ଇଂରାଜୀ ନୂଆବର୍ଷ ପାଳନକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ପୁରୀ : ଇଂରାଜୀ ନବବର୍ଷ ପାଳନକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଘୋର ବିରୋଧ କରିଛନ୍ତି। ସେ କହିଛନ୍ତି, ସନାତନ ଶାସ୍ତ୍ର ବିଧାନ ଅନୁସାରେ ଯେଉଁ ପର୍ବ ପାଳନ କରାଯାଏ ତାହା ହେଉଛି ଧର୍ମ। ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ। ଅନ୍ତରୀକ୍ଷ ଯାନ ପରୀକ୍ଷଣ ବେଳେ ତିଥି ବାର ଲୋଡ଼ା ଯାଉଥିବା ବେଳେ ଭୂମିକମ୍ପ ଓ ଜୁଆର ଭଟ୍ଟା ବି ତିଥି ଅନୁସାରେ ଆସେ। ହେଲେ ଆମେ ଆମ ନବବର୍ଷର ତିଥି ବାର ଛାଡ଼ି ଇଂରେଜଙ୍କ ପଛରେ ଧାଇଁଛେ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଦାୟୀ। ଏହି ସବୁ ଇଂରେଜ ପର୍ବ ପାଳନ କରିବାରେ ସହାୟତା କରି ସ୍ୱତନ୍ତ୍ର ଦେଶକୁ ପରତନ୍ତ୍ର କରି ରଖିବା ତଥା ଆମର ମୂଳ ତିଥି ଭୁଲିବାରେ ସରକାର ସହାୟକ ହେଉଛନ୍ତିି। ଇଂରାଜୀ ନବବର୍ଷ ପର୍ବ ପାଳନ ନ କରିବା ପାଇଁ ଜଗଦ୍‌ଗୁରୁ ଆହ୍ଵାନ ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ ଆନ୍ଧ୍ରରେ ମନ୍ଦିରରେ ଇଂରାଜୀ ନବବର୍ଷ ପାଳନ ଉପରେ ଏଥର କଟକଣା ଜାରି କରାଯାଇଛି। ଏହା ହିନ୍ଦୁ ଧର୍ମର ବିରୁଦ୍ଧାଚରଣ କରୁଥିବାରୁ ଜାନୁଆରି ୧ ତାରିଖ ଦିନ ନୂଆବର୍ଷ ପାଳନ ନକରିବା ଲାଗି ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ବିଭିନ୍ନ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛି। ଏହି ନୋଟିସ୍‌ରେ କୁହାଯାଇଛି ଯେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଜାନୁଆରି ୧ ତାରିଖ ଦିନ ନୂଆବର୍ଷ ପାଳନ ଠିକ୍‌ ନୁହେଁ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆମେ ଇଂରାଜୀ ସଂସ୍କୃତିକୁ ଭୁଲି ପାରୁନାହେଁ। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଇଂରାଜୀ ନବବର୍ଷ ବଦଳରେ ଓଡ଼ିଆ ନବବର୍ଷ ପାଳନ ଲାଗି ପୁରୀ ଜଗଦ୍‌ଗୁରୁଙ୍କ ଆହ୍ଵାନ ବିଭିନ୍ନ ମହଲରେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର