ଶ୍ରୀମନ୍ଦିର ବିଧିବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଗୋବର୍ଦ୍ଧନ ପୀଠ ମୁଖପାତ୍ର

ପୁରୀ: ଶ୍ରୀମନ୍ଦିର ବିଧିବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପୁରୀ ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ ରଥ ଶନିବାର କହିଛନ୍ତି। ପୁରୀ ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ରଥ କହିଛନ୍ତି, ପ୍ରଥା, ପରଂପରା ଅନୁଯାୟୀ ଶ୍ରୀମନ୍ଦିରରେ ରୀତିନୀତି ଚାଲିବ। ସେ କହିଛନ୍ତି, ସୁପ୍ରିମକୋର୍ଟ ପ୍ରସ୍ତାବ ପୂର୍ବରୁ ଶଙ୍କରାଚାର୍ଯ୍ୟ ମତ ନେଇ ନାହାନ୍ତି।  ଶଙ୍କରାଚାର୍ଯ୍ୟଙ୍କ ଅନୁସାରେ, ଶ୍ରୀମନ୍ଦିରରେ ଯେଉଁ ପରଂପରାରେ ରୀତି ନୀତି ଚାଲିଛି, ସେମିତି ଚାଲୁ ରହୁ। ଧାର୍ମିକ ବିଧିବ୍ୟବସ୍ଥା ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟପନ୍ଥା ଚାଲୁ। ଶ୍ରୀମନ୍ଦିର ସଂସ୍କାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ। ଶ୍ରୀମନ୍ଦିର ପ୍ରବେଶକୁ ନେଇ ଶାସ୍ତ୍ର ଅନୁଯାୟୀ ବ୍ୟବସ୍ଥା ହେଉ। ଶାସ୍ତ୍ର ବାହାର ନିଷ୍ପତ୍ତିକୁ ଶଙ୍କରାଚାର୍ଯ୍ୟ ଗ୍ରହଣ କରିବେନି।

ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଥିଲେ। ଶଙ୍କରାଚାର୍ଯ୍ୟ କହିଥିଲେ, ଶ୍ରୀମନ୍ଦିର ପ୍ରବେଶ ସଂପର୍କରେ ସନାତନ ଶାସ୍ତ୍ରୀୟ ମର୍ଯ୍ୟାଦା ଉଲଂଘନ ସ୍ୱୀକାରଯୋଗ୍ୟ ନୁହେଁ।

ସେହିପରି ଅଣହିନ୍ଦୁ ପ୍ରବେଶ ନେଇ ଗଜପତି ଦିବ୍ୟସିଂହଦେବ କହିଛନ୍ତି, ଶ୍ରୀମନ୍ଦିର ଦୁଇଟି ମୁଖ୍ୟ ପର୍ବ ରଥଯାତ୍ରା ଓ ସ୍ନାନଯାତ୍ରାରେ ବିଗ୍ରହମାନେ ବିଶ୍ୱର ସମସ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଶ୍ରୀମନ୍ଦିର ବାହାରକୁ ବିଜେ କରିଥାନ୍ତି। ଏହି ମହାନ ପର୍ବରେ ଅଣହିନ୍ଦୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏତଦ୍‌ ବ୍ୟତୀତ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ମଧ୍ୟରେ ଶ୍ରୀ ପତିତପାବନ ପ୍ରତିଷ୍ଠା କରାଯାଇଛି। ଏଠାରେ ମଧ୍ୟ ଅଣହିନ୍ଦୁମାନେ ଶ୍ରୀ ପତିତପାବନଙ୍କୁ ଦର୍ଶନ କରିପାରିବେ। ପ୍ରଚଳିତ ପରଂପରାରେ କୌଣସି ପ୍ରଶ୍ନ ଉଠିଲେ ଶାସ୍ତ୍ରୀୟ ସଦ୍ଧାନ୍ତ ପାଇଁ ଶଙ୍କରାଚାର୍ଯ୍ୟଙ୍କ ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଉପଦେଶ ଗ୍ରହଣ କରାଯାଇଥାଏ ବୋଲି ଗଜପତି କହିଛନ୍ତି।

ସମ୍ବନ୍ଧିତ ଖବର