ଏନ୍‌ଜିଟି ଓ ଜଙ୍ଗଲ ଓ ପରିବେଶ ନିୟମକୁ ବେଖାତିର: ମାଟିରେ ମିଶିଯିବ ଶାରୀଶୁଆ ପାହାଡ଼

ରାଜସ୍ବ ବିଭାଗର ପ୍ରୋତ୍ସାହନରେ ଖଣି ଲୁଟୁଛନ୍ତି ମାଫିଆ

 

ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ଶାରୀଶୁଆ ପାହାଡ଼। ରାଜସ୍ବ ବିଭାଗ, ରାଜନେତା, ଖଣି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ବେଆଇନ ପଥର ଖନନ ଓ ଚାଲାଣ ଯୋଗୁ କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳରେ ଥିବା ଏହି ପାହାଡ଼ ଏବେ ଧ୍ବଂସ ପାଇବାକୁ ଯାଉଛି।

ସୂଚନାଥାଉକି, ଖଣିମାଲିକଙ୍କ ସହ ପ୍ରଶାସନର ବହୁ ବାଦବିବାଦ ପରେ ୨୦୧୮ ମସିହାରେ ଶାରୀଶୁଆ ପାହାଡ଼ରେ ୯୭ଟି ଖଣି ଖନନ ପାଇଁ ନିଲାମ ଡକାଯାଇଥିଲା। କିନ୍ତୁ ଆବେଦନ କରିଥିବା ଅଧିକାଂଶ ଖଣି ମାଲିକ ପୂର୍ବରୁ ବାକି ରଖିଥିବା ଅର୍ଥରାଶି ପୈଠ କରିନଥିବାରୁ ସେମାନଙ୍କୁ ଅନୁମତି ମିଳିନଥିଲା। ତେବେ ସ୍ଥାନୀୟ ପ୍ରଶାସନ ଓ ଖଣି ମାଫିଆଙ୍କ ସଲାସୁତରାରେ ଖଣି ଖନନ ଚାଲିଥିବା ଖବର ସାମ୍‌ନାକୁ ଆସିବା ପରେ ୨୦୧୯ ମସିହା ଅକ୍ଟୋବର ମାସରେ ପୁଣିଥରେ ଏହାଉପରେ ସରକାର ରୋକ୍‌ ଲଗାଇଥିଲେ। ତଥାପି ପ୍ରତିଦିନ ଶାରୀଶୁଆ ପାହାଡ଼କୁ ଖୋଳି ଶହଶହ ଟ୍ରିପ୍‌ ମାଙ୍କଡ଼ା ପଥର, ମୋରମ୍‌, ମେଟାଲ୍‌, ଚିପ୍‌ସ ଆଦି ଲଘୁ ଖଣିଜ ପଦାର୍ଥ ବାହାରକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ଖଣି ତଥା ଭୂରାଜସ୍ବ ଦାୟିତ୍ବରେ ଥିବା ସ୍ଥାନୀୟ ତହସିଲଦାର ଏ ବାବଦରେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। କୁପାରୀ ଅଞ୍ଚଳରେ ଥିବା ବିଭିନ୍ନ ଖଣିରୁ ଦିନ ଦ୍ବିପ୍ରହରରେ ମାଙ୍କଡ଼ା ପଥର ଉତ୍ତୋଳନ କରାଯିବା ସହ ମୁଖ୍ୟରାସ୍ତା ଦେଇ ଚାଲାଣ ହେଉଛି। ଅଥଚ ତହସିଲଦାର କିମ୍ବା ତାଙ୍କ ଅଧସ୍ତନ କର୍ମଚାରୀ‌ କେହି କେମିତି ଏ ବିଷୟରେ ଜାଣିପାରୁନାହାନ୍ତି, ତାହା ହିଁ ସାଧାରଣରେ ପ୍ରହେଳିକା ସୃଷ୍ଟି କରିଛି।

