ଭୁବନେଶ୍ବର: ସକାଳୁ ସକାଳୁ ବାଇକ୍‌ରେ ବାହାରି ଯାଉଥିଲେ। ଯିଏ ହାବୁଡ଼ରେ ପଡ଼ିଲା ସୁଯୋଗ ପାଇଲେ ନିର୍ମମଭାବେ କଟୁରିରେ ହାଣି ଲୁଟୁଥିଲେ। ଏମିତି ଏକ କୁଖ୍ୟାତ ‘ଶଳା ଭିଣୋଇ’ ଲୁଟେରା ଗ୍ୟାଙ୍ଗକୁ କମିସନରେ୍‌ଟ ପୁଲିସ କାବୁ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରା ଯାଇଛି। ସେମାନେ ହେଉଛନ୍ତି ବାଣୀବିହାର ଆଖଣ୍ଡଳମଣୀ ବସ୍ତିର ଗଣେଶ ପୃଷ୍ଟି (୪୦), ତା’ ଶଳା ଶଙ୍କର ଦାସ (୨୯) ତଥା ଖାରବେଳନଗର ମସ୍‌ଜିଦ୍‌ କଲୋନିର ସେକ୍‌ ନିୟମତ୍‌ ଓରଫ ଛୋଟୁ (୪୧)। ପୁଲିସ ସେମାନଙ୍କ ନିକଟରୁ ୨୬ଗ୍ରାମ ଓଜନର ୪ଟି ସୁନାଚେନ୍‌, ୩ ମୋବାଇଲ୍‌ ଫୋନ୍‌, ଗୋଟିଏ ବାଇକ୍‌, ଏକାଧିକ କଟୁରି ଭର୍ତ୍ତି ହୋଇଥିବା ବ୍ୟାଗ୍‌ ଆଦି ଜବତ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ଏହି ଗ୍ୟାଙ୍ଗ୍‌ର ଗୁମର ଖୋଲିଛନ୍ତି।

Advertisment

କଟୁରିରେ ହାଣି ମହିଳାମାନଙ୍କୁ ଲୁଟୁଥିଲେ
ଟାର୍ଗେଟ୍‌ରେ ମର୍ଣ୍ଣିଂୱାକ୍‌ କରୁଥିବା ମହିଳା
ଜାମିନରେ ଆସି ଲୁଟ୍‌

