ରାଷ୍ଟ୍ରପତି ଭବନରେ ଅନୁଭୂତି କହିଲେ ଓଡ଼ିଆ ଆଇଏଏସ୍‌ ସୁମନ୍‌ ସୌରଭ

ଭୁବନେଶ୍ବର: ନୂଆ ଆଇଏଏସ୍‌ ଅଫିସର୍‌ମାନଙ୍କ ଏକ ଅନୁଭୂତି ବିନିମୟ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆ କରି ତାଲିମ୍ ଶେଷ କରିଥିବା ଯୁବ ଅଫିସର୍‌ମାନଙ୍କୁ ରାଷ୍ଟ୍ରପତିଙ୍କ ସାମ୍ନାରେ ନିଜ ତାଲିମ୍ ସମୟର ଅନୁଭୂତି ବର୍ଣ୍ଣନା କରିବାକୁ ସୁଯୋଗ ମିଳିଥିଲା। ୨୦୧୭ ବ୍ୟାଚ୍‌ର ୧୬୯ ଅଫିସର୍‌ଙ୍କ ମଧ୍ୟରୁ ଓଡ଼ିଆ ଆଇଏଏସ୍‌ ସୁମନ୍ ସୌରଭ ମହାନ୍ତିଙ୍କ ସମେତ ୫ ଜଣ ଏହି ସୁଯୋଗ ପାଇଥିଲେ।

ରାଷ୍ଟ୍ରପତିଙ୍କ ସାମ୍ନାରେ ସୁମନ ସୌରଭ ନିଜ ଅନୁଭୂ୍ତି ବଖାଣି କହିଥିଲେ, ତାଲିମ୍ ସମୟରେ ଅଭିଜ୍ଞ ଓ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କ ଠାରୁ ସଂଘୀୟ ବ୍ୟବସ୍ଥାରେ ପ୍ରଶାସନିକ କାର୍ଯ୍ୟ କିପରି କରାହୁଏ ତାହା ଶିଖିବାକୁ ମିଳିଛି। ଏକ ସଂଘୀୟ ପ୍ରଶାସନିକ ସଂସ୍କୃତିର ଅଂଶ ଭାବେ କେନ୍ଦ୍ର ଓ ରାଜ୍ୟ ମଧ୍ୟ‌େର ସମନ୍ବୟ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ସମନ୍ବୟ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଭୂମିକା କିପରି ରହିବା ଉଚିତ, ସେ ସମ୍ପର୍କରେ ଶିକ୍ଷା ଲାଭ କରିବାକୁ ସୁଯୋଗ ମିଳିଛି। ଅମଲାତନ୍ତ୍ର ସୃଜନଶୀଳ ହେବା ସହ ଠିକ୍ ସମୟରେ ଫଳାଫଳ କିପରି ମିଳିବ, ତାହା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କାରଣ ବର୍ତ୍ତମାନ ସମୟ ବଦଳୁଛି ଓ ଲୋକ ସୀମିତ ସମୟ ମଧ୍ୟରେ ଫଳାଫଳ ଚାହୁଁଛନ୍ତି।

ସେ ଆହୁରି କହିଥିଲେ, ତାଲିମ୍ ସମୟରେ ପ୍ରତି ଶୁକ୍ରବାର ବିଭିନ୍ନ ବିଭାଗର ସଚିବମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ସରକାରଙ୍କ ନୂଆ ଭାରତ-୨୦୨୨ ଭିଜନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ ଆମକୁ ଦିଗ୍‌ଦର୍ଶନ ଦିଅନ୍ତି। ଆଗାମୀ ଦିନରେ କର୍ମକ୍ଷେତ୍ରରେ ନିଷ୍ଠା ଓ ସାଧୁତାର ସହ କାମ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରିବୁ ବୋଲି ସୁମନ ସୌରଭ ମତବ୍ୟକ୍ତ କରିଥିଲେ। ଉଡ୍ରୋ ଉଇଲସନ୍‌ଙ୍କ ପ୍ରସିଦ୍ଧ ଉକ୍ତି ‘ମାନବ ସେବା ଠାରୁ ବଡ଼ ଧର୍ମ କିଛି ନାହିଁ’ କୁ ଉଦ୍ଧାର କରି ସେ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ରାଷ୍ଟ୍ରପତି ଭବନରେ ଏପରି ମତବ୍ୟକ୍ତ କରିବାର ସୁଯୋଗ ମିଳିଥିବାରୁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଲାଲ୍‌ ବହାଦୂର ଶାସ୍ତ୍ରୀ ନ୍ୟାସନାଲ୍‌ ଏକାଡେମି ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରୁ ନିଜର ୨ ବର୍ଷ ତାଲିମ୍ ସାରିବା ପରେ ଗତ ତିନି ମାସ ହେବ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସହାୟକ ସଚିବ ଭାବେ ସୁମନ ସୌରଭ ନିଯୁକ୍ତି ପାଇଛନ୍ତି। ଓଡ଼ିଶାର କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁମନ୍‌ କିଟ୍‌ରୁ ଇଂଜିନିୟରିଂ ସାରିବା ପରେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ କରିଥିଲେ। ୨୦୧୬ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଦେଶରେ ୯ ନମ୍ବର ସ୍ଥାନରେ ରହି ଓଡ଼ିଶାକୁ ଗୌରବାନ୍ବିତ କରିଥିଲେ।

ସମ୍ବନ୍ଧିତ ଖବର