ସବୁଠୁ ବଡ଼କଥା ହେଲା, ବନ ସୁରକ୍ଷା ଓ ପରିବେଶ ଆଇନ୍ ଉଲ୍ଲଂଘନ ଆଦି କାରଣରୁ ଖଣି କାମ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିବା ସତ୍ତ୍ବେ କୁପାରୀ ଅଞ୍ଚଳରେ ୩୦ରୁ ଅଧିକ ମାଙ୍କଡ଼ା ପଥର ଖଣିରୁ ପ୍ରତ୍ୟହ ପଥର ଉତ୍ତୋଳନ କରାଯାଉଛି। କେବଳ ସେତିକି ନୁହେଁ, ବିନା ଭୟରେ ଖଣି ମାଫିଆ ଦିନ ଦ୍ବିପ୍ରହରରେ ମେସିନ୍ ଦ୍ବାରା ପଥର ଉତ୍ତୋଳନ କରି ସେସବୁକୁ ଟ୍ରକ୍‌, ଡମ୍ପର, ଟ୍ରାକ୍ଟର ଭଳି ଭାରୀଯାନରେ ବିଭିନ୍ନ ଅଞ୍ଚଳକୁ କାହା ସ୍ବାର୍ଥରେ ଚାଲାଣ କରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଶାରୀଶୁଆ ପାହାଡ଼ରେ ବେଆଇନ ଖନନ ଯୋଗୁଁ କୁପାରୀ ଅଞ୍ଚଳର ପରିବେଶ ଓ ପର୍ଯ୍ୟଟନ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି।

୧୯୪୭ ମସିହାରେ କୁଲଡ଼ିହା ଅଭୟାରଣ୍ୟର ୨୭୨. ୭୫ ବର୍ଗ କିମି ଅଞ୍ଚଳକୁ ହାତୀ ଅଭୟାରଣ୍ୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଥିଲା। ସୋର ରେଞ୍ଜ ପାଇକପଡ଼ା ପର୍ଯ୍ୟନ୍ତ ଏହାର ସୀମା ଲମ୍ବିଥିବା ବେଳେ ହାତୀମାନଙ୍କ ଚଳପ୍ରଚଳ ଓ ବଂଶବୃଦ୍ଧି ପାଇଁ ଶାରୀଶୁଆ ପାହାଡ଼ର ପାଦଦେଶରେ ଥିବା ଜଙ୍ଗଲକୁ ବନ ବିଭାଗ ହାତୀଚଲା ପଥ ଭାବେ ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲ୍ଲା ହଦଗଡ଼ ପର୍ଯ୍ୟନ୍ତ ୧୬୫ ବର୍ଗ କିଲୋମିଟର ଅଞ୍ଚଳକୁ ହାତୀ ସୁରକ୍ଷା କରିଡର୍‌ ଭାବେ ସାମିଲ କରାଯାଇଛି। ୨୦୧୧ ମସିହାରେ ଶାରୀଶୁଆ ପାହାଡ଼ ପାଦଦେଶରେ ସୂଚନାଫଳକ ଲଗାଯାଇ ହାତୀମାନଙ୍କ ପାଇଁ ଏହି ଅଞ୍ଚଳ ସଂରକ୍ଷିତ ରଖାଯାଇଥିବା ଦର୍ଶାଯାଇଥିଲେ ହେଁ ବେଆଇନ୍ ଭାବେ ଅହରହ ଖଣି ଖୋଳା ଚାଲିଛି। ଅବିଳମ୍ବେ ଏହାକୁ ରୋକାନଗଲେ ଆଗାମୀ ଦିନରେ ଏ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପ୍ରତି ସଙ୍କଟ ଉପୁଜିବା ସହ ଶାରୀଶୁଆ ପାହାଡ଼ ମାଟିରେ ମିଶିଯିବ ବୋଲି ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଏ ସଂପର୍କରେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚରାଯିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ରାଜସ୍ବ ବିଭାଗ ଉକ୍ତ ଅଞ୍ଚଳରେ ନିୟମିତ ଯାଞ୍ଚ କରୁଥିବା ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର