ବାରିପଦା: ଜଙ୍ଗଲରୁ ଶାଳପତ୍ର ତୋଳି ଶୁଖାଇବା ପରେ ଦୁଇଟି ପତ୍ରକୁ ଯୋଡ଼ି ସିଲେଇ କରି ବ୍ୟବସାୟୀଙ୍କୁ ବିକ୍ରି କରିବା ପରେ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ । ବର୍ତ୍ତର୍ମାନ ଏହି ଶାଳପତ୍ର ବ୍ୟବସାୟୀମାନଙ୍କ ଉପରେ ବାଜି ଥିବା କରୋନା ଛାଟ ସେମାନଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନେଇଛି । ଏହି ଭଳି ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଟସରଡ଼ା ଗ୍ରାମରେ । ଉକ୍ତ ଗ୍ରାମରେ ବସବାସ କରୁଥିବା ପ୍ରାୟ ଶହେ ପରିବାର ମଧ୍ୟରୁ ୫/୭ ପରିବାରକୁ ବାଦ ଦେଲେ ଅନ୍ୟ ସମସ୍ତେ ପରିବାର ନିକଟସ୍ଥ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରିବା ପରେ ତାକୁ ଖରାରେ ଶୁଖାଇଥାନ୍ତି । ଏହାପରେ ଦୁଇଟି ପତ୍ରକୁ ଯୋଡ଼ି ସିଲେଇ କରି ଶହେଟି ଲେଖାଏଁ ଥାକ କରିଥାନ୍ତି । ପ୍ରତ୍ୟେକ ହଜାର ପ୍ରତି ପୂର୍ବରୁ ୭୦ ଟଙ୍କା ଲେଖାଏଁ ବ୍ୟବସାୟୀମାନଙ୍କୁ ବିକ୍ରି କରୁଥାନ୍ତି । ଏଥିରୁ ମାସରେ ୭ ହଜାର ଟଙ୍କାରୁ ଅଧିକ ରୋଜଗାର କରିଆସୁଥିବା ବେଳେ ଗତ ମାର୍ଚ୍ଚ ୨୪ରୁ କରୋନା ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକ୍ ଡ଼ାଉନ ପ୍ରଭାବିତ କରାଇଛି ଏହି ଶାଳପତ୍ର ବ୍ୟବସାୟୀମାନଙ୍କ ଜୀବନ ଜୀବିକା ।
ମୟୂରଭଞ୍ଜ ଜିଲ୍ଲା ପ୍ରଥମେ ଗ୍ରୀନ ଜୋନ ଓ ପରବର୍ତ୍ତୀ ସମୟରେ ଅରେଞ୍ଜ ଜୋନକୁ ଖସି ଆସିଛି । ଜିଲ୍ଲାରେ ୩ .୦ ପର୍ଯ୍ୟାୟ ଲକ୍ ଡ଼ାଉନ ପରେ କୋଭିଡ଼-୧୯ ମାଗଦର୍ଶୀକା କୋହଳ ହୋଇଛି । ଦୋକାନ ବଜାର ସର୍ତ ମୂଳକ ଭାବେ ଖୋଲି ଥିବା ସାଙ୍ଗକୁ ମାଲ ପରିବହନ ନିମନ୍ତେ ଅନୁମତି ମିଳି ପାରିଥିଲେ ମଧ୍ୟ ଏମାନଙ୍କ ବ୍ୟବସାୟ ମାନ୍ଦାରେ ଚାଲିଛିା ପୂର୍ବ ଭଳି ବ୍ୟବସାୟ ହେଉନ ଥିବା ବେଳେ ମାଲ ନେବା ନିମନ୍ତେ
ବ୍ୟବସାୟୀମାନଙ୍କ ସାକ୍ଷାତ ମିଳୁ ନାହିଁ । ପୂର୍ବରୁ ଯୋଡ଼ି ସିଲେଇ ହୋଇଥିବା ଦୁଇଟି ଶାଳପତ୍ର ହଜାର ପ୍ରତି ୭୦ ଟଙ୍କାରେ ବ୍ୟବସାୟୀମାନେ ଆସି ଘରୁ ସଂଗ୍ରହ କରି ନେଇ ଯାଉଥିବା ବେଳେ ବର୍ତ୍ତର୍ମାନ ୩୦ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ବ୍ୟବସାୟରେ ୬୦ ପ୍ରତିଶତ ଘାଟା ସହିବାକୁ ପଡ଼ୁଛି । ପୁଣି ମାଲ ନେବାକୁ ବ୍ୟବସାୟୀମାନଙ୍କର ଆଗ ଭଳି ଆଉ ପ୍ରତିଯୋଗିତା ନାହିଁ । ଫଳରେ ଶାଳପତ୍ର ବିକ୍ରି ବଟା ହୋଇ ପାରୁ ନାହିଁ । ଏହାକୁ ଗଚ୍ଛିତ ରଖିବା ନିମନ୍ତେ ମଧ୍ୟ ଘରେ ସ୍ଥାନର ଅଭାବ ରହିଛି । ତେଣୁ ମାଲ ବିକ୍ରି ନ ହୋଇ ପାରିବାରୁ ଶାଳପତ୍ର ବ୍ୟବସାୟୀମାନଙ୍କର ରୋଜଗାର ବାଧାପ୍ରାପ୍ତ ହୋଇଛି । ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟ କର ହୋଇପଡ଼ିଛି ବୋଲି ଟସରଡ଼ା ଗ୍ରାମର ପାଗଲୁ ମହାନ୍ତ ପ୍ରକାଶ କରିଛନ୍ତି ।
ସେହିପରି ଲକ୍ ଡ଼ାଉନ ଫଳରେ ବାହାଘର, ବ୍ରତଘର ସହିତ ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଆଦି କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ସେମାନଙ୍କ ବ୍ୟବସାୟରେ ଘାଟା ହୋଇଛି । ସେମାନଙ୍କ ନିକଟରୁ ସଂଗୃହୀତ ହେଉଥିବା ଶାଳପତ୍ରରେ ମେସିନ ଦ୍ୱାରା ଦୋନା, ଖଲି, ପ୍ଲେଟ ଆଦି ପ୍ରସ୍ତୁତ ହୋଇ ବଜାରକୁ ଯାଉଥାଏ । ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ବାହାର ରାଜ୍ୟଗୁଡ଼ିକୁ ଯାଉଥାଏ । ମାତ୍ର ଲକ୍ ଡ଼ାଉନ ସବୁ କିଛି ଉପରେ ଅଙ୍କୁଶ ଲଗାଇ ଦେଇଥିବାରୁ ଆଜି ବ୍ୟବସାୟ ବନ୍ଦ ହେବାକୁ ବସିଛି । ଯାହାଫଳରେ ପରିବାରର ଭରଣପୋଷଣ ଦାୟିତ୍ୱ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି । ସରକାର ଯାହା ଚାଉଳ, ଡ଼ାଲି ଦେଇଥିଲେ ତାହା ଶେଷ ହେବାକୁ ବସିଛି । ଆଗକୁ କିପରି ପରିବାରର ସଦସ୍ୟମାନଙ୍କୁ ମୁହଁରେ ଦୁଇ ବେଳା ଆହାର ଯୋଗାଇବୁ ସେହି ଚିନ୍ତା ଘାରିଛି । ଏହି ଭଳି କଷ୍ଟକର ପରିସ୍ଥିତି ମଧ୍ୟରେ ସମାଜରେ ବଞ୍ଚି ରହିବା ନିମନ୍ତେ ସଂଗ୍ରାମ ଜାରି ରହିଛି ବୋଲି ପାଗଲୁ ମହାନ୍ତ ପ୍ରକାଶ କରିଥିଲେ ।