ଚିକିଟି : ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଆଜି ଅପରାହ୍ଣରେ ଏକ ହ୍ବେଲ୍ ସାର୍କ ମୁମୂର୍ଷୁ ଅବସ୍ଥାରେ ଆସି କୂଳରେ ଲାଗିଥିଲା। ସ୍ଥାନୀୟ ମତ୍ସଜୀବୀମାନେ ଏହାକୁ ଠେଲି ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପୁଣି ରାତିରେ ଉକ୍ତ ହ୍ବେଲ୍ ସାର୍କଟି ଆସି କୂଳରେ ଲାଗିବା ପରେ ଏହା ମୃତ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଗଞ୍ଜାମ ଡିଏଫ୍ଓ ଅମ୍ଳାନ କୁମାର ଦାସ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ପାତି ସୁନାପୁର ବେଳାଭୂମିରେ କଳାରଙ୍ଗର ଏକ ବିରାଟକାୟ ହ୍ବେଲ୍ ସାର୍କ ମାଛ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଦେହରେ ଧଳା ଟୋପି ଚିହ୍ନ ଥିଲା। ଲମ୍ବ ୨୦ରୁ ୨୫ ଫୁଟ ରହିଥିବାବେଳେ ଆନୁମାନିକ ଓଜନ ପ୍ରାୟ ୧୦ କ୍ବିଣ୍ଟାଲ୍ ଥିଲା। ୨ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମତ୍ସ୍ୟଜୀବୀମାନେ ଡଙ୍ଗାର କାତ ସାହାଯ୍ୟରେ ମାଛଟିକୁ ଠେଲି ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପାତି ସୁନାପୁରର ଦେବହରି ବେହେରା, ଦୀପକ ବେହେରା, ଗୋପାଳ ବେହେରା, କରୁଣାକର ବେହେରା, ସିଦ୍ଧେଶ୍ବର ବେହେରା, ବାଲାଜୀ ବେହେରା ଓ ବନମାଳି ବେହେରାଙ୍କ ସମେତ ୩୦ଜଣ ଯୁବ ମତ୍ସ୍ୟଜୀବୀ ମିଶି ଏହାକୁ ଗଭୀର ସମୁଦ୍ରରେ ଛାଡ଼ି ଦେଇଥିଲେ। କିନ୍ତୁ ଘଣ୍ଟାଏ ପରେ ଅର୍ଥାତ୍ ରାତି ପ୍ରାୟ ୭ଟାରେ ସାର୍କଟି ପୁଣି କୂଳରେ ଲାଗିଥିଲା। ତେବେ ସେତେବେଳକୁ ସାର୍କଟି ମରିଯାଇଥିଲା।
ଗଭୀର ସମୁଦ୍ରରେ କିଛି ମତ୍ସ୍ୟଜୀବୀ ଜାଲ ପକାଇଥିଲେ। ଉକ୍ତ ଜାଲରେ ପଡ଼ି ସାର୍କଟି ଲହଡ଼ିରେ ଠେଲି ହୋଇ କୂଳକୁ ଆସିଯାଇଥିବା ଅନୁମାନ କରାଯାଉଛି। ସୂଚନା ଥାଉକି, ୨୦୧୮ ମସିହା ସେପ୍ଟେମ୍ବର ୨୯ତାରିଖରେ ପାତିସୁନାପୁର ବେଳାଭୂମିରେ ଏକ ହ୍ବେଲ୍ ସାର୍କ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲା। ଯୁବକମାନେ ଏହାକୁ ସମୁଦ୍ରରେ ଛାଡ଼ିଥିଲେ।