ଏହି ଗ୍ୟାଙ୍ଗ ବିଶେଷ କରି ଭୁବନେଶ୍ବର, କଟକ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବେଶ୍‌ ସକ୍ରିୟ ଥିଲା। ବିଶେଷକରି ମର୍ଣ୍ଣିଂୱାକ୍‌ରେ ବାହାରୁଥିବା ମହିଳା ଓ ଯୁବତୀମାନଙ୍କୁ ଟାର୍ଗେଟ କରା ଯାଉଥିଲା। ୩ଜଣ ଯାକ ଲୁଟେରା ଗୋଟିଏ ବାଇକ୍‌ରେ ବ୍ୟାଗ୍‌ରେ କଟୁରି ଭର୍ତ୍ତି ବ୍ୟାଗ୍‌ ଧରି ଚକ୍କର କାଟୁଥିଲେ। ସୁଯୋଗ ଦେଖି ମହିଳାଙ୍କୁ ଅଟକାଇ ମାରଣାସ୍ତ୍ର କାଢ଼ି ଭୟଭୀତ କରୁଥିଲେ ଓ ସୁନାହାର, ମୁଦି, କାନଫୁଲ ବା ଫର୍ସ- ଯାହା ପାଉଥିଲେ ଛଡ଼ାଇ ନେଉଥିଲେ। ଯଦି କେହି ପ୍ରତିବାଦ କରୁଥିଲା, ତାକୁ ନିର୍ଦୟ ଭାବେ କଟୁରିରେ ହାଣି ରକ୍ତାକ୍ତ କରୁଥିଲେ। ଗତ ୩ ସପ୍ତାହରେ ଏହି ଗ୍ୟାଙ୍ଗ ବେଶ୍‌ ଭୟଙ୍କର ହୋଇ ଉଠିଥିଲା। ଏହି ସମୟ ଭିତରେ ଏ ଲୁଟେରାମାନେ କଟକର ଚାଉଳିଆଗଞ୍ଜ, ସଦର ଥାନା, ଭୁବନେଶ୍ବରର ଏୟାରପୋର୍ଟ ଓ ତମାଣ୍ଡୋ ଥାନା ଅଞ୍ଚଳରେ ହଣାକଟା କରି ୬ଟି ଲୁଟ୍‌ କରିଥିଲେ। ଏହାପରେ ମାମଲାକୁ ଗୁରୁତର ସହ ନେଇଥିଲା କମିସନରେଟ୍‌ ପୁଲିସ। ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ
ସ୍ପେସାଲ ସ୍କ୍ବାଡ୍‌ ଓ ଦୁଇଟି ଥାନାର ପୁଲିସକୁ ନେଇ ସ୍ବତନ୍ତ୍ର ୩ଟି ଟିମ୍‌ ଗଠନ କରାଯାଇଥିଲା। ଲୁଟ୍‌ ହୋଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ଯାଞ୍ଚବେଳେ ଜଣାପଡ଼ିଥିଲା ଯେ‌ ସମସ୍ତ ଲୁଟ୍‌ ସମାନ ତରିକାରେ ହୋଇଛି- ୩ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ଲୁଟୁଛନ୍ତି। ଗତ ସପ୍ତାହେ ହେବ ପୁଲିସ ଏହି ଗ୍ୟାଙ୍ଗ୍‌ର ଗତିବିଧି ଉପରେ ନଜର ରଖିଥିଲା। ସୋମବାର ସକାଳ ସମୟରେ ଗ୍ୟାଙ୍ଗ ଏୟାରପୋର୍ଟ ଥାନା ଅଞ୍ଚଳରେ ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଥାନାକୁ ନେଇ ଜେରା ପରେ ୩ ଲୁଟେରା ସବୁ ସତ ମାନିଥିଲେ। ଜେରା ପରେ ୩ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ସହ ଆହୁରି ଅନ୍ୟ କିଛି ଅପରାଧୀ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ତେଣୁ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଗିରଫ ହୋଇଥିବା ଲୁଟେରାଙ୍କ ଅପରାଧିକ ଇତିହାସରୁ ଜଣାପଡ଼ିଛ ଯେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଗଣେଶ ନାଁରେ ୩୯ଟି ମାମଲା ଥିବା ବେଳେ ଶଙ୍କର ନାଁରେ ୨୯ଟି ମାମଲା ରହିଛି। ସେହିପରି ଛୋଟୁ ନାଁରେ ବାଲେଶ୍ବର ଓ ଭଦ୍ରଖର ସିମୁଳିଆରେ ୩ଟି ଅପରାଧିକ ମାମଲା ରହିଛି।

ଏହି ଶଳା ଭି‌ଣୋଇ ବେଶ୍ କିଛି ବର୍ଷ ହେବ ରାଜଧାନୀରେ ଲୁଟ୍‌ପାଟ କରି ଆତଙ୍କ ରଚିଥିଲେ। ରବି ରାଓ, ଚକରା ବାରିକ, ଅରୁଣ ମଲ୍ଲିକ ଭଳି କୁଖ୍ୟାତ ଅପରାଧୀଙ୍କ ସହ ସାମିଲ ହୋଇ ସେମାନେ ନିଜର ଦବ୍‌ଦବା ଜାହିର କରିଥିଲେ। ଦୁହେଁ ବାରମ୍ବାର ଗିରଫ ହୋଇ ଜେଲ୍‌ ବି ଯାଇଥିଲେ। ଗତ ୨୦୨୧ ମସିହାରେ କମିସନରେଟ୍‌ ପୁଲିସ ଗଣେଶ ଓ ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜଣେ ମହିଳାଙ୍କୁ ହାଣି ସୁନାଚେନ୍‌ ଲୁଟିବା ମାମଲାରେ ଉଭୟଙ୍କୁ ୨୦୨୩ ମସିହାରେ ୭ବର୍ଷ ଲେଖାଏଁ ଦେଲ୍‌ଦଣ୍ଡ ହୋଇଥିଲା। ଜେଲ୍‌ରେ ଥିବା ସମୟରେ ଶଳା ଭିଣୋଇ ଜେଲ୍‌ରୁ ବାହାରି ପୁଣି ଲୁଟ୍‌ପାଟ କରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେହି ଅନୁସାରେ ଗତ ମେ’ ମାସରେ ଜାମିନରେ ଆସିବା ପରେ ପୁଣି ଲୁଟତରାଜ ଆରମ୍ଭ କରି ଦେଇଥିଲେ। ସେମାନେ ନିଜ ସହିତ ପୂର୍ବ ସହଯୋଗୀ ନିୟମତକୁ ବି ସାମିଲ୍‌ କରିଥିଲେ।