ପୁରୀ ଉପକୂଳରେ ସାର୍କ ଶିକାର, ବିଦେଶକୁ ରପ୍ତାନି ହେଉଛି ମାଂସ

ପୁରୀ : ବିଦେଶକୁ ରପ୍ତାନି ହେଉଛି ପୁରୀ ସମୁଦ୍ର ଉପକୂଳର ସାର୍କ ମାଛ। ବିରଳ ପ୍ରଜାତିର କାରାକାରିନ ସାର୍କ ମାଛକୁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଶିକାର କରି ଶାଗ ମାଛ ଦରରେ ମାଫିଆମାନଙ୍କୁ ବିକ୍ରି କରୁଛନ୍ତି। ମାଫିଆମାନେ ଏହି ମାଛକୁ ସାଧାରଣ ସାମୁଦ୍ରିକ ମାଛ ଦରରେ କିଣି ନେଇ ବିଦେଶକୁ ରପ୍ତାନି କରୁଛନ୍ତି। ଏ ନେଇ ଏକ ସ୍ବତନ୍ତ୍ର ରାକେଟ୍‌ କା‌ମ କରୁଥିବା ଅଭିଯୋଗ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବନବିଭାଗ ଓ ସରକାରୀ କଟକଣାକୁ ଭ୍ରୂକ୍ଷେପ ନ କରି ସର୍ବସମ୍ମୁଖରେ ମଧ୍ୟ ଓଜନ କରି ବିକ୍ରି କରାଯାଉଛି। ଜାଆଁଳ ବା ଛୋଟ ବେଳୁ ଏହାର ଶିକାର ହେଉଥିବାରୁ ପୁରୀ ସମୁଦ୍ରରେ ବହୁଳ ଭାବେ ଦେଖା‌ଯାଉଥିବ‌ା ଏହି ବିରଳ ପ୍ରଜାତିର ସାର୍କ ବଂଶ ଏବେ ଲୋପ ହେବାକୁ ବସିଛି।

ସୂଚନା ଅନୁସାରେ, ପୁରୀ ଉପକୂ‌ଳ ଅଞ୍ଚଳରୁ ସାର୍କ ମାଛ ମାରିବାକୁ ନେଇ କଟକଣା ରହିଛି। ଏହା ସତ୍ତ୍ବେ ପ୍ରତିଦିନ ଶହଶହ ସଂଖ୍ୟାରେ ସାର୍କ ଶିକାର କରାଯାଉଛି। ପେଣ୍ଠକଟା ଅଞ୍ଚଳ ଏବେ ଏହାର ହବ୍‌ ପାଲଟିଛି। ଆଜି ପେଣ୍ଠକଟା ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ମାଛ ଧରି‌ ଫେରି ଥିଲେ। ସେମାନ ପ୍ରାୟ ୧୦ କେଜିରୁ ଅଧିକ ଓଜନର କିଛି ସାର୍କ ମାଛ ଧରି କୂଳକୁ ଆସିବାପରେ ଏହା ଲୋ‌କଲୋଚନକୁ ଆସିଥିଲା।

ବଣ୍ୟଜନ୍ତୁ ସୁରକ୍ଷ‌ା ଆଇନ (ୱାଇଲ୍‌ଡ ଲାଇଫ୍ ପ୍ରୋଟେକସନ ଆକ୍ଟ) ମୁତ‌ାବକ ସାର୍କ ଶିକାର ଏକ ଦଣ୍ଡନୀୟ ଅପରାଧ। ମାତ୍ର, ଏଥିପ୍ରତି ମଧ୍ୟ କାହାର ଭ୍ରୂକ୍ଷେପ ନଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପୂର୍ବତନ ବଣ୍ୟଜନ୍ତୁ ସଂରକ୍ଷକ ଆକାଶ ରଞ୍ଜନ ରଥ କହିଛନ୍ତି ଯେ, ବାଘ ମାରିଲେ ଯେଉଁ ଦଫା, ସାର୍କଶିକାର କଲେ ମଧ୍ୟ ସମାନ ଦଫା ଲାଗିବ‌ା କଥା। ଏହାର ସଂରକ୍ଷଣ ମଧ୍ୟ ଜରୁରୀ । ସାମୁଦ୍ରିକ ପୁଲିସ କିମ୍ବା ମତ୍ସ୍ୟ ବିଭାଗ ଏହା ଉପରେ କଟକଣା ଲଗାଇ ଏହାକୁ ରୋକିବା ଉଚିତ ବୋଲି ଶ୍ରୀ ରଥ କହିଛନ୍ତି। ଅନ୍ୟପଟେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦୀକ୍ଷା ଖାଡ଼ଙ୍ଗା ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, ସାର୍କ ଶିକ‌ାର ପାଇଁ ସେଭଳି କିଛି ଆଇନ ନାହିଁ । ଏହା ବିରଳ ପ୍ରଜାତିର ହୋଇଥିବାରୁ ଏହାକୁ ରୋକିବ‌ା ଦିଗରେ ପ୍ରୟାସ କରାଯାଉଛି ବୋଲି ଶ୍ରୀ ଖାଡ଼ଙ୍ଗା କହିଛନ୍ତି। ତେବେ, ଜଣେ ମତ୍ସ୍ୟ ବିଭାଗର ଅଧିକାରୀ ଏଭଳି ମନ୍ତବ୍ୟ ଦେବା ଘଟଣାକୁ ସମାଲୋଚନା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୮ରୁ ନ୍ୟାସନ‌ାଲ୍‌ ପ୍ଲାନ ଅଫ ଆକ୍ସସନ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି। ବଙ୍ଗୋପସାଗରେ ଦେଖାଯାଉଥିବା ଏହି ବିରଳ ପ୍ରଜାତିର ସାର୍କ ମାଛର ସଂରକ୍ଷଣ ପାଇଁ ପ୍ରୟାସ କରାଯାଉଛି। ମାତ୍ର, ପୁରୀ ସମୁଦ୍ରରେ ସାର୍କ ମ‌ାଛକୁ ଛୋଟ‌ବେଳୁ ମାରି ଦିଆଯାଉଛି। ଏହା ଫଳରେ ଆଗାମୀ ଦିନରେ ଏହି ଅଞ୍ଚଳରେ ସାର୍କ ବଂଶ ନାଶ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ପ୍ରତିଦିନ ଏଭଳି ଅବାଧ ସାର୍କ ଶିକାର ଉପରେ କଟକଣା ଲଗାଇବାକୁ ପରିବେଶବିତ୍‌ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର