ବରଗଡ଼/ବୁର୍ଲା: ବରଗଡ଼ ଟାଉନ ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଜଣ ନାବାଳିକା ନିଖୋଜ ହୋଇଥିବା ନେଇ ଦୁଇଟି ମାମଲା ରୁଜୁ ହୋଇଥିଲା। ଗୋଟିଏ ମାମଲାର ତଦନ୍ତ ସମୟରେ ଜଣେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ସାଙ୍ଗରେ ନେଇ ହତ୍ୟା କରିଥିବା ପୁଲିସ ସୂଚନା ପାଇଛି। ହୀରାକୁଦ ଜଳଭଣ୍ଡାର ନିକଟରୁ ରବିବାର ଗଳିତ ଶବ ଉଦ୍ଧାର ହୋଇଛି। ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ସେ ଅତାବିରା ଥାନା ଅଂଚଳର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ସାଙ୍ଗରେ ଥିବା ଆଉ ଜଣେ ଯୁବକକୁ ମଧ୍ୟ ପୁଲିସ ଖୋଜୁଛି। ଅନ୍ୟ ଜଣଙ୍କ ସଂପର୍କରେ ପୁଲିସ ପାଖରେ କିଛି ଖବର ନାହିଁ।
ଜଣଙ୍କର ଗଳିତ ଶବ ଉଦ୍ଧାର, ଆଉ ଜଣଙ୍କର ପତ୍ତା ମିଳୁନି
ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଗିରଫ, ପୁଲିସର ତନାଘନା
ସୂଚନା ଅନୁସାରେ, ଗତ ୧୮ ତାରିଖ ଡାଙ୍ଗ ନଦୀପଡ଼ା ଅଂଚଳର ନାବାଳିକା (୧୭) ଜଣକ ନିଜ ମୋବାଇଲ ଫୋନ୍ ଓ ଘରୁ ୧୫ ହଜାର ଟଙ୍କା ନେଇ କୁଆଡ଼େ ଚାଲିଯାଇଥିଲେ। ଏ ନେଇ ତାଙ୍କ
ପରିବାର ଲୋକେ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍ ନଂ ୧୪୦/୨୫ରେ ନିଖୋଜ ମାମଲା ରୁଜୁ କରିଥିଲା। ତଦନ୍ତ ସମୟରେ ରବିବାର ହୀରାକୁଦ ଜଳଭଣ୍ଡାର ରାଇଟ୍ ଡାଇକ ଅଞ୍ଚଳରୁ ନାବାଳିକାଙ୍କ ଗଳିତଶବ ଉଦ୍ଧାର କରିଥିଲା। ବରଗଡ଼ ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ, ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ କାଣ୍ଡେଲକର ଓ ବୁର୍ଲା ଥାନା ଆଇଆଇସି ସୌମ୍ୟକାନ୍ତ ବଳିଆରସିଂହ ଶବ ପଡ଼ିଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ରକ୍ତ ଓ ବିଭିନ୍ନ ଜିନିଷର ନମୁନା ସଂଗ୍ରହ କରିଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଧିକ ତଦନ୍ତ ପରେ ନାବାଳିକା ଜଣକ ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗ ସହ ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣକୁ ଗିରଫ କରିଥିବା ବେଳେ ଆଉ ଜଣକୁ ଖୋଜୁଛି। ଏ ନେଇ ଏସ୍ଡିପିଓ ଶ୍ରୀ ତ୍ରିପାଠୀଙ୍କୁ ପଚରାଯିବାରୁ ହୀରାକୁଦରୁ ନାବାଳିକାଙ୍କ ଶବ ଉଦ୍ଧାର ହୋଇଥିବା ଓ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କହିଛନ୍ତି। ପ୍ରେମ ସଂପର୍କରୁ ଫାଟ ହୋଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିବା ସେ କହିଛନ୍ତି।
ସେହିପରି ଗତ ୨୦ ତାରିଖ ଦିନ ସିମେଣ୍ଟ ନଗର ଅଞ୍ଚଳର ଏକ ହଷ୍ଟେଲରୁ ଜଣେ ନାବାଳିକା କୁଆଡ଼େ ଚାଲିଯାଇଥିବା ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ନାବାଳିକାଙ୍କ ପତ୍ତା ଏ ପର୍ଯ୍ୟନ୍ତ ପୁଲିସ ପାଇନାହିଁ। ଗୋଟିଏ ଦିନରେ ବରଗଡ଼ ଟାଉନ ଥାନାରେ ଦୁଇ ନାବାଳିକା ନିଖୋଜ ମାମଲା ହୋଇଥିବା ବେଳେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ତଦନ୍ତ ଜାରି ରହିଥିବାରୁ ଉଭୟ ମାମଲା ସଂପର୍କରେ ପୁଲିସ ବିଶେଷ ସୂଚନା ଦେଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)