‘ମୁଁ ଦସ୍ତଖତ ଦେଇଥିଲେ ଅଯୋଧ୍ୟାରେ ଆଜି ମସ୍‌ଜିଦ ବି ହୋଇଥାନ୍ତା’

ଗୋରଖପୁରରେ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ପୁରୀ : ‘ ମୁଁ ଦସ୍ତଖତ ଦେଇଥିଲେ ଆଜି ଅଯୋଧ୍ୟାରେ ଉଭୟ ରାମ ମନ୍ଦିର ଓ ମସଜିଦ୍‌ ନିର୍ମାଣ ହୋଇଥା’ନ୍ତା। ମୁଁ ଦସ୍ତଖତ ଦେଲିନି ବୋଲି ଆଜି ଅଯୋଧ୍ୟାରେ ରାମ ମନ୍ଦିର ହୋଇଛି।’ ଗୋରଖପୁରଠାରେ ଆୟୋଜିତ ଏକ ଧର୍ମସଭାରେ ଏଭଳି ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ମଠାଧିଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ।

ଚତୁର୍ମାସ ବ୍ରତ ସମାପନ ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ବାହାରକୁ ଯାଇ ବିଭିନ୍ନ ତୀର୍ଥସ୍ଥଳୀ ପରିଭ୍ରମଣ କରିବା ସହ ଧର୍ମସଭାରେ ଯୋଗ ଦେଉଛନ୍ତି। ନିକଟରେ ନେପାଳ ତୀର୍ଥଯାତ୍ରା ସାରି ଫେରିବା ପରେ ଏବେ ଭାରତର ବିଭିନ୍ନ ତୀର୍ଥସ୍ଥଳୀ ଯାତ୍ରା କରୁଛନ୍ତି। ଗତକାଲି ସେ ଗୋରଖପୁରରେ ଏକ ଧର୍ମସଭାରେ ଯୋଗ ଦେଇଥିଲେ। ଏହି ଧର୍ମସଭାରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅଯୋଧ୍ୟାର ବିବାଦୀୟ ରାମମନ୍ଦିର ଜାଗାରେ ମନ୍ଦିର କି ମସଜିଦ ରହିବ, ସେଥିପାଇଁ ଏକ ରାମାଳୟ ଟ୍ରଷ୍ଟ ଗଢ଼ିବାକୁ ନିଷ୍ପତ୍ତି ହୋଇଥିଲା। ଯାହାର ସର୍ତ୍ତ ରହିଥିଲା କି ଅଯୋଧ୍ୟାର ଏହି ବିବାଦୀୟ ଜାଗାରେ ଉଭୟ ରାମ ମନ୍ଦିର ଓ ମସଜିଦ ହେବ। ସେ ସମୟରେ ତାଙ୍କୁ ଏହି ସର୍ତ୍ତରେ ରାଜି ହୋଇ ଦସ୍ତଖତ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ଏହି ସର୍ତ୍ତରେ ରାଜି ହୋଇନଥିଲେ କି ଦସ୍ତଖତ ଦେଇନଥିଲେ। ଯେଉଁଥିପାଇଁ ଆଜି ଅଯୋଧ୍ୟାରେ ରାମମନ୍ଦିର ପୂର୍ଣ୍ଣ ରୂପ ନେବାକୁ ଯାଉଛି। ପୂର୍ବରୁ ବି ଜଗଦ୍‌ଗୁରୁ ଏହି ପ୍ରସଙ୍ଗ ବିଭିନ୍ନ ଧର୍ମସଭାରେ ଉପସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରାୟ ଦେଢମାସର ତୀର୍ଥଯାତ୍ରା ସାରି ନଭେମ୍ବର ୩ରେ ପୁରୀରେ ପହଞ୍ଚିବେ।

ସମ୍ବନ୍ଧିତ ଖବର