ଶାଳବଣ ପାଲଟିଛି ଠିକାସଂସ୍ଥାର ଡମ୍ପିଂୟାର୍ଡ: ପଥରଗୁଣ୍ଡ ପକାଇ ପୋତି‌ଦେଲେ ଶହଶହ ଗଛ

ଚମକପୁର : ଶାଳବଣ ପାଲଟିଛି ଠିକାସଂସ୍ଥାର ଡମ୍ପିଂୟାର୍ଡ। ଠିକାସଂସ୍ଥାର ପଥରଗୁଣ୍ଡରେ ପୋତି ହୋଇଗଲାଣି ଶହଶହ ଶାଳଗଛ। କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ସେକ୍ସନର କଣ୍ତରା ସୁନାନଦୀ କୂଳରେ ଥିବା ଶାଳବଣକୁ ଠିକାସଂସ୍ଥା ମାଟି ଓ ପଥର ପକା‌ଇ ପୋତି ଦେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘଦିନ ହେବ ଠିକାସଂସ୍ଥା ଏଭଳି ବେଆଇନ କା‌ମ କରୁଥିବା ବେଳେ ବନ ବିଭାଗ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛି।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଯୋଡ଼ା ବ୍ଲକ୍‌ ବାସୁଦେବପୁରଠାରେ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି। ପ୍ରକଳ୍ପର ସ୍ପିଲଓ୍ବେ ନିର୍ମାଣ କରୁଛି ଏସ୍‌ଏନ୍‌ ରାଜୁ ନାମକ ଏକ ଠିକାସଂସ୍ଥା। ଏଠାରେ ପ୍ରାୟ ଦୁଇବର୍ଷ ହେବ କାମ ଚାଲିଛି। ସ୍ପିଲ୍‌ୱେ ପାଇଁ କଣ୍ତରା ଶାଳ ଜଙ୍ଗଲକୁ ଲାଗି ରହିଥିବା ଏକ ପଥର କ୍ବାରିରୁ ପଥର ନିଆଯାଇ ବ୍ୟବହାର କରାଯାଉଛି। ପଥର ବାହାର କରିବା ପାଇଁ ବିସ୍ଫୋରଣ କରାଯିବାପରେ ଦୈନିକ ବାହାରୁଥିବା ଅଦରକାରୀ ମାଟି ଓ ପଥର ଗୁଣ୍ତକୁ ହାଇୱା ଯୋଗେ ବୋହି ନେଇ ନିକଟରେ ଥିବା ଶାଳ ଜଙ୍ଗଲରେ ପକାଇ ଦିଆଯାଉଛି। ଫଳରେ ଜଙ୍ଗଲରେ ଥିବା ଛୋଟବଡ଼ ଶାଳଗଛ ଗୁଡ଼ିକ ଏବେ ପୋତି ହୋଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଏଭଳି ବେଆଇନ ଡମ୍ପିଂ କରାଯାଉଥିଲେ ମଧ୍ୟ ବନ ବିଭାଗ ଚୁପ୍‌ ବସିଛି। ଏହ‌ାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଅନ୍ୟପକ୍ଷରେ, ବନୀକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାସଂସ୍ଥା ମାଟି, ପଥର ଗୁଣ୍ଡା ପକାଇ ଶାଳଗଛ ଗୁଡ଼ିକୁ ପୋତିଦେବା ସତ୍ତ୍ବେ ବନ ବିଭାଗ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ବିସ୍ମିତ କରୁଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଗିରିଧାରୀ ନାଏକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର