ଲାଗୁନି ବ୍ୟାରିକେଡ୍‌, ଅପବିତ୍ର ହେଉଛି ଶରଧାବାଲି

ପୁରୀ : ଶରଧାବାଲିର ପ୍ରତିଟି ରେଣୁ ପବିତ୍ର ବୋଲି ବିବେଚନା କରାଯାଏ। ମହାପ୍ରଭୁ ନାକଚଣା ଦ୍ବାରବାଟେ ପହଣ୍ଡି ହୋଇ ଏହି ବାଲିରେ ରଥ ଉପରେ ବାହୁଡ଼ା ବିଜେ କରୁଥିବାରୁ ଭକ୍ତ ଏହାକୁ ମୁଣ୍ଡରେ ବୋଳିହୁଅନ୍ତି। କାନ‌ିରେ ବାନ୍ଧି ନିଅନ୍ତି। ମାତ୍ର ଶ୍ରୀମନ୍ଦିର ପ୍ରଶାସନର ବେପରୱା କାର୍ଯ୍ୟ ଯୋଗୁ ପବିତ୍ର ଶରଧାବାଲି ଅପବିତ୍ର ହେଉଛି। କିଛି ଅମାନିଆ ଓ ଅସଚେତନ ନାଗରିକ ଏହାକୁ ମୁକ୍ତ ଶୌଚାଳୟ ଭାବେ ବ୍ୟବହରା କରୁଥିବା ବେଳେ ବିନା ଦ୍ବିଧାରେ କାର୍‌, ବସ୍‌ ପାର୍କିଂ କରାଯାଉଛି। ମହାପ୍ରମୁଙ୍କ ବାହୁଡ଼ା ରଥଯାତ୍ରା ସରିବା ମାସେରୁ ଅଧିକ ସମୟ ଅତିକ୍ରାନ୍ତ। ଅଥଚ ଶରଧାବାଲିକୁ ସୁରକ୍ଷା ଦେବାକୁ ସେଠାରେ ଏଯାଏ ବ୍ୟାରିକେଡ୍‌ ‌ବୁଲାଗଲା ନାହିଁ। ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି, କିନ୍ତୁ ଏ ସମ୍ପର୍କରେ କେହି ପ୍ରଶ୍ନ ଉଠାଇନାହାନ୍ତି କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ କୌଣସି ଆନ୍ତରିକତା ପ୍ରକାଶ ପାଇନାହିଁ।

ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବାର କିଛିଦିନ ମଧ୍ୟରେ ଶରଧାବାଲିକୁ ବ୍ୟାରିକେଡ୍‌ କରାଯାଏ। ଏହି ସ୍ଥାନର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ବ ଦୃଷ୍ଟିରୁ ଏହାର ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଚାରିପଟେ ବାଡ଼ା ବୁଲାଯାଏ। ଫଳରେ ଲୋକେ ଏହା ମଧ୍ୟରେ ଗାଡ଼ି ପାର୍କିଂ କରିବାକୁ ସୁଯୋଗ ପାଆନ୍ତି ନାହିଁ। ସାଧାରଣ ଲୋକେ ମଧ୍ୟ ଲୁହା ବାଡ଼ା ଅତିକ୍ରମ କରି ଭିତରକୁ ଯାଆନ୍ତି ନାହିଁ । କିନ୍ତୁ ଚଳିତ ବର୍ଷ ଏଯାଏ ବ୍ୟାରିକେଡ୍‌ ଲାଗିନାହିଁ। ଫଳରେ କିଛି ବ୍ୟକ୍ତି ଏହାକୁ ପାର୍କିଂ ସ୍ଥଳ ଭାବେ ନିୟମିତ ବ୍ୟବହାର କରୁଛନ୍ତି। ଅଧିକାଂଶ ସମୟରେ କିଛି ବସ୍‌ ଓ ୪୦୭ ମିନିଟ୍ରମ୍‌ ଏଠାରେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି।

Utkal Today

କିଛି ବ୍ୟକ୍ତିବିଶେଷଙ୍କର ହୀନ ମାନସିକତାକୁ ଦୃଷ୍ଟିରେ ରଖି ପୂର୍ବରୁ ଦଶାବତାର ମଠ କାନ୍ଥକୁ ଆଧ୍ୟାତ୍ମିକ ଚିତ୍ରରେ ସୁସଜ୍ଜିତ କରାଯାଇଥିଲା। କଡ଼ରେ ଫୁଲଗଛ ଲଗାଯାଇଥିଲା। ଉଦ୍ଦେଶ୍ୟ ଥିଲା, ପବିତ୍ରତା ଦୃଷ୍ଟିରୁ ଲୋକେ ଏହାକୁ ସମ୍ମାନ ଦେଇ ଏଠାରେ ପରିସ୍ରା କରିବେ ନାହିଁ। କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ ଯେଉଁ ଅଭିନବ ଚିନ୍ତା କରାଗଲା, ତାହା ବଜାୟ ରଖାଗଲା ନାହିଁ। ଶ୍ରୀମନ୍ଦିର ପାର୍ଶ୍ବକୁ ଫୁଲଗଛରେ ସଜା ଯାଇପାରିଲା, କିନ୍ତୁ ଶରଧାବାଲିର ପବିତ୍ରତା ବଜାୟ ରଖିବା ଲାଗି ଏଯାଏ କୌଣସି ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ନାହିଁ।

ଜନ ଜାଗରଣ ମଞ୍ଚର ଆବାହକ ଜ୍ୟୋତିରଂଜନ ନାୟକ କହିଛନ୍ତି, ବାହୁଡ଼ା ଯାତ୍ରା ପରେପରେ ବ୍ୟାରିକେଡ୍‌ କରିବା ନିତାନ୍ତ ଆବଶ୍ୟକ। ତଥାପି ଖାଲି ବ୍ୟାରିକେଡ୍‌ କରିଦେଲେ ମଧ୍ୟ ଏ ସମସ୍ୟାରେ ଅନ୍ତ ହେବନାହିଁ। ଏଠାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ଉଚିତ। ତେବେ ଯାଇ ଅମାନିଆଙ୍କୁ ଏଠାରୁ ଦୂରେଇ ରଖାଯାଇପାରିବ। ଅଠରନଳା ସୌନ୍ଦର୍ଯ୍ୟୀକରଣ ପାଇଁ କୋଟିକୋଟି ଟଙ୍କା ସରକାର ତହବିଲରୁ ଖର୍ଚ୍ଚ ହେଲା। ଫୁଲ ଓ ସାଜସଜା ଗଛରେ ଏହାର ସୌନ୍ଦର୍ଯ୍ୟୀକରଣ ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇପାରିଲା। ଅଥଚ ଶରଧାବାଲିର ମହତ୍ତ୍ବ ଦୃଷ୍ଟିରୁ ଏହାର ପବିତ୍ରତା ବଜାୟ ରଖିବା ପାଇଁ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ କରାଯିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର