ପୁରୀ : ସୂର୍ଯ୍ୟୋପରାଗରେ ହେତୁବାଦୀ ସମାଜ ବିରିୟାନି ଖାଇବା ଓ ଅନ୍ୟମାନଙ୍କୁ ବିରିୟାନି ଖାଇବାକୁ ଦେବା ବିରୋଧରେ ବର୍ଷିଛନ୍ତି ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା। ଯେଉଁମାନେ ଏଭଳି କରୁଛନ୍ତି, ସେମାନେ ଅଜ୍ଞାନତାର ବଶବର୍ତ୍ତୀ ହୋଇଛନ୍ତି । ସେମାନଙ୍କଠାରେ ସାଧୁଙ୍କ ଜ୍ଞାନ ନାହିଁ। ଯେହେତୁ ଏମାନେ ପରାଗରେ ଭୋଜନ ଗ୍ରହଣ କରୁଛନ୍ତି, ଭୋଜନ ବି ତାଙ୍କୁ ଖାଇଦେବ ବୋଲି କହିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ।
ଗଣମାଧ୍ୟମ ପ୍ରଶ୍ନରେ ଜଗଦ୍‌ଗୁରୁ କହିଛନ୍ତି, ଆମର ଶାସ୍ତ୍ରୀୟ ବିଧି, ଦର୍ଶନ ବିଜ୍ଞାନ ଓ ବ୍ୟବହାର, ତିନିଟିଯାକ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ। ଏହାର ଉଦାହରଣ ଦେଇ ଜଗଦ୍‌ଗୁରୁ କହିଛନ୍ତି, ଦିନରେ ଦହି ଖାଇଲେ ସ୍ବାସ୍ଥ୍ୟପକ୍ଷେ ହିତକର। କିନ୍ତୁ, ସୂର୍ଯ୍ୟାସ୍ତ ପରେ ଦହି ଖାଇଲେ ଦେହ ଅସୁସ୍ଥ ହେବ। ଦିନ ଓ ରାତିରେ ଭୋଜନ ସେବନରେ ନିୟନ୍ତ୍ରଣ ନ ରହିଲେ, ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ।

Advertisment

ଏଭଳି ଅନେକ କାମ ରହିଛି, ଯାହା ରାତିରେ କଲେ ପ୍ରଗତି ହେବ, ଆହୁରି କିଛି କାମ ଅଛି, ଯାହା ରାତିରେ କଲେ ଦୁର୍ଗତି ହେବ। ଯେହେତୁ ଦାର୍ଶନିକ, ବୈଜ୍ଞାନିକ ଓ ବ୍ୟାବହାରିକ ଧରାତତ୍ତ୍ବ ଉପରେ ସବୁ ଆଧାରିତ, ଯେଉଁମାନେ ଏହାର ସପକ୍ଷରେ ଅଛନ୍ତି, ସେମାନେ ଏହି ନିୟମର ଅନୁପାଳନ କରିବା ଉଚିତ। ସନାତନ ଧର୍ମ ବି ଦର୍ଶନ, ବିଜ୍ଞାନ ଓ ବ୍ୟବହାରର ତତ୍ତ୍ବ ଆଧାରରେ କାମ କରି ଆସୁଛି। ଆଜି ପର୍ଯ୍ୟନ୍ତ କେହି ବି ସନାତନ ଧର୍ମର ବିଧିବ୍ୟବସ୍ଥାକୁ ସମାଲୋଚନା ବା ଆକ୍ଷେପ କରିନାହାନ୍ତି। ଯଦି କେହି ଆକ୍ଷେପ ବା ସମାଲୋଚନା କରୁଛି, ତା’ର ନା ଦର୍ଶନର ଜ୍ଞାନ ଅଛି, ନା ବିଜ୍ଞାନ ଅବା ବ୍ୟବହାରର ଜ୍ଞାନ ରହିଛି। ସେ ନିଜର ନୀଚପଣର ହିଁ ପରିଚୟ ଦେଉଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସୂଚନାଯୋଗ୍ୟ, ସୂର୍ଯ୍ୟୋପରାଗ ସମୟରେ ଓଡ଼ିଶା ହେତୁବାଦୀ ସମାଜ ପକ୍ଷରୁ ଲୋକଙ୍କୁ ବିରିୟାନି ଖାଇବାକୁ ଦିଆଯାଇଥିଲା। ହେତୁବାଦୀମାନେ ବି ନିଜେ ବିରିୟାନି ଖାଇବା ସହ ହିନ୍ଦୁ ଧର୍ମ ଓ ପରମ୍ପରାକୁ କଟୁ ସମାଲୋଚନା କରିଥିଲେ।