ଭୁବନେଶ୍ବର: ନ୍ୟାୟ ଆଶାରେ ଥାନାକୁ ଆସିଥିବା ଜଣେ ଅସହାୟ ମହିଳାଙ୍କୁ ଫୁସୁଲାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ମହିଳା ଥାନା ପୁଲିସ ଜଣେ ପୁଲିସ ଏଏସ୍ଆଇଙ୍କୁ ବାନ୍ଧି ଜେଲ୍ ପଠାଇଛି। ଅଭିଯୁକ୍ତ ହେଲେ ନୂଆପଲ୍ଲୀ ଥାନାର ଏଏସ୍ଆଇ ରଞ୍ଜିତ ଦାସ। ଖୋଦ ରାଜଧାନୀରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା କମିସନରେଟ୍ ପୁଲିସ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଜଣେ ଅସହାୟ ମହିଳା ପୁଲିସର ଭରସାରେ ଆସିଥିବା ବେଳେ ପୁଲିସ ଏଭଳି କାଣ୍ଡ ଭିଆଇବା ଘଟଣାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଭରତପୁର ଥାନାରେ କ୍ୟାପ୍ଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ନିର୍ଯାତନା ମାମଲାକୁ ନେଇ କମିସନରେଟ୍ ପୁଲିସ ବେଶ୍ ନିନ୍ଦିତ ହୋଇଛି। ସେହି ମାମଲାର ନ୍ୟାୟିକ ତଦନ୍ତ ଜାରି ରହିଛି। ଏବେ ନୂଆପଲ୍ଲୀ ଥାନାରେ ଘଟିଥିବା ଏହି ଅମାନୁଷିକ କାଣ୍ଡ ପୁଣି କମିସନରେଟ୍ ପୁଲିସକୁ କାଠଗଡ଼ାରେ ଠିଆ କରାଇଛି।
ମହିଳାଙ୍କର ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କୌଣସି ଏକ ମାମଲାରେ ସେ ନୂଆପଲ୍ଲୀ ଥାନାକୁ ଆସିଥିଲେ। ଥାନା ଅଧିକାରୀ ମାମଲା ଖୋଳତାଡ଼ କରିବାକୁ ଏଏସ୍ଆଇ ରଞ୍ଜିତଙ୍କୁ ଦାୟିତ୍ବ ଦେଇଥିଲେ। ମାମଲାର ଛାନ୍ଭିନ୍ କରୁକରୁ ଏଏସ୍ଆଇ ରଞ୍ଜିତ ଅଭିଯୋଗକାରୀ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ନିଶ୍ଚୟ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କୁ ନିଜର ନିକଟତର କରିଥିଲେ। ଏହା ଭିତରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଏସ୍ଆଇ ରଞ୍ଜିତ ବିବାହିତ ହୋଇ ମଧ୍ୟ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଗୋଟିଏ ପଟେ ମହିଳା ଜଣକ ପୁଲିସ ଏଏସ୍ଆଇଙ୍କୁ ସୁବଦିନ ପାଇଁ ନିଜର କରିବା ଆଶାରେ ସବୁ କିଛି ଜଳାଞ୍ଜଳି ଦେଇସାରିଥିଲେ। ଅପରପକ୍ଷେ ଯୌନପିପାସୁ ପୁଲିସ ଏଏସ୍ଆଇ ରଞ୍ଜିତ ମହିଳାଙ୍କ ଅସହାୟତାର ଫାଇଦା ଉଠାଇ ଚାଲିଥିଲେ।
ବେଶ୍ କିଛି ଦିନ ଲୁଚାଛପାରେ ଚାଲିଥିବା ଏହି ଅନୈତିକ କାର୍ଯ୍ୟ ପରେ ଖୋଲିଯାଇଥିଲା। ଏଏସ୍ଆଇଙ୍କ ପରିବାର ଲୋକେ ଏହା ଜାଣିବା ପରେ ତାଙ୍କ ଘରେ ଝଡ଼ ଉଠିଥିଲା। ତେଣୁ ଏଏସ୍ଆଇ ରଞ୍ଜିତ ମହିଳାଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ। ଏହା ଜାଣିବା ପରେ ମହିଳା ଜଣକ ଏଏସ୍ଆଇଙ୍କୁ ଖୋଲାଖୋଲି ଜବାବ ମାଗିଥିଲେ ଏବଂ ତାଙ୍କୁ ପାଖରେ ରଖିବାକୁ ଅଡ଼ି ବସିଥିଲେ। ଏହାକୁ ନେଇ ଅଡ଼ୁଆରେ ପଡ଼ିଥିବା ଏଏସ୍ଆଇ ଶେଷରେ ମହିଳାଙ୍କୁ ବିଭିନ୍ନ ଧମକଚମକ ଦେବା ଆରମ୍ଭ କଲେ। ତାଙ୍କ ପିଛା ନ ଛାଡ଼ିଲେ ବରବାଦ କରିଦେବେ ବୋଲି ଚେତାବନୀ ଦେଲେ। ଯେଉଁ ମାମଲା ନେଇ ସେ ଥାନାକୁ ଆସିଥିଲେ, ସେଥିରେ ଓଲଟା ଫସାଇଦେଇ ଜେଲ୍ ପଠାଇବେ ବୋଲି ଧମକ ଦେଲେ। ଏଥିରେ ମହିଳା ଜଣକ ମାନସିକ ନିର୍ଯାତନା ପାଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଏଏସ୍ଆଇ ରଞ୍ଜିତଙ୍କ ସହ ତାଙ୍କ ଅନୈତିକ ସମ୍ପର୍କର ସମସ୍ତ ତଥ୍ୟ ପ୍ରମାଣ ମହିଳା ଜଣକ ଥାନାକୁ ଦେଇଥିଲେ। ଆଜି ଉଭୟ ଅଭିଯୋଗକାରିଣୀ ମହିଳା ଓ ପୁଲିସ ଏଏସ୍ଆଇ ରଞ୍ଜିତଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଆସନ୍ତାକାଲି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ଅଭିଯୋଗକାରିଣୀଙ୍କର ବୟାନ ରେକର୍ଡ କରାଯିବ।