୁରିପ୍ରାପ୍ତ ପଦବିର ଅଧାରୁ ଅଧିକ ଖାଲି ପଡ଼ିଛି। ଲାଇବ୍ରେରିଆନ, ଲ୍ୟାବ ଆସିଷ୍ଟାଣ୍ଟ ବି ନାହାନ୍ତି। ଏ ସଂପର୍କରେ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖି ଅନୁରୋଧ କରୁଥିଲେ ବି ଉଚ୍ଚଶିକ୍ଷା ବିଭାଗ ସବୁ ଚିଠିକୁ ଚାପି ଦେଇ ଶୋଇଯାଇଛି।

ଶୈଳବାଳା ମହିଳା ମହାବିଦ୍ୟାଳୟକୁ ୨୦୧୭ ମସିହାରେ ସରକାର ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଭୁବନେଶ୍ବରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିଲେ ବି ଶୈଳବାଳା ମହିଳା ମହାବିଦ୍ୟାଳୟର ଦାବିକୁ ଉପେକ୍ଷା କଲେ। କଲେଜରେ ଏବେ ୩୫ଶହରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି। କଲେଜ ପାଇଁ ମଂଜୁରିପ୍ରାପ୍ତ ଅଧ୍ୟାପକ-କର୍ମଚାରୀ ପଦବି ସଂଖ୍ୟା ହେଉଛି ୨୪୫। କିନ୍ତୁ ବର୍ତ୍ତମାନ ଅଛନ୍ତି ମାତ୍ର ୧୦୭ ଜଣ। ସ୍ନାତକୋତ୍ତର ଇଂରାଜୀ ବିଭାଗ, ନୃତତ୍ତ୍ବ ବିଭାଗ, ବାଣିଜ୍ୟ ବିଭାଗ, ଇତିହାସ ବିଭାଗରେ ଅଧ୍ୟାପକ-ଅଧ୍ୟାପିକା ନାହାନ୍ତି। ୫ ଜଣ ଲାଇବ୍ରେରିଆନ ପଦବି ଥିବା ବେଳେ ମାତ୍ର ଜଣେ ଲାଇବ୍ରେରିଆନ୍‌ଙ୍କୁ ନେଇ କାମ ଚାଲିଛି। କଲେଜ ପରିସର ଓ ଛାତ୍ରୀନିବାସରେ ୧୦ଜଣ ସୁରକ୍ଷାକର୍ମୀ ମୁତୟନ ହେବାକୁ ଥିବା ବେଳେ ଅଛନ୍ତି ମାତ୍ର ୪ ଜଣ। ମୁଖ୍ୟ କିରାଣି ପଦ ଖାଲି ପଡ଼ିଛି। ୯ଜଣ ଷ୍ଟୋର କିପରଙ୍କ ସ୍ଥାନରେ ଅଛନ୍ତି ମାତ୍ର ଜଣେ। ୨୨ଜଣ ଡେମୋନ୍‌ଷ୍ଟ୍ରେଟରଙ୍କ ସ୍ଥାନରେ ମାତ୍ର ୨ ଜଣ ଅଛନ୍ତି। ୩୧ ଜଣ ଲ୍ୟାବ୍‌ ଆଟେଣ୍ତାଣ୍ଟଙ୍କ ଜାଗ‌ାରେ ଅଛନ୍ତି ମାତ୍ର ୧୦ ଜଣ। ୯ ଜଣ ସଫେଇ କର୍ମଚାରୀଙ୍କ ସ୍ଥାନରେ କାମ କରୁଛନ୍ତି ୪ ଜଣ। ଏଭଳି ସ୍ଥିତିରେ ପାଠପଢ଼ା ସହିତ ଛାତ୍ରୀଙ୍କ ସୁରକ୍ଷା, କଲେଜ ଓ ହଷ୍ଟେଲର ପରିମଳ ବ୍ୟବସ୍ଥା ବି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। କଲେଜକୁ ଏଭଳି ସ୍ଥିତିକୁ ଜାଣିଶୁଣି ଠେଲି ଦିଆଯିବା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ସନ୍ଦେହ ଦିନକୁ ଦିନ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର