ସହରାଞ୍ଚଳ ବିକାଶରେ ମିସନ ଶକ୍ତିର ସହଭାଗିତା ବଢ଼ୁଛି, ୧୬ ହଜାର ମହିଳା ଆତ୍ମନିର୍ଭରଶୀଳ ହେଲେଣି

ଭୁବନେଶ୍ବର : ମିସନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ସହଭାଗିତା ବଢ଼ିଛି। ଫଳରେ ମହିଳା ଗୋଷ୍ଠୀ ଓ ମହିଳା ନେତୃତ୍ବାଧୀନ ସହରାଞ୍ଚଳ ବିକାଶ ମଡେଲ୍‌ ଆଗକୁ ବଢ଼ୁଛି। ଏହି ମଡେଲ୍‌ ଦ୍ବାରା ୧୬ ହଜାରରୁ ଅଧିକ ମିସନ ଶକ୍ତି ମହିଳା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଗୋଷ୍ଠୀକୁ ସଶକ୍ତ ଓ ଆତ୍ମନିର୍ଭର କରିପାରିଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ମହିଳା ଗୋଷ୍ଠୀଗୁଡ଼ିକ ବର୍ତ୍ତମାନ ସେବା ବିତରଣରେ ଓ ସହରୀ ବିକାଶ କାର୍ଯ୍ୟକ୍ରମରେ ଅଂଶୀଦାର ଭାବେ କାର୍ଯ୍ୟ କରୁଛନ୍ତି। କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଯୋଗାଣ ଠାରୁ ରିହାତିଯୁକ୍ତ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଜୀବିକା ନିର୍ବାହ ପର୍ଯ୍ୟନ୍ତ ସବୁଥିରେ ଏମାନଙ୍କ ଯୋଗଦାନ ରହୁଛି। ୧୩,୫୦୦ରୁ ଅଧିକ ମିସନ ଶକ୍ତି ଏସ୍‌ଏଚ୍‌ଜି ବର୍ତ୍ତମାନ ସହରୀ ରୋଜଗାରୀ ସୃଷ୍ଟିକାରୀ ଯୋଜନା ‘ମୁକ୍ତା’ କାର୍ଯ୍ୟକାରୀ କରିବା ପାଇଁ ନିୟୋଜିତ ହୋଇଛନ୍ତି। ଗତ ୧୫ ମାସ ମଧ୍ୟରେ ରାଜ୍ୟର ୧୧୪ ପୌରାଞ୍ଚଳ ମଧ୍ୟରେ ସହର ସୌନ୍ଦର୍ଯ୍ୟକରଣ ଓ ଖୋଲା ସ୍ଥାନର ବିକାଶ ପରି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ନିକଟରେ ସାରା ରାଜ୍ୟରେ ୧୦ ହଜାର ବର୍ଷା ଜଳ ଅମଳ ସଂରଚନା ସୃଷ୍ଟି କରିବାରେ ଏସ୍‌ଏଚ୍‌ଜିଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମିସନ ଶକ୍ତି ଏସ୍‌ଏଚ୍‌ଜି ଓ କିନ୍ନର ଗୋଷ୍ଠୀଗୁଡ଼ିକ ମଧ୍ୟ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରୁଛନ୍ତି, ଯାହା ପରିମଳ କ୍ଷେତ୍ରରେ ପ୍ରମୁଖ ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି।

ସମୁଦାୟ ୨,୩୭୮ ଏସ୍‌ଏଚ୍‌ଜି ବର୍ତ୍ତମାନ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ, ସଂଗ୍ରହ, ପରିବହନ, ପୁନଃବ୍ୟବହାର ଓ ନିଷ୍କାସନ କାର୍ଯ୍ୟରେ ନି‌ୟୋଜିତ ଅଛନ୍ତି। ସେପ୍ଟେଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟର ମହିଳା ଓ କିନ୍ନର ଏସ୍‌ଏଚ୍‌ଜିମାନଙ୍କୁ ସେମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ସୁନିଶ୍ଚିତ କରି ଏକ ବଡ଼ ସଫଳତା ପାଇଛି। ଏସ୍‌ଏଚ୍‌ଜିଗୁଡ଼ିକ ସମଗ୍ର ରାଜ୍ୟରେ ୧୫୦ରୁ ଅଧିକ ଗୋଷ୍ଠୀ ଓ ସାଧାରଣ ଶୌଚାଳୟ ପରିଚାଳନା କରୁଛନ୍ତି। ସହରରେ ଶୌଚାଳୟ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ସଫା କରିବା ଏବଂ ପରିବହନ ପାଇଁ ସେସ୍‌ପୁଲ୍‌ ଯାନ ମଧ୍ୟ ଚଳାଉଛନ୍ତି। ସୁଜଳା କାର୍ଯ୍ୟକ୍ରମ କିମ୍ବା ଟ୍ୟାପ୍ ମିସନରୁ ପାଣି ପାଇଁ ମିସନ ଶକ୍ତି ଏସ୍‌ଏଚ୍‌ଜି ସହିତ ବିଭାଗ ସହଭାଗିତା କରିଛି। ବର୍ତ୍ତମାନ ୨୨୨ ଜଳସାଥୀ ୫ଟି ପୌରାଞ୍ଚଳରେ ନିୟୋଜିତ ଥିବା ବେଳେ ଖୁବ୍ ଶୀଘ୍ର ୭୦ ପୌରାଞ୍ଚଳରେ ଅତିରିକ୍ତ ୩୩୬ ଜଣ ନିୟୋଜିତ ହେବେ। ଏହା ସହ ମହିଳା ସଂଗଠନଗୁଡ଼ିକ ବିଭିନ୍ନ ସହରରେ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି। ସହରାଞ୍ଚଳ ବିକାଶ କ୍ଷେତ୍ରରେ ଗୋଷ୍ଠୀ ଯୋଗଦାର ଓଡ଼ିଶା ମଡେଲ୍‌ ମହିଳା ସଶକ୍ତୀକରଣକୁ ଉଚ୍ଚ ବୈଷୟିକ ସୋପାନକୁ ନେଇଯାଇଛି, ଯାହା କି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର