ଜଗତସିଂହପୁର/ତିର୍ତ୍ତୋଲ: ପ୍ରସିଦ୍ଧ ଝଙ୍କଡ଼ ପୀଠ ମା’ ଶାରଳା ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଭଣ୍ଡାର ଖୋଲିଦେଇଛନ୍ତି। ମନ୍ଦିର ଓ ଏହାର ପାରିପାର୍ଶ୍ବିକ ପରିବ‌େଶର ଉନ୍ନତୀକରଣ ନିମନ୍ତେ ଯେତେ ଅର୍ଥ ଆବଶ୍ୟକ, ତାହା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ। ଏହି ପୀଠର ସାମଗ୍ରିକ ବିକାଶ ପାଇଁ ୧୫ ଦିନ ଭିତରେ ଏକ ବ୍ଲୁ’ପ୍ରିଣ୍ଟ୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ପାଇଁ ୫-ଟି ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ଏହି ଗସ୍ତପରେ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ପୁରୀ ଶ୍ରୀକ୍ଷେତ୍ର, ଲିଙ୍ଗରାଜ, ବିରଜା କ୍ଷେତ୍ର ପରେ ଶାରଳା ପୀଠର ରୂପରେଖ ବଦଳିଯିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଆଜି ଭୋର ସାଢ଼େ ୬ଟାରେ ମନ୍ଦିରରେ ପହଞ୍ଚି ମା’ଙ୍କର ଦର୍ଶନ କରିବା ସହ ପାରିପାର୍ଶ୍ବିକ ପରିସ୍ଥତି ଅନୁଧ୍ୟାନ କରିଥିଲେ। ମନ୍ଦିରରେ ଥିବା ଏକାଧିକ ସମସ୍ୟା ସମ୍ପର୍କରେ ସେ ପଣ୍ଡା ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସଚିବ ଆଦିକବି ସାରଳା ଦାସଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିବାପରେ ମନ୍ଦିର ଭିତରକୁ ଯାଇଥିଲେ। ସେଠାରେ ବଡ଼ପଣ୍ଡା ରଂଜନ ପଣ୍ଡା, ସେବାୟତ ତ୍ରିଲୋଚନ ରାଉଳ, ଲକ୍ଷ୍ମୀଧର ରାଉଳ ଓ ବିଶ୍ବରଂଜନ ରାଉଳ ତାଙ୍କୁ ମା’ଙ୍କ ଦର୍ଶନ କରାଇଥିଲେ। ଏହାପରେ ପୂର୍ବରୁ ପ୍ରସ୍ତୁତ ମନ୍ଦିରର ଓ ପାରିପାର୍ଶ୍ବିକ ପରିବେଶର ନକ୍ସାକୁ ସଚିବ ଅନୁଧ୍ୟାନ କରିଥିଲେ। ସମସ୍ୟା ସମ୍ପର୍କରେ ପଣ୍ଡାସେବକମାନେ ସଚିବଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ମନ୍ଦିରର ବିଭିନ୍ନ ସମସ୍ୟା ମଧ୍ୟରେ ‌ଚନ୍ଦନ ପୋଖରୀ ପୁନରୁଦ୍ଧାର, କୋଠା ମରାମତି, ଅଣଓସାରିଆ ଓ ଦୁର୍ବଳ ସ୍ଥିତିକୁ ଆସିଥିବା ସିଂହଦ୍ବାର, ମନ୍ଦିରକୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା, ଯାତ୍ରୀ ନିବାସ ଓ ମାର୍କେଟ୍ କମ୍ପ୍ଲେକ୍ସ ହସ୍ତାନ୍ତର ଆଦି ସମସ୍ୟା ସମ୍ପର୍କରେ ସେମାନେ ସଚିବଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସଚିବ ସେସବୁ ଶୁଣିବା ପରେ ମନ୍ଦିର ବେଢ଼ା, ଚନ୍ଦନ ପୋଖରୀ, ସଂଲଗ୍ନ ପାଚେରି, ବଜାର ବୁଲି ଦେଖିଥିଲେ। ତୁରନ୍ତ ଏହାର ମରାମତି ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଠାରେ ଉପସ୍ଥିତ ଜିଲ୍ଲାପାଳଙ୍କୁ ୧୫ ଦିନ ମଧ୍ୟରେ ମନ୍ଦିରର ସମସ୍ତ ସେବାୟତ, ସ୍ଥାନୀୟ ଜନସାଧାରଣଙ୍କ ମତାମତ ନେଇ ଏକ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ, କୋଭିଡ୍ ମହାମାରି ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ପଣ୍ଡା ଓ ସେବାୟତମାନେ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି। କୋଭିଡ୍ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହା ଶୁଣିବାପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସଚିବ କହିଥିଲେ। ପ୍ରତିଶ୍ରୁତି ପାଳନ ସ୍ବରୂପ ତୁରନ୍ତ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା କୋଭିଡ୍ ସହାୟତା ମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିଛି। ଆସନ୍ତା ୨୮ ତାରିଖରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଡକାଯାଇ ଏହି କ୍ଷତିପୂରଣ ରାଶି ପ୍ରାୟ ୨୧୦ ପଣ୍ଡା, ସେବାୟତ ଓ କର୍ମଚାରୀଙ୍କ ପରିବାର ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଜଣାପଡ଼ିଛି। ଆଜି ୫ଟି ସଚିବଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଏସ୍‌ପି ଅଖିଳେଶ୍ବର ସିଂ, ତହସିଲଦାର ସୁଜାତା ପାତ୍ର, ବିଡିଓ ଅଟଳ ବିହାରୀ ସ୍ବାଇଁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପ୍ରସିଦ୍ଧ ଝଙ୍କଡ ପୀଠର ଅବ୍ୟବସ୍ଥା ସଂପର୍କରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଉଥିଲା।