ପୁରୀ: ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ବାହ୍ୟ ପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ କରାଯିବ। ନାକଚଣା ଦ୍ବାର ସମ୍ମୁଖ ଭାଗରେ ଥିବା ଦୁଇ ପାର୍ଶ୍ବ ପିଣ୍ଡି ଖଣ୍ଡୋଲାଇଟ୍ ପଥରରେ ନିର୍ମିତ ହେବ। ନାକଚଣା ଦ୍ବାର ପାର୍ଶ୍ବ ପାଚେରି ଆରମ୍ଭରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଐତିହ୍ୟ ପାଚେରି ସମ୍ମୁଖ ଫୁଲ ଗଛରେ ସୁସଜ୍ଜିତ କରାଯିବ। ସମ୍ମୁଖ ଭାଗରେ ଥିବା ବର, ଓସ୍ତ ଓ କଦମ୍ବ ଗଛ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ହେବ। ଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ମରାମତି ସରିଥିବା ବେଳେ ପାଚେରିର ଭିତର ପାର୍ଶ୍ବରେ ଶ୍ରୀକୃଷ୍ଣଙ୍କ ୬୪ କଳା ଶୋଭା ପାଇବ। ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ପାଚେରି କଡ଼ରୁ ଅବରୋଧ ହଟାଯାଇଛି।
ଡ୍ରୋଜର୍ ମାଡ଼ରେ ନାକଚଣା ପିଣ୍ଡି କ୍ଷତିଗ୍ରସ୍ତ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନାକଚଣା ଦ୍ବାର ସମ୍ମୁଖ ଅବରୋଧ ଉଚ୍ଛେଦ ବେଳେ ଭାଙ୍ଗିଯାଇଛି ନାକଚଣା ପିଣ୍ଡିର କିଛି ଅଂଶ। ନାକଚଣା ପିଣ୍ଡିକୁ ଲାଗି ରହିଥିବା ଏକ ଚାନ୍ଦିନୀ ଓ ମନ୍ଦିରକୁ ଭାଙ୍ଗିବା ବେଳେ ଡ୍ରୋଜର ମାଡ଼ରେ ନାକଚଣା ଦ୍ବାରର ଡାହାଣ ପିଣ୍ଡିର କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ପ୍ରାଚୀନ କାଳରୁ ନିର୍ମିତ ଏହି ପିଣ୍ଡି ଚୂନ ଓ ଅନ୍ୟ ନିର୍ମାଣ ସାମଗ୍ରୀରେ ନିର୍ମିତ ହୋଇଥିବା ବେଳେ ବଜ୍ର ଭଳି ଶୋଭା ପାଇ ଆସୁଥିଲା। ତେବେ ଡ୍ରୋଜର୍ରେ ଅବରୋଧ ହଟାଇବା ବେଳେ ଅସାବଧାନତା ଯୋଗୁ ପିଣ୍ଡିରେ କ୍ଷତ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଐତିହ୍ୟ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି।
ଗୁଣ୍ଡିଚା ମନ୍ଦିର ଚତୁର୍ଦ୍ଧା ବିଗ୍ରହଙ୍କର ଜନ୍ମପୀଠ ହୋଇଥିବା ବେଳେ ଏଠାକୁ ପ୍ରତିବର୍ଷ ନବଦିନାତ୍ମକ ଯାତ୍ରାରେ ଶ୍ରୀବିଗ୍ରହମାନଙ୍କର ଆଗମନ ହୁଏ। ତେଣୁ ଏହି ଐତିହ୍ୟ ସ୍ମାରକୀ ଯେପରି ଭକ୍ତଙ୍କୁ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ ସେନେଇ ଆଜି ଗୁଣ୍ଡିଚା ମନ୍ଦିରଠାରୁ ନାକଚଣା ଦ୍ବାର ମଧ୍ୟରେ ପାଚେରିକୁ ଲାଗି ରହିଥିବା ଅବରୋଧକୁ ହଟାଯାଇଛି। ଡ୍ରୋଜର ଲଗାଇ କିଛି ଛୋଟଛୋଟ ମନ୍ଦିର ଭଙ୍ଗାଯାଇଛି। ବଡ଼ବଡ଼ ଚାନ୍ଦିନୀଗୁଡ଼ିକୁ ଭଙ୍ଗାଯିବା ସହ ଅନାବଶ୍ୟକ ଲୁହା ସେଡ୍ ହଟାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଲିସ ଉପସ୍ଥିତିରେ ପାଚେରି ନିକଟରୁ ଉଚ୍ଛେଦ ପରେ ଦୀର୍ଘଦିନ ପରେ ପାଚେରି ସମ୍ପୂର୍ଣ୍ଣ ଦୃଶ୍ୟମାନ ହୋଇଛି।
ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ବାର ମଧ୍ୟରେ ପାଚେରିକୁ ଲାଗି କିଛି ଛୋଟଛୋଟ ମନ୍ଦିର ଗଢ଼ି ଉଠିଥିଲା। ଏହା ମଧ୍ୟରେ ଅସ୍ଥାୟୀ ସେଡ୍ ନିର୍ମାଣ କରି କିଛି ବ୍ୟକ୍ତି ଏହା ମଧ୍ୟରେ ରୋଷେଇବାସ କରିଆସୁଥିଲେ। ଫଳରେ ଗୁଣ୍ଡିଚା ମନ୍ଦିରର ବହୁ କାରୁକାର୍ଯ୍ୟ ଆଢ଼ୁଆଳରେ ରହିଯାଉଥିଲା। ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ଚାଲୁଥିବାରୁ ପର୍ଯ୍ୟାୟକ୍ରମେ ଏହାର ସମ୍ମୁଖ ଭାଗକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରାଯିବ। ଚତୁଃପାର୍ଶ୍ବରୁ କ୍ୟାବିନ୍ ଓ ବେଆଇନ ନିର୍ମାଣ ହଟାଯିବା ସହ ସୌନ୍ଦର୍ଯ୍ୟୀକରଣ କରାଯାଇ ବ୍ୟାରିକେଡ୍ରେ ଆଚ୍ଛାଦିତ କରାଯିବ। ଆସନ୍ତା ରଥଯାତ୍ରା ପୂର୍ବରୁ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।