ଭୁବନେଶ୍ବର: ଜୁନ୍ ୨୯ ତାରିଖରେ ଶରଧାବାଲି ରଥ ସମ୍ମୁଖରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟକୁ ଆଜି ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣାରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ଚାଲିଥିଲା। ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଗର୍ଗ ଏକ ମାସ ଦୁଇ ଦିନରେ ରିପୋର୍ଟ ଦେଇଛନ୍ତି। ଏହି ଘଟଣା ପାଇଁ କିଏ ଦାୟୀ, ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା, ଆଗାମୀ ଦିନରେ କିପରି ଏଭଳି ଅଘଟଣ ନ ଘଟିବ, ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମତୀ ଗର୍ଗ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ସହ ଏକ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି।
ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ତିନି ଶ୍ରଦ୍ଧାଳୁଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ବୟାନ, ଆହତ ଶ୍ରଦ୍ଧାଳୁଙ୍କ ବୟାନ, ଭୁବନେଶ୍ବର ରାଜ୍ୟ ଅତିଥି ଭବନଠାରେ ଯେଉଁ ୧୭ଜଣ ସାଧାରଣ ଲୋକଙ୍କଠାରୁ ବୟାନ ରେକର୍ଡ ହୋଇଥିଲା, ସେମାନେ ଦେଇଥିବା ତଥ୍ୟପ୍ରମାଣ, ପୁରୀ ସର୍କିଟ ହାଉସ୍ଠାରେ ଗ୍ରହଣ କରାଯାଇଥିବା ୮୨ ଜଣ ପୁଲିସ କର୍ମଚାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀ, ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ସମନ୍ବିତ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର କର୍ମଚାରୀଙ୍କ ବୟାନ, ସେହି ରାତିରେ ଉପସ୍ଥିତ ଲୋକ ପଠାଇଥିବା ଫଟୋ ଓ ଭିଡିଓର ଦୃଶ୍ୟକୁ ଏଥିରେ ସାମିଲ୍ କରାଯାଇଛି। ଏହାସହ ସେଦିନ ରଥ ଦାୟିତ୍ବରେ ଥିବା ୫ ଜଣ ବରିଷ୍ଠ ପୁଲିସ ଅଧିକାରୀ, ତିନି ରଥର ପାଳିଆ ସେବାୟତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସାଧାରଣ ଲୋକ ଇମେଲ୍ ଯୋଗେ ପଠାଇଥିବା ତଥ୍ୟ, ଫଟୋ ଆଦିକୁ ଏଥିରେ ସ୍ଥାନିତ କରାଯାଇଛି। ଏସବୁ ବାଦ୍ ଏହି ପରିସ୍ଥିତି କାହିଁକି ଉପୁଜିଲା, ଏହାକୁ ଏଡ଼ାଯାଇପାରିଥାନ୍ତା କି ନାହିଁ, କାହିଁକି ତୁରନ୍ତ ଉଦ୍ଧାର କରାଗଲାନି, ସେ ସଂପର୍କରେ ତଦନ୍ତ କମିଟି ଅଧିକାରୀମାନଙ୍କୁ ପଚାରିଥିବା ପ୍ରଶ୍ନ ଓ ଉତ୍ତରଗୁଡ଼ିକୁ ରିପୋର୍ଟରେ ସାମିଲ୍ କରାଯାଇଛି।
ପ୍ରକାଶଥାଉକି, ଏହି ଅଭାବନୀୟ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଥିଲେ। ଘଟଣାର ପ୍ରଶାସନିକ ତଦନ୍ତ ସାଙ୍ଗକୁ ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରିଥିଲେ। ତଦନ୍ତରେ ଉନ୍ନୟନ କମିସନରଙ୍କୁ ୪ ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ମାନସ କୁମାର ସାମଲ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମିରଂଜନ ନାୟକ ଓ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/01/ssfxccxxc-2025-08-01-02-03-57.jpg)