ସୁସ୍ଥ ସମାଜ ଗଠନ ପାଇଁ ନାରୀକୁ ଯଥୋଚିତ ସମ୍ମାନ ମିଳୁ

ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ଓ ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ଶକ୍ତି ଉତ୍ସବ

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ସହଯୋଗରେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ତରଫରୁ ଦ୍ୱିତୀୟ ଶକ୍ତି ଉତ୍ସବ ଆୟୋଜିତ ହୋଇଯାଇଛି। ନିଜର ଭୂମିକା, ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ଦକ୍ଷତାର ସହ ସଂପାଦନା କରି ଦେଶ ଓ ଜାତିର ମଙ୍ଗଳ ପାଇଁ ଉଲ୍ଲେଖଯୋଗ୍ୟ ସେବା ପ୍ରଦାନ ପାଇଁ ସାରା ବିଶ୍ବରେ ନାରୀ ପ୍ରଶଂସା ଅର୍ଜନ କରି ଚାଲିଛି। ତେଣୁ ମହିଳାମାନେ ସମାଜରେ ସମାନ ସମ୍ମାନ, ଉଚିତ ମାନ୍ୟତା ଓ ଉପଯୁକ୍ତ ଅଧିକାର ପାଇବା ପାଇଁ ହକ୍‌ଦାର ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଉଭୟ ବାସ୍ତବ ଓ ଆଭାସୀ ମଞ୍ଚରେ ଅନୁଷ୍ଠିତ ଏହି ସମାରୋହରେ ଶତାଧିକ ନାରୀନେତ୍ରୀ, ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ବିଶ୍ୱ ଭରି ଶୋଭନୀୟ ଆନ୍ଦୋଳନ ଏବଂ ୱାଓସୋର ସଦସ୍ୟମାନେ ଯୋଗ ଦେଇଥିଲେ।

ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ସ୍ବାଗତ ଭାଷଣ ଦେଇ କହିଲେ, ନାରୀମାନେ ଦୁନିଆର ସୃଷ୍ଟିକର୍ତ୍ତା ହୋଇଥିବାରୁ ସଦାସର୍ବଦା ପୂଜାର ପାତ୍ର। ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଓ ୱାଓସୋର ପ୍ରତିଷ୍ଠାତ୍ରୀ ଅରୁନ୍ଧତୀ ଦେବୀ କହିଲେ, ସାରା ଦୁନିଆରେ ମାତୃଶକ୍ତିକୁ ଯଥୋଚିତ ମାନ୍ୟତା ଦିଆଗଲେ ଏକ ସୁସ୍ଥ, ସୁରକ୍ଷିତ ଓ ଶୋଭନୀୟ ସମାଜ ଗଠନ ହୋଇପାରିବ। ୱାଓସୋର ମହିଳା ଶାଖା ସଭାପତି ସୁନନ୍ଦା ମିଶ୍ର ପଣ୍ଡା ଭାରତୀୟ ସଂସ୍କୃତିରେ ବେଦ ଯୁଗଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନାରୀକୁ ନିରନ୍ତର ଭାବେ ମର୍ଯ୍ୟାଦା ପ୍ରଦାନ କରାଯାଇ ଆସିଛି ବୋଲି କହିଥିଲେ।

ୱାଓସୋର ମହିଳା ଶାଖାର ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟୁଆ କହିଲେ, ମହିଳାମାନେ ସବୁକ୍ଷେତ୍ରରେ ସେମାନଙ୍କ ଉତ୍କର୍ଷ ପ୍ରତିପାଦନ କରି ପ୍ରଶସ୍ତି ଅର୍ଜନ କରୁଛନ୍ତି। ସମ୍ମାନିତ ଅତିଥି ବଲାଙ୍ଗୀର ଉପଜିଲ୍ଲାପାଳ ଶୁଭସ୍ମିତା ମିଶ୍ର ନାରୀ ଦୟା, କ୍ଷମା ଏବଂ କୃତଜ୍ଞତାର ଜାଜ୍ଜ୍ବଲ୍ୟମାନ ପ୍ରତୀକ ବୋଲି କହିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଇଲିଆନା ସିଟ୍ଟାରିଷ୍ଟି ମାତୃଶକ୍ତିକୁ ସର୍ବୋପରି ଓ ସର୍ବଶ୍ରେଷ୍ଠ ଆଖ୍ୟା ପ୍ରଦାନ କରିଥିଲେ। ପ୍ରତିଷ୍ଠିତ ଲେଖିକା କବିତା ଗୁପ୍ତା ନାରୀ ଜାତିର ସଶକ୍ତୀକରଣ ସକାଶେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଇଣ୍ଡୋନେସିଆର ଆଧ୍ୟାତ୍ମିକ ଗୁରୁ ଅଗସ ଇନ୍ଦ୍ର ଉଦୟନ୍ ବିଶ୍ୱ ସାରା ସୁଖ ସମୃଦ୍ଧି କାମନା କରି କବିତା ଆବୃତ୍ତି କରିଥିଲେ। ଶୋଭନୀୟ ଆନ୍ଦୋଳନର ବରିଷ୍ଠ ସଦସ୍ୟ ବନଲତା ଦେବୀ ଦେବଶିଶୁମାନେ ନୀତିନିଷ୍ଠ ଓ ଆତ୍ମନିର୍ଭର ହେବା ଉପରେ ଜୋର୍ ଦେଇଥିଲେ। ଅଧ୍ୟାପିକା ଜ୍ୟୋତିର୍ମୟୀ ମହାନ୍ତି ନାରୀ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ପରିସ୍ଫୁଟନ ଓ ବିନିଯୋଗକରଣ ସପକ୍ଷରେ ମତ ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆରୁ ୱାଓସୋର ଉପାଧ୍ୟକ୍ଷ ନଳିନୀ ପତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର