ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି ନିଯୁକ୍ତ

ଭୁବନେଶ୍ବର: ଦୀର୍ଘ ଦିନରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ହୋଇଆସୁଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏଆଇସିସି ପକ୍ଷରୁ ନୂଆ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ପଟ୍ଟନାୟକ ପୂର୍ବରୁ ମଧ୍ୟ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିଲେ।

ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି। କଂଗ୍ରେସ କର୍ମୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ତାଙ୍କୁ କଂଗ୍ରେସରେ ବଡ଼ ଦାୟିତ୍ବ ମଳିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ। ସମସ୍ତଙ୍କୁ ନେଇ ନିର୍ବାଚନରେ ଲଢ଼ିବୁ। ସେ କହିଛନ୍ତି ଯେ, ସଂଗଠନକୁ ମଜବୁତ କରାଯିବ। ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତ  ପ୍ରସ୍ତୁତ କରିବୁ ଏବଂ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ସଂକ୍ଷେପରେ ଶରତ ପଟ୍ଟନାୟକ

-ଦ୍ବିତୀୟ ଥର ପାଇଁ ପିସିସି ସଭାପତି
-୨୦୦୧-୦୩ ପିସିସି ସଭାପତି
-ବଲାଙ୍ଗୀରରୁ ୨ ଥର ଲୋକସଭା ସଦସ୍ୟ
-୧୯୯୧ ଓ ୧୯୯୬ରେ ସାସଂଦ
-୨୦୧୯ରେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ପରାସ୍ତ

ବ୍ରଜରାଜନଗର ଉପନିର୍ବାଚନ ନେଇ ସେ କହିଛନ୍ତି, ସମସ୍ତେ ମିଳିମିଶି କାମ କରିବୁ। ଆଗାମୀ ରଣନୀତି ବହୁତ ଭଲ ହେବ। ଟିମ୍‌ ୱାର୍କ କରିବୁ। ଇଛା ଶକ୍ତି ସହ କଠନି ପରିଶ୍ରମ କରିବୁ। ଓଡ଼ିଶାର ବିକାଶ ପାଇଁ କଂଗ୍ରେସ କାମ କରିବ। ସୂଚନାଯୋଗ୍ୟ, ଏଆଇସିସି ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତିରେ କୁହାଯାଇଛି ଯେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର