ଫୁଲବାଣୀ/ଘୁ.ଉଦୟଗିରି : ନଭେମ୍ବର ପ୍ରଥମାର୍ଦ୍ଧରୁ ସମଗ୍ର କନ୍ଧମାଳ ଶୀତରେ ଥରୁଛି। ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ କରା ଯାଇଥିବା ବେଳେ ଲଗାତାର ରାଜ୍ୟର ସବୁଠାରୁ ଥଣ୍ଡ ସହର ଭାବେ ପରିଗଣିତ ହୋଇଆସୁଛି। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଏବଂ ଫୁଲବାଣୀରେ ୧୦.୫ ଡିଗ୍ରି ରହିଛି। ଜିଲ୍ଲାର ସବୁଠି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତବର୍ଷ ନଭେମ୍ବର ତୁଳନାରେ ଚଳିତ ବର୍ଷ ପାରଦ ତଳକୁ ଖସି ଆସିଛି। ଗତବର୍ଷ ନଭେମ୍ବରରେ ପାରଦ ୧୫ ଡିଗ୍ରି ତଳକୁ ଖସି ନଥିବାବେଳେ ଚଳିତ ବର୍ଷ ୧୦ ଡିଗ୍ରି ତଳକୁ ଖସି ଆସିବାରୁ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଶୀତରେ ଥରୁଛି। କେବଳ ଘୁ.ଉଦୟଗିରି କି ଦାରିଙ୍ଗବାଡ଼ି ନୁହେଁ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା, ମଣ୍ଡାସରୁ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।
ଗତ କିଛିଦିନ ଧରି କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେଉଛି। ରାତି ୮ଟାରୁ କୁହୁଡ଼ି ଆରମ୍ଭ ହୋଇ ପରଦିନ ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ କୁହୁଡ଼ିର ଚାଦର ତଳେ କନ୍ଧମାଳ ଢାଙ୍କି ରହୁଛି। ଘନ କୁହୁଡ଼ି ଯୋଗୁଁ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ୧୦ ପୂର୍ବରୁ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳୁନି। ପ୍ରବଳ ଶୀତ କାରଣରୁ ଲୋକେ ମର୍ଣ୍ଣିଂୱାକ୍ରେ ଯାଉଥିବାବେଳେ ଚା' ଦୋକାନମାନଙ୍କରେ ଭିଡ଼ ଜମାଉଥିବାର ଦେଖିବାକୁ ମିଳୁଛି। ଶୀତରେ ଯୋଗ, ବ୍ୟାୟାମ ପାଇଁ ବିଭିନ୍ନ ପାର୍କ ଓ ଇନ୍ଡୋର ହଲ୍ରେ ଲୋକେ ଏକତ୍ରିତ ହେଉଥିବାର ଦେଖିବାକୁ ମିଳୁଛି। ଗତ ସପ୍ତାହେ ଧରି ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି। ପ୍ରବଳ ଶୀତରେ ଆଦିବାସୀ ଗାଁମାନଙ୍କରେ କାଠରେ ଅଗ୍ନି ସଂଯୋଗ କରି ନିଆଁ ପୋଉଁଥିବାର ଦେଖିବାକୁ ମିଳିଛି। ଅପରପକ୍ଷେ, ଆସନ୍ତା ସପ୍ତାହେ ଧରି ଏଭଳି ଶୀତଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତଲହରୀକୁ ଦେଖି କନ୍ଧମାଳ ଜିଲ୍ଲାରେ ସତର୍କତା ଜାରି କରାଯାଇଛି। ପ୍ରବଳ ଶୀତରେ ବାହାରକୁ ବାହାରିବାକୁ ମନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/26-11.jpg)