ସାମାଜିକ କୁସଂସ୍କାର ବିରୋଧରେ ଲଢ଼େଇର ବାର୍ତ୍ତାବହ ବାହାମନୀ: ସାନ୍ତାଳୀ ଫିଲ୍ମ ‘କୁଲ୍‌ କୁରି ବାହାମନୀ’ର ଶୁଭାରମ୍ଭ

ଚଳଚ୍ଚିତ୍ରରେ ରକ୍ଷଣଶୀଳ ପ୍ରଥା ପରମ୍ପରା ବିରୋଧରେ ଲଢ଼େଇର ପ୍ରତିଫଳନ

ବାରିପଦା: ଯୁଗ ବଦଳୁଛି। ସମୟ ସହିତ ତାଳ ଦେଇ ବଢ଼ୁଛି ଜ୍ଞାନ ବିଜ୍ଞାନର ଉପଯୋଗିତା। ମାତ୍ର ଏବେବି ଆଦିବାସୀ ସମ୍ପ୍ରଦାୟରେ ଭରି ରହିଛି ଅନେକ କୁସଂସ୍କାର ଆଉ ରକ୍ଷଣଶୀଳ ପ୍ରଥା ପରମ୍ପରା। ଆଉ ଏହି କୁପ୍ରଥା ବିରୋଧରେ ଆରମ୍ଭ କରିଥିବା ଲଢ଼େଇରେ ଥକି ପଡ଼ିନି ବାହାମନୀ। ଅନେକ ନିର୍ଯାତନାର ଶିକାର ହୋଇଥିଲେ ମଧ୍ୟ ଏପରି ଅବ୍ୟବସ୍ଥିତ ସାମାଜିକ ପରମ୍ପରା ବିରୋଧରେ ହୋଇଥିବା ଲଢ଼େଇରେ ଶେଷରେ ଜିତାପଟ ନେଇଛି ସାଧାରଣ ଆଦିବାସୀ ସାନ୍ତାଳୀ କନ୍ୟା ବାହାମନୀ।

୨୦୨୦ରେ ଦେଶର ପ୍ରଥମ ସାନ୍ତାଳୀ କଳାତ୍ମକ ଚଳଚ୍ଚିତ୍ର କୁହାଯାଉଥିବା ‘କୁଲ୍‌ କୁରି ବାହାମନୀ’ରେ ସାମାଜିକ କୁସଂସ୍କାର ବିରୋଧରେ ହୋଇଥିବା ଲଢ଼େଇର ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଢଙ୍ଗରେ ତୋଳିଧରିଛନ୍ତି ନିର୍ଦ୍ଦେଶକ। ଆଜି ପିଙ୍କି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଯୋଜିତ ଏହି ପ୍ରଥମ ସାନ୍ତାଳୀ ଫିଚର ଫିଲ୍ମର ଶୁଭାରମ୍ଭ ସ୍ଥାନୀୟ ପ୍ରୟାସ୍‌ ସମ୍ମିଳନୀ କକ୍ଷରେ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ଅସିତ ପତି,  ପୂର୍ବତନ ରାଜ୍ୟସଭା ସାଂସଦ ତଥା କଳାକାର ସରୋଜିନୀ ହେମ୍ବ୍ରମ ପ୍ରମୁଖ ଯୋଗଦେଇଥିଲେ।

୨୦୨୦ରେ ସୁଟିଂ ସମାପ୍ତ ହୋଇଥିଲେ ମଧ୍ୟ ଲକଡାଉନ୍‌ କାରଣରୁ ଏହା ରିଲିଜ ହୋଇ ପାରିନଥିଲା। ଏହି କଳାତ୍ମକ ଚଳଚ୍ଚିତ୍ରରେ ବାହାମନୀ ଚରିତ୍ରରେ ଅଭିନୟ କରିଥିବା ଚର୍ଚ୍ଚିତ ସାନ୍ତାଳୀ ଅଭିନେତ୍ରୀ ଡଗୁର ଟୁଡୁ ଚମତ୍କାର ଅଭିନୟ କରିଛନ୍ତି। କୁଲକୁରୀର ଅର୍ଥ ସିଂହୀ ହୋଇଥିବାବେଳେ ବାହାମନୀ ଯେପରି ପ୍ରଥା ପରମ୍ପରା ବିରୋଧରେ ହୋଇଥିବା ଲଢ଼େଇରେ ନିଜର ଅଦମ୍ୟ ସାହସ ଦେଖାଇଛନ୍ତି, ତାହା ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି। ନାରୀକୈନ୍ଦ୍ରିକ ଏହି ଚଳଚ୍ଚିତ୍ରଟି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ କରାଯାଇଛି। ପ୍ରାୟ ୧୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ମୟୂରଭଞ୍ଜ ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଆଦିବାସୀ ବହୁଳ ସ୍ଥାନରେ ପ୍ରଦର୍ଶିତ କରାଯିବ। ନାରୀମାନେ ଯେପରି ଏହି ଚଳଚ୍ଚିତ୍ରରୁ ଉଦ୍‌ବୁଧ ହୋଇ ନିଜର ହକ୍‌ ଜାହିର କରିପାରିବେ, ଏହା ଉଦ୍ଦେଶ୍ୟ ବୋଲି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସ୍ବପନ ମୁର୍ମୁ ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ରର ସମୟ ଅବଧୀ ପ୍ରାୟ ୨ଘଣ୍ଟା ୭ ମିନିଟ୍ ରହିଛି। ୨୫ ଦିନରେ ଏହାର ସୁଟିଂ ସରିଥିଲା। ପ୍ରଥମ ଥର ନିମନ୍ତେ ଜୟପ୍ରକାଶ ମୁର୍ମୁ, ୱାରିସ ଦାସ, ମାର୍ଶାଲ ମାର୍ଣ୍ଡି ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ସେହିପରି ପ୍ରେମ ମାର୍ଣ୍ଡି, ଭାଗବତ ମୁର୍ମୁଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍‌ ଛୁଇଁବ ବୋଲି ଆଶା ପ୍ରକଟ କରିଛି ପ୍ରଯୋଜନା ସଂସ୍ଥା। ଏହି କଳାତ୍ମକ ଚଳଚ୍ଚିତ୍ରରେ ଚନ୍ଦନ ବାସ୍କେ, କେ କେ ମୁର୍ମୁ, ହିସି ମୁର୍ମୁ ଓ ଥୋମାସ ବାସ୍କେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜିକା ପିଙ୍କି ମାର୍ଣ୍ଡି, କୁମାର ସାୱନ ଓ ମଞ୍ଜୁଲତା ପ୍ରମୁଖ କଣ୍ଠଦାନ କରିଛନ୍ତି।

 

ସମ୍ବନ୍ଧିତ ଖବର